ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲାକୁ ୭ ଦିନ ବିତି ସାରିଥିବା ବେଳେ ଆତଙ୍କୀ ଉପରେ ଆକ୍ସନ ନେବାକୁ ସଜ ହେଉଛନ୍ତି ସରକାର । ସେପଟେ ଗତକାଲି ସାମ୍ନାକୁ ଆସିଥିବା ନୂଆ ଏକ ଭିଡିଓରେ ଆତଙ୍କୀଙ୍କ ନରସଂହାରର ସବୁ ସତ ଜଳଜଳ ହୋଇ ଦିଶିଯାଉଛି । ତଳେ ଚାଲୁଥିଲା ଗୁଳି, ଜଣେ ପରେ ଜଣେ ଯାଉଥିଲେ ଟଳି... ଆଉ ଏ ସବୁ କଏଦ ହୋଇଥିଲା ରୋପ୍ ୱେର ମଜା ନେଉଥିବା ଅହମ୍ମଦାବାଦର ପର୍ଯ୍ୟଟକ ରିଷି ଭଟ୍ଟଙ୍କ କ୍ୟାମେରାରେ । ପହଲଗାମ୍ ହମଲା ପରେ ରିଷି ଯେତେବେଳେ ତାଙ୍କ ଭିଡିଓ ସବୁ ତନତନ କରି ଦେଖିଥିଲେ ସେତେବେଳେ ଏସବୁ ଛତିଥରା ଦୃଶ୍ୟ ଭିଡିଓରେ କଏଦ ହୋଇଥିବା ଦେଖିବାକୁ ପାଇଥିଲେ ।
ତେବେ ଭିଡିଓ କରିଥିବା ରିଷି ଇତିମଧ୍ୟରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଯାହା ଆତଙ୍କୀ ହମଲାରେ ଖିଅକୁ ଧରେଇବାରେ ଗୋଟେ ରାସ୍ତା ଦେଖାଇଛି । ରିଷି ପହଲଗାମ୍ ହମଲା ପଛରେ ଜିପ୍ ଲାଇନ୍ ଅପରେଟରକୁ ସନ୍ଦେହ ଆଖିରେ ଦେଖିଛନ୍ତି । ରିଷିଙ୍କ କହିବା ଅନୁସାରେ ଯେତେବେଳେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପତ୍ନୀ ଅବା ଅନ୍ୟ ପର୍ଯ୍ୟଟକଙ୍କୁ ଜିପ୍ ଲାଇନରେ ପାର୍ କରୁଥିଲେ ସେତେବେଳେ ସେ ମିନି ସୁଇଜରଲ୍ୟାଣ୍ଡ... ମିନି ସୁଇଜରଲ୍ୟାଣ୍ଡର ନାରା ଦେଉଥିଲା ମାତ୍ର ଯେତେବେଳେ ରିଷିଙ୍କୁ ଜିପ୍ ଲାଇନରେ ଝୁଲାଇ ପଠାଇଲା ସେତେବେଳେ ହିଁ ସେ ତିନି ଥର ଆଲ୍ଲା ହୋ ଆକବର... ଆଲ୍ଲା ହୋ ଆକବର... ଆଲ୍ଲା ହୋ ଆକବର... ନାରା ଦେଲା । ବାସ୍ ତାପରେ ହିଁ ତଳେ ଫାୟାରିଂ କରିବା ଆରମ୍ଭ କରିଦେଇଥିଲେ ବନ୍ଧୁକଧାରୀ ଆତଙ୍କୀମାନେ...
#WATCH | #PahalgamTerroristAttack | In a viral video, a tourist was seen ziplining when terrorists suddenly started firing. The tourist from Gujarat's Ahmedabad, Rishi Bhatt, recalls the incident
— ANI (@ANI) April 29, 2025
"...Firing started when I was ziplining...I did not realise this for around 20… pic.twitter.com/ZjmJxrl8Y7
ମୁଁ ରୋପ୍ ୱେର ମଜା ନେଉଥିଲି । ଗୁଳି ଶବ୍ଦ ଶୁଣିବା ପରେ ତଳକୁ ଚାହିଁଲି... ମୁଁ ୨୦ ସେକେଣ୍ଡ ଯାଏଁ କିଛି ବୁଝି ପାରି ନଥିଲି.. ପରେ ୫ରୁ ୬ ଜଣଙ୍କୁ ଗୁଳିମାଡ ହେବା ପରେ ଜାଣିପାରିଲି ଯେ ଏହା ଆତଙ୍କବାଦୀଙ୍କ ଆକ୍ରମଣ ବୋଲି... ତାପରେ ମୁଁ ସିଧା ସ୍ତ୍ରୀ ଓ ପିଲାଙ୍କ ପାଖରେ ଓହ୍ଲାଇ ସେମାନଙ୍କୁ ନେଇ ଏକ ସ୍ଥାନରେ ଲୁଚିଗଲି ଯେଉଁଠି ଆଗରୁ କିଛି ଲୋକ ଲୁଚିଥିଲେ । ପରେ ଆମେ ଧାଇଁବାକୁ ଲାଗିଲୁ ଏବଂ ଆତଙ୍କବାଦୀମାନେ ପଛରୁ ଗୁଳିମାଡ କଲେ । କିଛି ଜଣେ ଆହତ ବି ହେଲେ । ଅନେକ ବାଟ ଆସିବା ପରେ ଭାରତୀୟ ଯବାନମାନେ ଆମକ ରକ୍ଷା କରିଥିଲେ ।
ତେବେ ସେଦିନର ଘଟଣାକୁ ମନେପକାଇ ଜିପ୍ ଲାଇନ୍ ଅପରେଟର ଉପରେ ସନ୍ଦେହ କରିଛନ୍ତି ରିଷି । ଆଉ କହିଛନ୍ତି ମତେ ଲାଗୁଛି ସେ ହିଁ ଘଟଣା ବାବଦରେ ଜାଣିଛି । ତାକୁ ପଚରାଉଚରା କଲେ ହୁଏତ ଅଧିକ ତଥ୍ୟ ମିଳିପାରେ । ଇତିମଧ୍ୟରେ ଉକ୍ତ ଜିପ୍ ଲାଇନ୍ ଅପରେଟରକୁ ଏନଆଇଏ ପକ୍ଷରୁ ହାଜର ପାଇଁ ସମନ ହୋଇଛି ।