ବଢ଼ୁଛି ବାଘ ମୃତ୍ୟୁ : ୨୦୧୯ରେ ମରିଛନ୍ତି ୧୧୦ ବାଘ

୪୯୧ ଚିତା‌ବାଘ ବି ମରିଛନ୍ତି

ନାଗପୁର : ୨୦୧୯ ବର୍ଷରେ ଦେଶ ୧୧୦ ବାଘ ଏବଂ ୪୯୧ ଚିତାବାଘଙ୍କୁ ହରାଇଛି। ୧୧୦ ବାଘଙ୍କ ମଧ୍ୟରୁ ପ୍ରାୟ ୩୮ଟି ବାଘ ଶିକାର କରାଯାଇଛି। ୨୦୧୮ ତୁଳନାରେ ୨୦୧୯ରେ ବାଘ ଶିକାର ବୃଦ୍ଧି ପାଇଛି। ୨୦୧୮ରେ ୩୪ ବାଘ ଶିକାର କରାଯାଇଥିଲା। ତେବେ ୨୦୧୮ ତୁଳନାରେ ୨୦୧୯ରେ ଚିତାବାଘଙ୍କ ମୃତ୍ୟୁ ସଂଖ୍ୟା କମିଛି। ୨୦୧୮ରେ ୫୦୦ ଚିତାବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯ରେ ୪୯୧ ଚିତାବାଘଙ୍କ ମୃତ୍ୟୁ ହୋଇଛି। ଏନ୍‌ଜିଓ ଡବ୍ଲ୍ୟୁପିଏସ୍‌ଆଇ (ଭାରତର ବନ୍ୟଜନ୍ତୁ ସୁରକ୍ଷା ସମାଜ) ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ୨୦୧୮ରେ ସମୁଦାୟ ୧୦୪ ବାଘଙ୍କ ମୃତ୍ୟୁ ହୋଇଥିଲା।‌ ତେଣୁ ଚଳିତ ବର୍ଷ ଏହା ବୃଦ୍ଧି ପାଇଛି। ବାଘ ମୃତ୍ୟୁ କ୍ଷେତ୍ରରେ ମଧ୍ୟପ୍ରଦେଶ ତାଲିକାର ସବୁଠୁ ଆଗରେ ରହିଛି। ମଧ୍ୟପ୍ରଦେଶରେ ୨୦୧୯ରେ ୨୯ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୨, କର୍ଣ୍ଣାଟକ‌ରେ ୧୨, ଉତ୍ତରାଖଣ୍ଡରେ ୧୨, ଉତ୍ତରପ୍ରଦେଶର ୬, ରାଜସ୍ଥାନରେ ୩ ଏବଂ କେରଳରେ ୩ ବାଘଙ୍କ ମୃତ୍ୟୁ ‌ହୋଇଛି।

ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡରେ ବାଘମୃତ୍ୟୁ ସଂଖ୍ୟା ୨୦୧୮ ତୁଳନାରେ ବଢ଼ିଥିବା ବେଳେ କର୍ଣ୍ଣାଟକ, ରାଜସ୍ଥାନ ଏବଂ କେରଳରେ କମିଛି। ୨୦୧୯ରେ ମୃତ୍ୟୁ ହୋଇଥିବା ୧୧୦ ବାଘଙ୍କ ମଧ୍ୟରୁ ୩୮ଟି ବାଘକୁ ଶିକାର କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ବାଘ ଶରୀରର ବିଭିନ୍ନ ଅଂଶ ପାଇଁ ଏହାକୁ ଶିକାର କରାଯାଇଥିଲା। ୨ଟି ବାଘଙ୍କ ସ୍ବାଭାବିକ ମୃତ୍ୟୁ ହୋଇଥିଲା ଏବଂ ୩୬ ବାଘ ସହ ସଂଘର୍ଷରେ ମୃତ୍ୟୁର ଶିକାର ହୋଇଥିଲେ। ସଡ଼କ ଦୁର୍ଘଟଣାରେ ୩ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣଙ୍କର ଉଦ୍ଧାର ସମୟରେ ମୃତ୍ୟୁ ହୋଇଥିଲା। ତେବେ ଏନ୍‌ଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ) ତଥ୍ୟ ଠାରୁ ଏହା ଭିନ୍ନ ରହିଛି। ଏନ୍‌ଟିସିଏ ତଥ୍ୟ ଅନୁଯାୟୀ ୨୦୧୯ରେ ୯୨ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ୧୦୨ ବାଘଙ୍କ ମୃତ୍ୟୁ ‌ହୋଇଥିଲା।

ସମ୍ବନ୍ଧିତ ଖବର