ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଉ ପାଦେ ଆଗେଇଲେ ଋଷି ସୁନକ୍

ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଉ ପାଦେ ଆଗେଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ । କଂଜରଭେଟିଭ ପାର୍ଟି ନେତା ଚୟନ ପାଇଁ ହୋଇଥିବା ୪ର୍ଥ ରାଉଣ୍ଡ ଭୋଟିଂରେ ସେ ପୁଣି ଥରେ ସର୍ବାଧିକ ଭୋଟ ପାଇଛନ୍ତି । ଏବେ ପ୍ରଧାନମନ୍ତ୍ରୀ ଦୌଡ଼ରେ ମାତ୍ର ୩ ଜଣ ପ୍ରାର୍ଥୀ ରହିଛନ୍ତି ।

୪ର୍ଥ ରାଉଣ୍ଡରେ ସୁନକ ୧୧୮ଟି ଭୋଟ ପାଇଥିବାବେଳେ ବାଣିଜ୍ୟ ମନ୍ତ୍ରୀ ପେନି ମୋରଡଣ୍ଟଙ୍କୁ ୯୨ଟି ଭୋଟ ମିଳିଛି । ବୈଦେଶିକ ମନ୍ତ୍ରୀ ଲିଜ୍ ଟ୍ରସଙ୍କୁ ୮୬ଟି ଭୋଟ ମିଳିଛି । ଏହି ରାଉଣ୍ଡରେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ଆଉଜଣେ ପ୍ରାର୍ଥୀ କେମି ବେଡେନକ ବାଦ ପଡ଼ିଛନ୍ତି ।

ତେବେ ସୁନକ ଯଦି ଆଉ ୨ଟି ଅଧିକ ଭୋଟ ପାଇଥାନ୍ତେ ଅର୍ଥାତ ୧୨୦ଟି ଭୋଟ ପାଇଥାନ୍ତେ, ତେବେ ପ୍ରଧାନମନ୍ତ୍ରୀ ପଦପାଇଁ ତାଙ୍କର ଦାବିଦାରୀ ନିଶ୍ଚିତ ହୋଇଯାଇଥାନ୍ତା । କାରଣ ୧୨୦ଟି ସମର୍ଥନର ଅର୍ଥ ହେଉଛି ଏକ ତୃତୀୟାଂଶ କଂଜରଭେଟିଭ ପାର୍ଟି ସାଂସଦଙ୍କ ସମର୍ଥନ ହାସଲ କରିବା ।

ପୂର୍ବ ୩ଟି ରାଉଣ୍ଡରେ ବି ସୁନକ ସବୁଠାରୁ ଅଧିକ ଭୋଟ ପାଇ ଆଗୁଆ ରହିଥିଲେ । ଋଷି ସୁନକଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା, ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ଋଷିଙ୍କ ଆଉ ଏକ ପରିଚୟ ହେଉଛି ସେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜାମାତା ।

ସମ୍ବନ୍ଧିତ ଖବର