ବିଦାୟ ରିଷି, ବଚ୍‌ନା ଏ ହସିନୋଁ…

କିଂବଦନ୍ତି ପରିବାର, ଅନନ୍ୟ ଅଭିନେତା

ଶିଶୁ କଳାକାରରୁ ରୋମାଣ୍ଟିକ ହିରୋ। ଚକ୍‌ଲେଟ୍‌ ବୟରୁ ଚରିତ୍ର ଅଭିନେତା। ଦୀର୍ଘ ଚାରି ଦଶନ୍ଧିର ଅଭିନୟ ଯାତ୍ରାରେ ପଡ଼ିଛି ଯବନିକା। ରିଷି ଯୁଗର ଅବସାନ ଘଟିଛି। ରିଷି କପୁର ଆଜି ସ୍ବଦେହରେ ନ ଥିଲେ ବି ତାଙ୍କର ଏହି ଦୀର୍ଘ ଯାତ୍ରାକୁ ସାରା ଦେଶ ଝୁରୁଛି। ରିଷି ଥିଲେ କିଂବଦନ୍ତି କାପୁର ପରିବାରର ଆଉ ଜଣେ ଅନନ୍ୟ ଅଭିନେତା। ବାପା ରାଜ କାପୁରଙ୍କ ଛାୟା ଭିତରୁ ବାହାରି ସେ ସିନେ ଜଗତରେ ଜଣେ ଲୋକପ୍ରିୟ କଳାକାର ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଲକ୍ଷ ଲକ୍ଷ ଲୋକଙ୍କ ଅଜସ୍ର ପ୍ରଶଂସା ସାଉଁଟିଥିଲେ ସାରା ଜୀବନ। ରକ୍ତକର୍କଟର ଯନ୍ତ୍ରଣା ଭିତରେ ହସି ହସି ବିଦାୟ ନେଇ ଯାଇଥିବା ଏହି ବର୍ଷୀୟାନ ଅଭିନେତାଙ୍କ ପାଇଁ ଆଜି ସାରା ଦେଶ ଲୁହ ଗଡ଼ାଉଛି। ଭାରତୀୟ ସିନେ ଜଗତର ଏହି ପ୍ରଥମ ଚକ୍‌ଲେଟ୍ ହିରୋଙ୍କୁ ‘ସମ୍ବାଦ’ର ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

କିଂବଦନ୍ତି ପରିବାର, ଅନନ୍ୟ ଅଭିନେତା
ରିଷି କପୁରଙ୍କ ଜେଜେ ଅଭିନେତା ପୃଥ୍ବୀରାଜ କପୁର ଏବଂ ବାପା ରାଜ କାପୁର ଥିଲେ ଭାରତୀୟ ଚଳଚ୍ଚିତ୍ର ଜଗତର କିଂବଦନ୍ତି ଅଭିନେତା ଓ ନିର୍ଦ୍ଦେଶକ। ୧୯୫୨ ମସିହା ସେପ୍‌ଟେମ୍ବର ୪ରେ ମୁମ୍ବାଇରେ ରାଜ କପୁର ଏବଂ କ୍ରିଷ୍ଣା ରାଜ୍‌ କପୁର୍‌ଙ୍କ ଦ୍ବିତୀୟ ସନ୍ତାନ ଭାବେ ଜନ୍ମ ନେଇଥିଲେ ରିଷି। ରିଷିଙ୍କ ଦୁଇ ଭାଇ ରଣଧୀର କପୁର ଏବଂ ରାଜୀବ କପୁର ମଧ୍ୟ ବଲିଉଡ୍‌ରେ ଅଭିନୟ ଜଗତରେ ପ୍ରସିଦ୍ଧି ଅର୍ଜନ କରିପାରିଥିଲେ। ରିଷି କପୁରଙ୍କ ମାମୁ ପ୍ରେମନାଥ, ରାଜେନ୍ଦ୍ର ନାଥ, ନରେନ୍ଦ୍ର ନାଥ, ପ୍ରେମ୍‌ ଚୋପ୍ରା ଏବଂ ଦାଦା ଶଶୀ କପୁର, ଶମି କପୁର ମଧ୍ୟ ଖ୍ୟାତନାମା ଅଭିନେତା ଥିଲେ। ରିଷିଙ୍କ ଦୁଇ ଭଉଣୀ ଋତୁ ନନ୍ଦା ଏବଂ ରିମା ଜୈନ। ରିଷି କପୁର ମୁମ୍ବାଇର କ୍ୟାମ୍ପେନ ସ୍କୁଲ ଏବଂ ଆଜ୍‌ମେର ମୟୋ କଲେଜରେ ଅଧ୍ୟୟନ କରିଥିଲେ। ୧୯୮୦ରେ ରିଷି କପୁର ଅଭିନେତ୍ରୀ ନୀତୁ ସିଂହଙ୍କୁ ବିବାହ କରିଥିଲେ। ରିଷିଙ୍କ ପୁଅ ରଣବୀର କପୁର ଏବେ ବଲିଉଡରେ ଜଣେ ସଫଳ ଅଭିନେତା ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।

