ଭଗବତ ଗୀତା ଛୁଇଁ ଶପଥ ନିଅନ୍ତି ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନକ

ଲଣ୍ଡନ : ପ୍ରବାସୀ ଭାରତୀୟ ତଥା ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜାମାତା ଋଷି ସୁନକ ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଛନ୍ତି । ତାଙ୍କୁ ବ୍ରିଟେନର ନୂଆ ଚ୍ୟାନସେଲର ଅଫ ଏକ୍ସଚେକର(ରାଜକୋଷ ମୁଖ୍ୟ) ନିଯୁକ୍ତ କରାଯାଇଛି । ଏହି ପଦବୀଟି ଅର୍ଥମନ୍ତ୍ରୀ ସମତୁଲ ଏକ ପଦବୀ । ଏହାକୁ ନେଇ ଭାରତରେ ଆନନ୍ଦ ପ୍ରକାଶ ପାଇଛି । ଏବେ ଆଉ ଏକ କାରଣରୁ ସେ ଚର୍ଚ୍ଚାରେ ଅଛନ୍ତି । ତାହା ହେଉଛି ନିଜର ହିନ୍ଦୁ ପରିଚୟ ଓ ଶ୍ରୀମଦ ଭଗବତ ଗୀତାକୁ ନେଇ ।
କଥା ହେଉଛି ଦୁଇଥର ସାଂସଦ ରହିଥିବା ଋଷି ହିନ୍ଦୁମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ଶ୍ରୀମଦ ଭଗବତ ଗୀତା ଛୁଇଁ ଶପଥ ନେଇଥାନ୍ତି । ଏହାକୁ ନେଇ ବ୍ରିଟେନର କେତେକ ଲୋକ ବିରୋଧ କରିବାପରେ ସେ ନିଜର ପକ୍ଷ ରଖିଛନ୍ତି । ସେ କହିଛନ୍ତି, ” ମୁଁ ବ୍ରିଟିସ ନାଗରିକ, କିନ୍ତୁ ମୁଁ ମଧ୍ୟ ଜଣେ ହିନ୍ଦୁ ଓ ମୋ ସଂସ୍କୃତି ଓ ପରମ୍ପରା ଭାରତୀୟ । ମୁଁ ନିଜର ହିନ୍ଦୁ ପରିଚୟକୁ ନେଇ ଗର୍ବ ଅନୁଭବ କରେ । ଏଣୁ  ଗୀତା ଛୁଇଁ ଶପଥ ନେବା ମୋ ଧାର୍ମିକ ପରମ୍ପରାର ଅଂଶ ।” ଗତ ଡିସେମ୍ବର ମାସରେ ସେ ସାଂସଦ ଭାବେ ଗୀତା ଛୁଇଁ ଶପଥ ନେଇଥିଲେ ।

୩୯ ବର୍ଷୀୟ ଋଷି ହେଉଛନ୍ତି ବ୍ରିଟେନର ରିଚମଣ୍ଡ ୟର୍କସାୟାରର ସାଂସଦ । ସେ ଗତ ୨୦୧୫ରୁ କନଜରଭେଟିଭ ଦଳରୁ ସାଂସଦ ଅଛନ୍ତି । ସେ ନାରାୟଣ ମୂର୍ତ୍ତିଙ୍କ କନ୍ୟା ଅକ୍ଷତା ମୂର୍ତ୍ତିଙ୍କୁ ବିବାଦ କରିଛନ୍ତି । ଗତ ୧୩ ତାରିଖ ଦିନ ବ୍ରିଟେନର ପୂର୍ବତନ ଚ୍ୟାନସେଲର ଅଫ ଏକ୍ସଚେକର ତଥା ପାକିସ୍ତାନି ବଂଶୋଦ୍ଭବ ସାଜିଦ ଜାଭିଦ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଏହି ପଦରେ ନିଯୁକ୍ତ କରିଥିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

ସମ୍ବନ୍ଧିତ ଖବର