୧୯୭୩ରେ ଖ୍ବାଜା ଅହମଦ ଆବାସଙ୍କ ଦ୍ବାରା ଲିଖିତ ଓ ରାଜ କପୁରଙ୍କ ନିର୍ଦେଶିତ ‘ବବି’ ଥିଲା ରିଷିଙ୍କ ପ୍ରଥମ ରୋମାଣ୍ଟିକ୍ ହିଟ୍‌ ସିନେମା। ଏହା ରିଷିଙ୍କୁ ଏକ ରୋମାଣ୍ଟିକ ହିରୋର ପରିଚୟ ଦେଇଥିଲା। ୧୯୭୫ରେ ରବି ଟଣ୍ଡନଙ୍କ ନିର୍ଦେଶନାରେ ରିଷି କପୁର ‘ଖେଲ୍ ଖେଲ୍ ମେଁ’ ଚଳଚ୍ଚିତ୍ରରେ ଜଣେ କଲେଜ ଛାତ୍ର ଭୂମିକାରେ ଅଭିନୟ କରିଥିଲେ। ଏହା ବିପୁଳ ଲୋକପ୍ରିୟତା ହାସଲ କଲା। ୧୯୮୦ରେ ସୁଭାଷ ଘାଇଙ୍କ ମ୍ୟୁଜିକାଲ୍‌ ଥ୍ରିଲର ‘କର୍ଜ’ରେ ବି ରିଷି ଚମତ୍କାର ଅଭିନୟ କରିଥିଲେ। ଏହା ସୁପରହିଟ୍‌ ହେବା ସହ ଆଜି ବି ଏହାର ଗୀତ ଜିଭ ଅଗକୁ ଆସିଲେ ରିଷି ମନେ ପଡ଼ିଯାଆନ୍ତି। ୧୯୭୬ରେ ମୁକ୍ତିଲାଭ କରିଥିବା ୟଶ ଚୋପ୍ରାଙ୍କ ‘କଭି କଭି’ରେ ଅମିତାଭ ବଚ୍ଚନ, ରାକ୍ଷୀ, ଶଶି କପୁର, ୱାହିଦା ରେହମାନଙ୍କ ସମେତ ରିଷି କପୁର ଓ ନିତୁଙ୍କୁ ଦେଖିବାକୁ ମିଳିଥିଲା। ରିଷିଙ୍କର ଆଉ ଏକ ଚଳଚ୍ଚିତ୍ର ‘ଲୈଲା ମଜନୁ’ ଦେଖିବାକୁ ହଲ୍‌ ବାହାରେ ଲମ୍ବା ଲାଇନ୍‌ ଲାଗୁଥିଲା। ୧୯୭୭ରେ ଆସିଥିବା ‘ଅମର ଆକବର ଆନ୍ଥୋନି’ରେ ଅମିତାଭ ବଚ୍ଚନ, ରିଷି ଓ ବିନୋଦ ଖାନ୍ନାଙ୍କୁ କମାଲ କରିଥିଲେ। ୧୯୮୨ରେ ରିଷି ଓ ପଦ୍ମିନୀ କୋହ୍ଲାପୁ‌ରେଙ୍କ ଅଭିନୀତ ଚଳଚ୍ଚିତ୍ର ‘ପ୍ରେମ ରୋଗ’ରେ ମଧ୍ୟ ରିଷିଙ୍କୁ ଚର୍ଚ୍ଚାରେ ରଖିଥିଲା। ୧୯୮୬ରେ ରିଷି ଓ ଶ୍ରୀଦେବୀଙ୍କ ଚଳଚ୍ଚିତ୍ର ‘ନାଗିନା’ ବ୍ଲକବଷ୍ଟର ହୋଇଥିଲା। ୨୦୧୨ରେ ନିର୍ମିତ ‘ଅଗ୍ନିପଥ’ରେ ରିଷିଙ୍କ ରୌଫ ଲାଲା ଭୂମିକାରେ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଏହା ବ୍ୟତୀତ ୨୦୧୬ରେ ନିର୍ମିତ ‘କପୁର ଆଣ୍ଡ ସନ୍‌ସ’ରେ ରିଷିଙ୍କ ନଟଖଟ ଅଭିନୟ ଦର୍ଶକଙ୍କୁ ରୋଚକ ଅନୁଭବ ଦେଇଥିଲା।

Advertisment

ରିଷିଙ୍କ କିଛି ସ୍ମରଣୀୟ ସଂଳାପ
ତୁ ସାଥ୍‌ ହୋକର ଭି ସାଥ୍‌ ନେହି ହୋତା, ଅବ ତୋ ରାହତ ମେଁ ଭି ରାହତ ନେହିଁ ହୋତି...
ଜାନେ‌ ସେ ପେହଲେ, ଏକ ଆଖ୍‌ରି ବାର ମିଲ୍‌ନା କ୍ୟୁଁ ଜରୁରି ହୋତା ହୈ...
ପ୍ୟାର୍‌ କର୍‌ନେ ୱାଲେ ଐତବାର କା ସାର୍ଟିଫିକେଟ ନେହିଁ ମାଁଗ୍‌ତେ..
ମେଁ ମର୍‌ କର ଭି ନା ମର୍‌ ସକା, ଔର ନା ହି ଜିକର ଜି ସକ୍‌ତା ହୁଁ..
ଭାଇସାବ୍‌ ପାୱାର ୟା ବେଶୁହମାର ପୈସା, ଇନ ଦୋନୋ ମେଁ ସେ ମୁଝେ ଏକ ତୋ ଚାହିୟେ..

ଶେଷ ଟ୍ବିଟ୍‌: ଆମକୁ କରୋନା ଯୁଦ୍ଧ ଏକାଠି ଜିତିବାକୁ ହେବ
ରିଷି କପୁର ନିଜେ ମୃତ୍ୟୁ ସହ ଲଢ଼ୁଥିଲ ସତ, କିନ୍ତୁ ତାଙ୍କ ମନୋବଳ ବହୁତ ସୁଦୃଢ଼ ଥିଲା। ଟ୍ବିଟର୍‌ରେ ସବୁବେଳେ ସକ୍ରିୟ ରହୁଥିବା ରିଷି ନିକଟରେ ଗତ ଏପ୍ରିଲ ୨ ତାରିଖରେ ତାଙ୍କର ଶେଷ ଟ୍ବିଟ୍‌ କରିଥିଲେ। ଏହି ଶେଷ ଟ୍ବିଟ୍‌ ମାଧ୍ୟମରେ ରିଷି ଦେଶପାଇଁ ଏକ ବଡ଼ ବାର୍ତ୍ତା ରଖିଥିଲେ। ରିଷି ତାଙ୍କର ଶେଷ ଟ୍ବିଟ୍‌ରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ ନ କରିବାପାଇଁ ଅନୁରୋଧ କରିଥିଲେ। ରିଷି କହିଥିଲେ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୁଁ ହାତଯୋଡ଼ି ଅନୁରୋଧ କରୁଛି। ଜୀବନକୁ ବାଜି ଲଗାଇ ଯେଉଁ ଡାକ୍ତର, ନର୍ସ‌୍, ପୁଲିସ କର୍ମୀମାନେ ସେବାରେ ନିୟୋଜିତ ହୋଇଛନ୍ତି ସେମାନଙ୍କ ଉପରକୁ ଆକ୍ରମଣ କରନାହିଁ। ଆମକୁ ଏହି କରୋନା ଯୁଦ୍ଧ ଏକାଠି ଜିତିବାକୁ ହେବ ବୋଲି ରିଷି କହିଥିଲେ।