ଲମ୍ବା ରେସ୍‌ର ଘୋଡ଼ା
ପ୍ରକୃତରେ ରିଷି ଥିଲେ ଲମ୍ବା ରେସ୍‌ର ଘୋଡ଼ା। ୧୯୭୩ରୁ ୨୦୦୦ ମସିହା ମଧ୍ୟରେ ପ୍ରାୟ ୯୨ଟି ଚଳଚ୍ଚିତ୍ରରେ ରୋମାଣ୍ଟିକ ଅଭିନୟ କରିଥିବା ବେଳେ ନିଜ ପତ୍ନୀ ନିତୁ ସିଂହଙ୍କ ସହ ୧୨ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଅମର ଆକବର ଆନ୍ଥୋନି, ଲୈଲା ମଜ୍‌ନୁ, ରଫୁ ଚକ୍କର, ସରଗମ, କର୍ଜ, ଚା‌ନ୍ଦନୀ, ବୋଲ୍‌ ରାଧା ବୋଲ୍‌ ଭଳି ଚର୍ଚ୍ଚିତ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ସିନେପ୍ରେମୀଙ୍କ ଚମତ୍କୃତ କରିଥିଲା। ପରବର୍ତ୍ତୀ ସମୟରେ ସେ କପୁର ଆଣ୍ଡ୍‌ ସନ୍‌ସ, ଡି-ଡେ, ମୁଲ୍‌କ ଓ ୧୦୨ ନଟଆଉଟ୍ ଭଳି ଚଳଚ୍ଚିତ୍ରରେ ମଧ୍ୟ ନିଜର ପାରଦର୍ଶୀ ଅଭିନୟ ଦେଖାଇ ଦର୍ଶକଙ୍କୁ ଅଭିଭୂତ କଲେ। ଏହି ପରିବର୍ତିତ ମାର୍ଗରେ ବି ରିଷି କପୁର ନିଜକୁ ପ୍ରମାଣିତ କଲେ। ‘ଲକ ବାଏ ଚାନ୍ସ’ରେ ଜଣେ ନିରାଶ ଚଳଚ୍ଚିତ୍ର ନିର୍ମାତା, ‘ଅଗ୍ନିପଥ’ର ରିମେକ୍‌ରେ ରୌଫ ଲାଲା ଓ ‘ମୁଲ୍‌କ’ ରେ ଜଣେ ‌ଶ୍ରେଷ୍ଠ ମୁସଲିମ ଭାବେ ତା‌ଙ୍କ ଅଭିନୟ ଥିଲା ସ୍ବତନ୍ତ୍ର ‌େଶ୍ରଣୀର। ରିଷି କହୁଥିଲେ, ମୁଁ କୌଣସି ହିରୋ ହିରୋଇନଙ୍କ ବାପା ଭୂମିକା ନିଭାଇବାକୁ ଚାହୁଁନାହିଁ। କେହି ମୋର କାନ୍ଧ ଥାପୁଡ଼ାଉ ସେ ଭଳି ଚରିତ୍ର କରିବାକୁ ବି କେବେ ଇଚ୍ଛା ନାହିଁ। ମୁଁ ସବୁବେଳେ ଭିନ୍ନ ଚରିତ୍ର କରିବାକୁ ଚେଷ୍ଟା କରିଛି।

ଚକଲେଟ୍‌ ବୟରୁ ଚରିତ୍ର ଅଭିନେତା
ରାଜ କାପୁରଙ୍କ ‘ମେରା ନାମ୍‌ ଜୋକର’ରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା ରିଷିଙ୍କ କଳାକାର ଜୀବନର ଯାତ୍ରା। ତେବେ ଏଥିରେ ଶିଶୁ କଳାକାର ଭୂମିକାରେ ଅବତୀର୍ଣ୍ଣ ହେବା ପୂର୍ବରୁ ‘ଶ୍ରୀ ୪୨୦’ ଚଳଚ୍ଚିତ୍ରର ପ୍ରସିଦ୍ଧ ଗୀତ ‘ପ୍ୟାର୍‌ ହୁଆ ଇକରାର ହୁଆ…ରେ ରଣଧୀର କପୁର ଓ ରିମା କପୁରଙ୍କ ସାଥିରେ ଚାଲିଚାଲି ଯାଉଥିବାର ଦୃଶ୍ୟରେ ମଧ୍ୟ ଦେଖା ଦେଇଥିଲେ ରିଷି। ଶୁଣାଯାଏ ନର୍ଗିସ ରିଷିଙ୍କୁ ଚକ୍‌ଲେଟ ଦେଇ ଏହି ଦୃଶ୍ୟ ପାଇଁ ସେତେବେଳେ ‌ମନେଇଥିଲେ। ହିନ୍ଦୀ ସିନେମା ପରିବାରରେ ଜନ୍ମିତ ରିଷି ୧୯୭୦ରେ ମେରା ନାମ ଜୋକରରେ ଅଭିନୟ କରି ଫିଲ୍ମ ଫେୟାର ପୁରସ୍କାର ବି ହାସଲ କରିଥିଲେ। ତେବେ ୧୯୭୩ରେ ସ୍ମରଣୀୟ ଚଳଚ୍ଚିତ୍ର ‘ବବି’ରେ ଡିମ୍ପଲ କାପାଡ଼ିଆଙ୍କ ସହ ତାଙ୍କର ଚକଲେଟ ବୟର ଅଭିନୟ ଦର୍ଶକ ମହଲରେ ଲୋକପ୍ରିୟ କରିଦେଲା। ୧୯୭୪ ମସିହାରେ ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ଅର୍ଜନ କଲେ ରିଷି।

ପ୍ରଥମ ନଜ‌ରରେ ପଡ଼ିଥିଲେ ନିତୁଙ୍କ ପ୍ରେମରେ
ନିତୁ ସିଂହ ଓ ରିଷି କପୁରଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ୧୯୭୪ରୁ। ଦୁହେଁ ଯେବେ ପ୍ରଥମଥର ପାଇଁ ‘ଜହରିଲା’ ଚଳଚ୍ଚିତ୍ରରେ ଅଭିନୟ କରୁଥିଲେ ନିତୁଙ୍କୁ ସେତେବେଳେ ୧୪ ବର୍ଷ ହୋଇଥିଲା। ଏହି ଫିଲ୍ମର ସୁଟିଂ ସମୟରେ ନିତୁଙ୍କ ସହ ତାଙ୍କର ଭେଟ ହୋଇଥିଲା ଏବଂ ପ୍ରଥମ ନଜରରେ ନିତୁଙ୍କ ସହ ପ୍ରେମ ହେଇଯାଇଥିଲା। ଏହି ସମୟରେ ତାଙ୍କ ଗାର୍ଲଫ୍ରେଣ୍ଡ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇଯାଇଥିଲା। ତେଣୁ ସେ ବହୁତ ଦୁଃଖୀ ଥିଲେ। ଏହା ପରେ ତାକୁ ମନେଇବା ପାଇଁ ଚେଷ୍ଟା କରିଥିଲେ। ସେତେବେଳେ ନିତୁ ହିଁ ତାଙ୍କୁ ଟେଲିଗ୍ରାମ ଲେଖିବା ପାଇଁ ସହଯୋଗ କରିଥିଲେ। ମାତ୍ର ସମୟ ଗଡ଼ିବା ସହ ସେ ପ୍ରେମିକାକୁ ଛାଡ଼ି ନିତୁଙ୍କୁ ହିଁ ସେଇ ଆସନରେ ବସାଇଥିଲେ। ଜହରିଲା ଫିଲ୍ମ ସୁଟିଂ ପରେ ସେ ଦ୍ବିତୀୟ ପ୍ରୋଜେକ୍ଟ ପାଇଁ ୟୁରୋପ ଯାଇଥିଲେ। କିନ୍ତୁ ନିତୁଙ୍କୁ ସେଠାରେ ବହୁତ ଝୁରୁଥିଲେ। ୟୁରୋପରେ ଥିବା ବେଳେ ନିତୁଙ୍କୁ ଟେଲିଗ୍ରାମ ଲେଖିଥିଲେ ଯେ, ତୁମ ବିନା ମନ ଏଠି ମନ ଲାଗୁନାହିଁ। ଏହାପରେ ୟୁରୋପରୁ‌ ଫେରି ସେ ନିତୁଙ୍କୁ ପ୍ରେମ ବ୍ୟକ୍ତ କରିଥିଲେ। ଫିଲ୍ମ ‘ବବି’ରେ ମଧ୍ୟ ନିତୁ ସିଂ ରିଷି କପୁରଙ୍କ ସହ କାମ କରିବାକୁ ଚାହୁଁଥିଲେ। ମାତ୍ର ରାଜ କପୁର ବବି ଚଳଚ୍ଚିତ୍ର ପାଇଁ ନୂଆ ଚେହେରା ଖୋଜୁଥିବାରୁ ନିତୁଙ୍କୁ ସେ ଚଳଚ୍ଚିତ୍ରରେ ନେଇନଥିଲେ। ନିତୁ ଓ ରିଷି ଏକାଠି ରଫୁ ଚକ୍କର, ଦୁସରା ଆଦମି, କଭି କଭି, ଅମର ଆକବର ଆନ୍ଥୋନି ଭଳି ୧୨ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଳେ। ଶେଷ ପର୍ଯ୍ୟନ୍ତ ଏହି ପ୍ରେମ ଦୃଢ଼ ରହିଥିଲା। ନିତୁ ସବୁବେଳେ ରିଷିଙ୍କ ପାଖେପାଖେ ରହିଥିଲେ।

ରିଷି ବିୟୋଗକୁ ଗ୍ରହଣ କରିହେଉନି: ରାଷ୍ଟ୍ରପତି
ରିଷି କପୁରଙ୍କ ଅକାଳ ବିୟୋଗକୁ ଗ୍ରହଣ କରିହେଉନି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ ସବୁବେଳେ ଜଣେ ଖୁସି ମିଜାଜର ଏଭରଗ୍ରିନ୍‌ ବ୍ୟକ୍ତିତ୍ବ। ସେ ଜୀବନରେ ଏତେ ପରିପୂର୍ଣ୍ଣ ଥିଲେ ଯେ, ସେ ଆଉ ନାହାନ୍ତି ବୋଲି ବିଶ୍ବାସ କରିବା ଖୁବ୍‌ କଷ୍ଟଦାୟକ ହୋଇଛି। ମନୋରଂଜନ ଜଗତ ପାଇଁ ଏକ ବଡ଼ କ୍ଷତି। ଆସନ୍ତୁ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିବା। ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମୋର ସମବେଦନା।
ରିଷି ଥିଲେ ପ୍ରତିଭାର ପାୱାରହାଉସ୍‌: ମୋଦୀ
ଅଭିନେତା ରିଷି କପୁରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏକ ଟ୍ବିଟ୍‌ରେ କହିଛନ୍ତି, ରିଷି କପୁର ଥିଲେ ବହୁମୁଖୀ ପ୍ରତିଭା, ସ୍ନେହପୂର୍ଣ୍ଣ ଏବଂ ସର୍ବଦା ଜୀବନରେ ଭରପୂର। ସେ ପ୍ରତିଭାର ଜଣେ ପାୱାରହାଉସ୍‌ ଥିଲେ। ଆମ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଏପରିକି ସୋସିଆଲ ମିଡିଆରେ ହୋଇଥିବା ଭାବ ବିନିମୟକୁ ବି ମୁଁ ସବୁବେଳେ ମନେ ରଖିବି। ସେ ଚଳଚ୍ଚିତ୍ର ଏବଂ ଭାରତର ପ୍ରଗତି ଦିଗରେ ଖୁବ୍‌ ଆଗ୍ରହୀ ଥିଲେ। ତାଙ୍କ ଦେହାନ୍ତରେ ମୁଁ ଗଭୀର ଭାବେ ମର୍ମାହତ। ଶୋକସନ୍ତପ୍ତ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା।
ଫିଲ୍ମ ଇଣ୍ଡଷ୍ଟ୍ରି ଏକ ରତ୍ନକୁ ହରାଇଲା: ଉପରାଷ୍ଟ୍ରପତି
