ପାଟନା : ବିହାରରେ ପୁଣି ଥରେ ଏନ୍ଡିଏ ସରକାର ଗଠନ ହେବାକୁ ଯାଉଥିବା ବେଳେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଛି। ଦଳ ୭୦ ଆସନରେ ନିର୍ବାଚନ ଲଢ଼ି ମାତ୍ର ୧୯ଟି ଆସନ ପାଇଛି ଏବଂ ଏହା ମହାମେଣ୍ଟ ପରାଜୟର ବଡ଼ କାରଣ ସାଜିଛି। ଆଜି ପାଟନାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଦୁଇ ଜଣ ବିଧାୟକ ପରସ୍ପରକୁ ଗାଳିଗୁଲଜ କରିବା ସହ ହାତାହାତି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବିଧାୟକ ବିଜୟ ଶଙ୍କର ଏବଂ ସିଦ୍ଧାର୍ଥଙ୍କ ସମର୍ଥକମାନେ ପରସ୍ପରକୁ ଆକ୍ରମଣ କରିଥିବା ଜଣାପଡ଼ିଛି।
କଂଗ୍ରେସ ବିଧାୟକ ସିଦ୍ଧାର୍ଥଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯିବାକୁ ବିରୋଧ କରି ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ବୈଠକରେ ବରିଷ୍ଠ ନେତା ଭୂପେଶ ବଘେଲ ଏବଂ ଅବିନାଶ ପାଣ୍ଡେଙ୍କ ଉପସ୍ଥିତିରେ ଏହା ଘଟିଥିଲା। ବିଶୃଙ୍ଖଳା ସୃଷ୍ଟିକାରୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଦଳରେ ଅନୁଶାସନ କାଏମ ରହିବ ବୋଲି କେତେକ ବିଧାୟକ କହିଛନ୍ତି। ତେବେ ବିହାର କଂଗ୍ରେସରେ ଏବେ ବିଦ୍ରୋହ ଆଶଙ୍କା ଦେଖାଦେଇଥିବାରୁ କେନ୍ଦ୍ରୀୟ ନେତୃତ୍ବର ଚିନ୍ତା ବଢ଼ିଯାଇଛି। ବିହାର ସ୍ଥିତି ନେଇ ଦଳର କାର୍ଯ୍ୟକାରିଣୀ ବୈଠକରେ ଖୁବ୍ଶୀଘ୍ର ସମୀକ୍ଷା ହେବ ଏବଂ ସାଂଗଠନିକ ସ୍ଥିତି ମଜବୁତ କରିବାକୁ ପଦକ୍ଷେପ ନିଆଯିବ ବୋଲି ବରିଷ୍ଠ ନେତା ପି. ଚିଦମ୍ବରମ କହିଛନ୍ତି। ବିଭିନ୍ନ ରାଜ୍ୟରେ କଂଗ୍ରେସ ବିଧାୟକଙ୍କ ଦଳ ବିରୋଧୀ କାର୍ଯ୍ୟକୁ ଦୃଷ୍ଟିରେ ରଖି ବିହାର ପରିପ୍ରେକ୍ଷୀରେ ଏବେ କେନ୍ଦ୍ରୀୟ ନେତୃତ୍ବ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/bihar-16.jpg)