ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ସମଗ୍ର ଉତ୍ତର ଭାରତ ବେହାଲ ଥିବା ବେଳେ ଏବେ ରାଜଧାନୀ ଦିଲ୍ଳୀ ପାଇଁ ବିପଦ ସୃଷ୍ଟି କରିଛି ଯମୁନା ନଦୀ। ନଦୀ ପାଣି ଉଛୁଳି ଏବେ ଦିଲ୍ଳୀର ତଳିଆ ଅଞ୍ଚଳରେ ପଶିବା ଆରମ୍ଭ କରିଛି। ବୁଧବାର ସନ୍ଧ୍ୟାରେ ଉତ୍ତରଦିଲ୍ଲୀର ରିଙ୍ଗରୋଡ୍ ଉପରେ ପ୍ରବାହିତ ହେଉଛି। ଫଳରେ ଟ୍ରାଫିକ୍ ଜାମ୍ ହେବା ସହ ବହୁ ଅଞ୍ଚଳ ଜଳବନ୍ଦୀ ହୋଇଗଲାଣି।
ଦିଲ୍ଲୀରେ ମୌସୁମୀ ବର୍ଷା ୪୫ ବର୍ଷର ରେକର୍ଡ ଭାଙ୍ଗିଛି। ଯମୁନା ନଦୀର ଜଳସ୍ତର ବିପଦ ସଂକେତ ଡେଇଁ ୪୫ ବର୍ଷ ଭିତରେ ସର୍ବାଧିକ ଉଚ୍ଚତାରେ ପହଞ୍ଚିଛି। ନଦୀ ଉଛୁଳି ରାସ୍ତାଘାଟ, ବଜାର ଓ ଲୋକଙ୍କ ଘରଦ୍ବାର ବୁଡ଼ାଇଲାଣି। ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍ଡିଆର୍ଏଫ୍)କୁ ସତର୍କ ରହିବାକୁ କହିଛନ୍ତି। ବୁଡ଼ି ଅଞ୍ଚଳର ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ସ୍କୁଲଗୁଡ଼ିକୁ ରିଲିଫ ଶିବିରରେ ପରିଣତ କରିବା ପାଇଁ ପରାମର୍ଶ ଦେଇଛନ୍ତି। କାହାକୁ ଅପେକ୍ଷା ନ କରି ନିରାପଦ ସ୍ଥାନକୁ ପଳାଇବା ପାଇଁ ସେ ଲୋକମାନଙ୍କୁ ମଧ୍ୟ ଆହ୍ବାନ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ବୁଧବାର ଯମୁନା ଜଳସ୍ତର ୨୦୭.୭୧ ମିଟରରେ ପହଞ୍ଚିଛି, ଯାହା ୧୯୭୮ର ରେକର୍ଡ (୨୦୭.୪୯ ମିଟର)କୁ ଭାଙ୍ଗିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଜରୁରିକାଳୀନ ବୈଠକ ଡକାଇଥିଲେ ଏବଂ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଘରଦ୍ବାର ଓ ବଜାରଘାଟରେ ନଈପାଣି ପଶିବା ପରେ ବର୍ତ୍ତମାନ ସୁଦ୍ଧା ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି। ଆଉ ଦୁଇଦିନ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାଫଳରେ ନଦୀ ଜଳ ଆହୁରି ଫୁଲିବା ଆଶଙ୍କା କରାଯାଉଛି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି କେଜ୍ରିୱାଲ ଯମୁନା ଜଳସ୍ତରର ନିୟନ୍ତ୍ରଣ ପାଇଁ ହରିୟାଣାର ହାଥନିକୁଣ୍ଡ ବ୍ୟାରେଜରୁ କମ୍ ଜଳ ଛାଡ଼ିବା ପାଇଁ ଅନୁରୋଧ କରିଛନ୍ତି। ଆଗାମୀ ଦିନରେ ଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ କରିବାକୁ ଯାଉଛି। ଏହି ଅବସରରେ ଦିଲ୍ଲୀ ଯଦି ବନ୍ୟାଜଳରେ ବୁଡ଼ିଯାଏ, ତେବେ ଏହା ବିଶ୍ବକୁ ଖରାପ ବାର୍ତ୍ତା ଦେବ ବୋଲି ସେ କହିଛନ୍ତି। ତେବେ ଦିଲ୍ଲୀରେ ଏଭଳି ବନ୍ୟା ନୂଆକଥା ନୁହେଁ। ୧୯୨୪, ୧୯୭୭, ୧୯୭୮, ୧୯୯୫, ୨୦୧୦ ଓ ୨୦୧୩ରେ ମଧ୍ୟ ଏଭଳି ବନ୍ୟା ହୋଇଥିଲା। ଇତିମଧ୍ୟରେ ଦିଲ୍ଲୀ ଟ୍ରାଫିକ୍ ପୁଲିସ ଟ୍ବିଟ୍ କରି ଜଣାଇଛି ଯେ ଯମୁନା ଜଳ ଉଛୁଳିବା ଯୋଗୁ ମୋନାଷ୍ଟେରୀ ଓ ଆଇଏସ୍ବିଟି, କାଶ୍ମୀର ଗେଟ୍ ମଧ୍ୟରେ ରିଙ୍ଗ୍ରୋଡ୍ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ତେଣୁ ଏହି ପଥ ଦେଇ ଲୋକମାନଙ୍କୁ ନ ଯିବା ପାଇଁ ଟ୍ରାଫିକ୍ ପୁଲିସ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ୪୭ କିମି ରିଙ୍ଗ୍ରୋଡ୍ ଦିଲ୍ଲୀର ରୋହିଣୀ, ଆଇଆଇଟି ଫ୍ଲାଇଓଭର ଓ କାଶ୍ମିୟର ଗେଟ୍ସ୍ଥିତ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ପ୍ରଭୃତିକୁ ସଂଯୋଗ କରୁଥିବା ଗୁରୁତ୍ବପୂର୍ଣ୍ଣ ରାସ୍ତା। ବର୍ତ୍ତମାନ ଯମୁନା ନଦୀରେ ବନ୍ୟା ଆସିବା ଓ ନଦୀ ଉଛୁଳିବା ଯୋଗୁ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ଓ ବିପଦସଂକୁଳ ହୋଇପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/s65f4h65hf4sf6hfhsfsh.jpg)