ରିଷିଙ୍କ ଦେହାନ୍ତ ସହ ଦେଶ ଏକ ପ୍ରିୟ ସନ୍ତାନକୁ ହରାଇଲା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ରତ୍ନକୁ ହରାଇଲା ବୋଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ କହିଛନ୍ତି। ସେ କହିଛନ୍ତି, ରିଷିଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ। ସେ ଜଣେ ଅତ୍ୟନ୍ତ ପ୍ରତିଭାବାନ‌ ଅଭିନେତା । ଅନେକ ଭୂମିକାରେ ତାଙ୍କର ଅଭିନୟ ସର୍ବଦା ସ୍ମରଣୀୟ ରହିବ। ରୋମାଣ୍ଟିକ୍‌ ଫିଲ୍ମ ପାଇଁ ଖୁବ୍‌ ଲୋକପ୍ରିୟ ଥିଲେ।
ଅନ୍ୟଜଣେ କିମ୍ବଦନ୍ତି ଅଭିନେତା ରିଷି କପୁରଙ୍କ ଦେହାନ୍ତ ହେବା ଭାରତୀୟ ସି‌ନେମା ପାଇଁ ଅତି ଦୁଃଖଦ ସପ୍ତାହ। ରିଷି ଜଣେ ଚମତ୍କାର ଅଭିନେତା ଥିଲେ। ପିଢ଼ି ପ‌ରେ ପିଢ଼ି ଧରି ତାଙ୍କର ଅନେକ ପ୍ରଶଂସକ ଥିଲେ। ସବୁଦିନ ପାଇଁ ସେ ସ୍ମରଣୀୟ ହୋଇ ରହିବେ। ଏଭଳି ଶୋକ ସମୟରେ ତାଙ୍କ ପରିବାର ,ବନ୍ଧୁ ଏବଂ ସାରା ବିଶ୍ବରେ ତାଙ୍କ ପ୍ରଶଂସକମାନଙ୍କୁ ମୋର ସମବେଦନା।
ରାହୁଲ ଗାନ୍ଧୀ, କଂ‌ଗ୍ରେସ ନେତା
ରିଷିଙ୍କ ଅକାଳ ବି‌ୟୋଗ ଗଭୀର ଦୁଃଖ ଦେଇଛି। ନିଜ କ୍ୟାରିୟର ମଧ୍ୟରେ ସେ ଅନେକ ଭାରତୀୟ ପିଢ଼ିଙ୍କୁ ମନୋରଂଜନ କରାଇଥିଲେ। ଏହା ବହୁତ ବଡ଼ କ୍ଷତି। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମଦେବନା। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।
ଅରବିନ୍ଦ କେଜ୍ରିୱାଲ୍‌ , ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ପ୍ରତିଷ୍ଠିତ ଏବଂ ବହୁମୁଖୀ ଚଳଚ୍ଚିତ୍ର ଅଭିନେତା ରିଷି କପୁରଙ୍କ ଦେହାନ୍ତରେ ମୁଁ ଗଭୀର ଭାବେ ମର୍ମାହତ। ଜଣେ ଜାତୀୟ ଫିଲ୍ମ ପୁରସ୍କାର ବିଜେତା। ୯୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ନିଜ ଅସୁସ୍ଥତାକୁ ସେ ସମ୍ମାନର ସହ ଗ୍ରହଣ କରିଥିଲେ । ତାଙ୍କ ପରିବାର, ବନ୍ଧୁ, ପ୍ରଶଂସକ ଏବଂ ଚଳଚ୍ଚିତ୍ର ଜଗତ ପ୍ରତି ମୋର ସମବେଦନା।
ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧିତ ଖବର