ଲୁହରେ ନୁହେଁ, ହସରେ ରିଷିଙ୍କୁ ମନେ ପକାଇବା
ଦୁଇ ବର୍ଷ କାଳ ରକ୍ତ କର୍କଟରେ ପୀଡ଼ିତ ଥିଲେ ବି ରିଷି ସବୁବେଳେ ଖୁସି ରହୁଥିଲେ ଏବଂ ପୂର୍ଣ୍ଣ ଭାବେ ବଞ୍ଚିବାପାଇଁ ସଙ୍କଳ୍ପବଦ୍ଧ ଥିଲେ। ତାଙ୍କ ପରିବାର ପକ୍ଷରୁ ଏକ ଭାବପୂର୍ଣ୍ଣ ବିବୃତିରେ ଏହା କୁହାଯାଇଛି ଯେ, ରିଷିଙ୍କୁ ଦୁଃଖରେ ନୁହେଁ, ବରଂ ତାଙ୍କୁ ଖୁସିରେ ମନେ ରଖିବା। ରିଷି ହସ୍ପିଟାଲ୍‌ରେ ତାଙ୍କ ଶେଷ ସମୟ ପର୍ଯ୍ୟନ୍ତ ବି ଡାକ୍ତର ଏବଂ ଅନ୍ୟ ଷ୍ଟାଫ୍‌ମାନଙ୍କୁ ଖୁବ୍‌ ହସାଉଥିଲେ। ସବୁବେଳେ ସେ ଖୁସି ରହୁଥିଲେ। ବନ୍ଧୁ, ପରିବାର, ଖାଦ୍ୟ ଏବଂ ଫିଲ୍ମ ତାଙ୍କ ଫୋକସ୍‌ରେ ଥିଲା। ଯେଉଁମାନେ ବି ତାଙ୍କ ସହ ସାକ୍ଷାତ କରୁଥିଲେ ସେମାନେ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ‌ଯେ, ରିଷି କିଭଳି ଅସୁସ୍ଥତା ସତ୍ତ୍ବେ ଏତେ ଖୁସି ରହି ପାରୁଛନ୍ତି। ବିଶ୍ବବ୍ୟାପୀ ତାଙ୍କ ଫ୍ୟାନ୍‌ମାନଙ୍କଠାରୁ ଯେଉଁ ଭଲପାଇବା ସେ ପାଇଥିଲେ ସେଥିପାଇଁ ସେ କୃତଜ୍ଞ ଥିଲେ। ତେଣୁ ତାଙ୍କ ବି‌ୟୋଗରେ ତାଙ୍କ ପାଇଁ ନ କାନ୍ଦି ହସି ହସି ତାଙ୍କୁ ମନେ ରଖିବା। ଆମର ଏଭଳି ବ୍ୟକ୍ତିଗତ କ୍ଷତି ସମୟରେ ସାରା ବିଶ୍ବ ବି ଏବେ ଖୁବ୍‌ କଷ୍ଟଦାୟକ ସମୟ ଦେଇ ଗତି କରୁଛି। ଏବେ ମହାମାରୀ ସମୟରେ ଅନେକ କଟକଣା ଜାରି ରହିଛି। ତେଣୁ ସମସ୍ତ ଶୁଭେଚ୍ଛୁ, ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ଆମେ ଆଇନକୁ ସମ୍ମାନ ଦେବାପାଇଁ ଅନୁରୋଧ କରୁଛୁ ବୋଲି ପରିବାର ସଦସ୍ୟ କହିଛନ୍ତି।

ପୁରସ୍କାର ଓ ସମ୍ବର୍ଦ୍ଧନା
ରିଷି କପୁର କେବଳ ଜଣେ ଅଭିନେତା ଭାବେ ପ୍ରସିଦ୍ଧି ଅର୍ଜନ କରି ନଥିଲେ, ବରଂ ନିର୍ଦ୍ଦେଶନା ଓ ପ୍ରଯୋଜନା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା। ଅଭିନୟ ପାଇଁ ସେ ଅନେକ ପୁରସ୍କାର ଓ ସମ୍ବର୍ଦ୍ଧନା ଲାଭ କରିଛନ୍ତି। ୧୯୭୦ରେ ‘ମେରା ନାମ୍‌ ଜୋକର’ ଚଳଚ୍ଚିତ୍ର ପାଇଁ ରିଷି କପୁରଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ଭାବେ ଜାତୀୟ ପୁରସ୍କାର ମିଳିଥିଲା। ଏହାପରେ ସେ ଅନେକ ପୁରସ୍କାର ସାଉଁଟିବାରେ ସଫଳ ହୋଇଛନ୍ତି। ୧୯୭୪ରେ ‘ବବି’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ। ଅଭିନୟ ଜୀବନର ପଚିଶ ବର୍ଷ ପୂର୍ତ୍ତି ଅବସରରେ ୧୯୯୮ରେ ସ୍ବତନ୍ତ୍ର ଫିଲ୍ମଫେୟାର ଆୱାର୍ଡ, ୨୦୦୮ ମସିହାରେ ଫିଲ୍ମଫେୟାର ‘ଜୀବନବ୍ୟାପୀ ଅବଦାନ’ ସମ୍ମାନ ପାଇଥିଲେ। ୨୦୧୧ରେ ସେ ‘ଦୋ ଦୁନେ ଚାର୍‌’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମଫେୟାର କ୍ରିଟିକ୍‌ ଆୱାର୍ଡ ପାଇଥିଲେ। ୨୦୧୪ରେ ‘ଔରଙ୍ଗଜେବ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଖଳନାୟକ ଭାବେ ଆଇଫା ଆୱାର୍ଡ ପାଇଥିଳେ। ୨୦୧୭ରେ ‘କପୁର ଆଣ୍ଡ ସନ୍‌ସ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ଭାବେ ଜି ସିନେ ଆୱାର୍ଡ ଏବଂ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇଥିଲେ।