ୱାଶିଂଟନ : ନୂତନ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ମଣିଷଠୁ ପଶୁ ସଂକ୍ରମିତ ହେବା ପରେ ନୂଆ ସାର୍ସ-କୋଭ୍-୨ ଭାରିଆଣ୍ଟର ଉଦ୍ଭବ ହୋଇପାରେ। ବିରାଡ଼ି, କୁକୁର, ଫେରିଟ (ନେଉଳ ପରି ପ୍ରାଣୀ ବିଶେଷ) ଓ ହାମଷ୍ଟର (ମୂଷା ପରି ପ୍ରାଣୀ ବିଶେଷ) ସଂକ୍ରମିତ ହେବା ପରେ ସେମାନଙ୍କଠାରେ ଭୂତାଣୁର କେଉଁ ପ୍ରକାର ମ୍ୟୁଟେସନ ରହିଛି ତାହା ଜାଣିବା ପାଇଁ ଏକ ବୈଜ୍ଞାନିକ ଦଳ ଗବେଷଣା କରିଥିଲେ। ଏହି ଅନୁଧ୍ୟାନର ରିପୋର୍ଟ ନ୍ୟାସନାଲ ଏକାଡେମି ଅଫ୍ ସାଇନ୍ସେସ୍ର ପତ୍ରିକା ପିଏନ୍ଏଏସ୍ରେ ପ୍ରକାଶ ପାଇଛି।
ବିଭିନ୍ନ ପ୍ରକାର ବନ୍ୟ, ଚିଡ଼ିଆଖାନା ଓ ଗୃହପାଳିତ ପ୍ରାଣୀଙ୍କଠାରେ କୋଭିଡ୍-୧୯ ଭୂତାଣୁ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି। ଏଥରୁ ମଣିଷରୁ ପ୍ରାଣୀଙ୍କଠାରେ ଏହି ଭୂତାଣୁ ବ୍ୟାପିପାରେ ବୋଲି ସ୍ପଷ୍ଟ ହୋଇଛି, ଯାହା ଅଧିକାଂଶ କ୍ଷେତ୍ରରେ ଦେଖାଯାଇ ନ ଥାଏ। ଅନୁଧ୍ୟାନର ଅନ୍ୟତମ ଲେଖକ ଲରା ବାସୋର କହିଛନ୍ତି, ସାର୍ସ-କୋଭ୍-୨ର ଅନେକ ପ୍ରଜାତି ଅଛନ୍ତି। ସାଧାରଣତଃ ଅନେକ ଭୂତାଣୁ ଅନ୍ୟ ପ୍ରଜାତିଠାରେ ସଂକ୍ରମିତ ହୁଅନ୍ତି ନାହିଁ। ସେମାନେ ନିର୍ଦ୍ଦିଷ୍ଟ ପ୍ରାଣୀ ବା ମନୁଷ୍ୟଠାରେ ସଂକ୍ରମିତ ହେବା ପାଇଁ ସୃଷ୍ଟି ହୋଇଥାନ୍ତି। ଅନ୍ୟତମ ଲେଖକ ଏରିକ୍ ଗଗ୍ନି କହିଛନ୍ତି, ମଣିଷ ଅନେକ ପ୍ରାଣୀଙ୍କ ସଂସ୍ପର୍ଶରେ ଆସେ। କିନ୍ତୁ ମଣିଷଠାରୁ ସବୁ ଭୂତାଣୁ ପ୍ରାଣୀଙ୍କୁ ସଂକ୍ରମିତ ହୁଅନ୍ତି ନାହିଁ। ଗବେଷକମାନେ ବିରାଡ଼ିଠାରେ ସଂକ୍ରମିତ ହୋଇଥିବା କୋଭିଡ୍ ଭୂତାଣୁର ଜିନୋମ୍ ସିକ୍ବେନ୍ସିଂ କରିଥିଲେ। ବାସୋର କହିଛନ୍ତି, ଏହି ଜିନୋମ୍ ସିକ୍ବେନ୍ସରେ ସେମାନେ ଅନେକ ପ୍ରକାର ଭାରିଆଣ୍ଟ ଦେଖିଥିଲେ। ସେମାନଙ୍କର ଅନେକ ପ୍ରକାର ମ୍ୟୁଟେସନ ହୋଇଛି। ବାସ୍କୋ-ଲଥ ଓ ବୋଏନ ମଣିଷଠାରୁ ସଂଗୃହୀତ ସାର୍ସ-କୋଭ୍-୨ର ନମୁନା ବିଜ୍ଞାନାଗାରରେ ବିକଶିତ କୋଷଗୁଡ଼ିକରେ ବଢ଼ାଇଥିଲେ। ସେଥିରୁ ଅନେକ ପ୍ରକାର ମ୍ୟୁଟେସନ ହେଲା। ତା’ପରେ ଏହି ଭୂତାଣୁକୁ ଚାରୋଟି ଗୃହପାଳିତ ପ୍ରାଣୀଠାରେ ପ୍ରୟୋଗ କରାଗଲା। ତା’ପରେ ତାଙ୍କ ନାକର ତରଳପଦାର୍ଥରୁ ଭୂତାଣୁଙ୍କ ନମୁନା ସଂଗ୍ରହ କରାଗଲା। ଦେଖାଗଲା ସେଲ୍ କଲ୍ଚର ଭାରିଆଣ୍ଟଗୁଡ଼ିକ ପୁଣି ପୂର୍ବ ଅବସ୍ଥାକୁ ଫେରିଯାଇଛନ୍ତି, ଯାହା ମଣିଷଙ୍କଠାରୁ ସଂଗ୍ରହ କରାଯାଇଥିଲା।
ବିରାଡ଼ିଠାରୁ ମଣିଷକୁ କୋଭିଡ୍-୧୯ ସଂକ୍ରମିତ ହେବାର କୌଣସି ଦୃଷ୍ଟାନ୍ତ ଏପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ ମଣିଷଠାରୁ ବିରାଡ଼ି ସବୁ ପ୍ରକାର ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହେବାର ପ୍ରମାଣ ମିଳିଛି। ତେଣୁ ମଣିଷ ଓ ପ୍ରାଣୀଙ୍କ ପାଇଁ ସାର୍ସ-କୋଭ୍-୨ର ଭବିଷ୍ୟତ କ’ଣ ତାହା ଗବେଷଣାସାପେକ୍ଷ ବୋଲି ଗବେଷକ ଦଳ କହିଛନ୍ତି।