ଭାରତ – ବ୍ରିଟେନ ସମ୍ପର୍କ ସୁଦୃଢ଼ ହେବ: ଋଷି

ଲଣ୍ଡନ୍ : ବ୍ରିଟେନ୍‌ରେ ନୂଆ ଇତିହାସ ସୃଷ୍ଟି ହୋଇଛି। ପ୍ରଥମ ଭାରତୀୟ ବଂଶୋଦ୍ଭବଙ୍କ ହାତରେ ପଡିଛି ବ୍ରିଟେନର ଦାୟିତ୍ବ। ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଘୋଷିତ ହୋଇଛନ୍ତି। କନଜେରଭେଟିବ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନି ମୋରଡାଉଣ୍ଟଙ୍କୁ ପଛରେ ପକାଇ  ଋଷି ସୁନକ ବିଜୟ ହାସଲ କରିଛନ୍ତି। ରିଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଛି। ପେନି ଏହା ଜାଣିବା ପରେ ନିଜେ ପ୍ରଧାନମନ୍ତ୍ରୀ ଦୌଡ଼ରୁ ଓହରି ଯାଇଥିଲେ। ଫଳରେ ଋଷିଙ୍କୁ ପ୍ରଧାନମନ୍ତ୍ରୀ ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଘୋଷିତ ହେବା ପରେ ଏହି ଅବସରରେ ସେ କହିଛନ୍ତି ଯେ, ଭାରତ – ବ୍ରିଟେନର ସମ୍ପର୍କ ଅନେକ ଦିନରୁ ରହିଆସିଛି। କିନ୍ତୁ ଏହି ସମ୍ପର୍କକୁ ସେ ପରିବର୍ତ୍ତନ କରିବେ। ଏହି ସମ୍ପର୍କ ଏବେ ଆହୁରି ସୁଦୃଢ଼ ହେବ। ଏଠାରେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସବୁ କ୍ଷେତ୍ରରେ ସୁବିଧା ମିଳିବ। ସେହିପରି ଭାରତରେ ଥିବା ବ୍ରିଟେନର ନଗାରିକମାନେ ବି ସମାନ ସୁବିଧା ପାଇପାରିବେ। ଭାରତ ଓ ବ୍ରଟେନ ମଧ୍ୟରେ ଯେଉଁ ସମ୍ପର୍କ ରହିଛି ତାହାକୁ ପରିବର୍ତ୍ତନ କରିବାକୁ ସେ ଚାହୁଁଛନ୍ତି। ଯାହାକି ଦୁଇଦେଶ ମଧ୍ୟରେ ସବୁ କ୍ଷେତ୍ରରେ ଇତିହାସ ସୃଷ୍ଟି କରିବ। ଏଥିପାଇଁ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ। ଗତ ଅଗଷ୍ଟ ମାସରେ ସେ କନଜେରଭେଟିଭ ପାର୍ଟିରେ ଥିବା ଭାରତୀୟ ବଂଶୋଦ୍ଭବମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ବର୍ତ୍ତମାନ ବ୍ରିଟେନ କଠିନ ଅର୍ଥନୀତି ଦେଇ ଗତି କରୁଛି। ଏହାକୁ ସଜାଡିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ।  ଏହି ଅବସରରେ କନଜେରଭେଟିଭ ଫ୍ରେଣ୍ଡସ ଅଫ ଇଣ୍ଡିଆ (ସିଏଫଆଇଏନ) ପକ୍ଷରୁ ଉତ୍ତର ଲଣ୍ଡନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସମସ୍ତେ ସମସ୍ତଙ୍କୁ ଭାରତୀୟ ଶୁଭେଚ୍ଛା ଶୈଳୀରେ ନମସ୍ତେ, ସଲାମ, ଖେମଚୋ ଏବଂ କିଦା ଆଦି ଶବ୍ଦ ପ୍ରୟୋଗ କରି ପରସ୍ପରକୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଥିଲା। କେତେ ଜଣ ବି ହିନ୍ଦୀରେ ଶୁଭେଚ୍ଛା ଜଣାଇଥିଲେ।

ସୂଚନା ଯୋଗ୍ୟ ଯେ, ଭାରତୀୟ ବଂଶୋଦ୍ଭବ ଋଷିସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଘୋଷଣା ପରେ  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବ୍ରିଟେନରେ ଯାହା ୨୦୦ବର୍ଷ ହେଲା ହୋଇନଥିଲା ୪୨ ବର୍ଷୀୟ ଋଷି ସୁନକ ତାହା କରି ଦେଖାଇଦେବା ଭାରତ ପାଇଁ ଗୌରବର ବିଷୟ। ବ୍ରିଟେନରେ ପ୍ରଥମ ହିନ୍ଦୁ ତଥା ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ହେବା ଆମ ପାଇଁ ଏକ ଇତିହାସ। ଭାରତ ଓ ବ୍ରିଟେନ ମଧ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ସମ୍ପର୍କ ସୁଦୃଢ଼ ହେବ। ରୋଡମ୍ୟାପ – ୨୦୩୦ ସଂକ୍ରାନ୍ତରେ ମଧ୍ୟ ମୋଦି ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି। ବିଶ୍ବସ୍ତରୀୟ ଘଟଣାଗୁଡିକୁ ଦୁଇଦେଶ ମିଳିତ ଭାବେ କାର୍ଯ୍ୟକାରୀ କରିବାର ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ ଯୋଗେ ଜଣାଇଛନ୍ତି। ସେହିପରି ଭାରତର କଂଗ୍ରେସ ନେତା ପି.ଚିଦାମ୍ବରମ, ବିଜେପି ନେତ୍ରୀ ନିର୍ମଳା ସୀତାରମଣ, କଂଗ୍ରେସ ନେତା ଶଶି ଥରୁର, ଆମ ଆଦମି ପାର୍ଟିର ସାଂସଦ ରାଘବ ଚଢ଼ା ବି ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ, ୪୫ ଦିନ ପର୍ଯ୍ୟନ୍ତ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍‌ ଟ୍ରସ୍‌ ଇସ୍ତଫା ଦେବା ପରେ ପୁଣି ଥରେ ନିର୍ବାଚନ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ରିଷି ସୁନକଙ୍କ ସ୍ଥିତି ମଜବୁତ ଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାହାରି ଯିବା ପରେ ଏକ ପ୍ରକାର ନିର୍ଦ୍ଧାରିତ ହୋଇଯାଇଥିଲା ଯେ, ଋଷି ସୁନକ ବ୍ରିଟେନ୍‌ର ଆଗାମି ପ୍ରଧାନମନ୍ତ୍ରୀ ହୋଇପାରନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଋଷି ସୁନକ ଆସନ୍ତା ୨୮ ତାରିଖରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର