ନୂଆଦିଲ୍ଲୀ : ଏକୀକୃତ ସୁରକ୍ଷା ବ୍ୟବସ୍ଥା (ଆଇଏସ୍‌ଏସ୍‌)ରେ ବିଳମ୍ବ ହେତୁ ପୂର୍ବତଟ ରେଳପଥ ପ୍ରତି ବିପଦ ଆଶଙ୍କା ବୃଦ୍ଧିପାଇଛି। ସଂସଦରେ ଉପସ୍ଥାପନ କରାଯାଇଥିବା ରେଲୱେ କମ୍ପ୍ଲାଏନ୍‌ସ ରିପୋର୍ଟରେ ଏହା କୁହାଯାଇଛି।

Advertisment

ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ଦେଶର ସମସ୍ତ ରେଳ ଜୋନ୍‌ମାନଙ୍କରେ ଯାତ୍ରୀ ସୁରକ୍ଷା ତଥା ରେଳ ପ୍ରତିଷ୍ଠାନମାନଙ୍କରେ ପହରା ଉଦ୍ଦେଶ୍ୟରେ ଭାରତୀୟ ରେଳ ସେପ୍ଟେମ୍ବର ୨୦୦୮ରେ ଆଇଏସ୍‌ଏସ୍‌ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲା। ନିର୍ଦ୍ଦେଶ ଆଧାରରେ ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ ଡିଭିଜନ୍‌ ଅନ୍ତର୍ଗତ ଭୁବନେଶ୍ବର, କଟକ ଓ ପୁରୀ ରେଳଷ୍ଟେସନ ଏବଂ ୱାଲ୍‌ଟିୟର ଡିଭିଜନ୍‌ ଅନ୍ତର୍ଗତ ବିଶାଖାପାଟଣା ଷ୍ଟେସନରେ ଆଇଏସ୍‌ଏସ୍‌ ବ୍ୟବସ୍ଥା ଜୁଲାଇ ୨୦୧୨ରୁ ଆରମ୍ଭ ହୋଇଥିଲା। ଏଥି ପାଇଁ ସେଣ୍ଟ୍ରାଲ୍‌ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌କୁ ୭.୮୯ କୋଟି ଟଙ୍କାର ଠିକା ଦିଆଯାଇଥିଲା।

ମେ ୨୦୧୩ ସୁଦ୍ଧା ପୂର୍ବତଟ ରେଳପଥରେ ଆଇଏସ୍‌ଏସ୍‌କୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ମାର୍ଚ ୨୦୧୯ ସୁଦ୍ଧା ୬୫ ପ୍ରତିଶତ କାମ ସରିଥିବା ବେଳେ ପାଣ୍ଠି ବ୍ୟବସ୍ଥା ସତ୍ତ୍ବେ ମାତ୍ର ୩.୧୨ କୋଟି ଟଙ୍କା ଖର୍ଚ ହୋଇଛି। ମେ ୨୦୧୩ ରୁ ମାର୍ଚ ୨୦୧୯ ମଧ୍ୟ‌ରେ ଠିକା ପ୍ରଦାନ କରାଯାଇଥିବା କଂପାନିକୁ ବିନା ଜରିମାନ‌ାରେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ଅବଧିକୁ ୨୧ ଥର ବୃଦ୍ଧି କରାଯାଇଛି। ୫ ବର୍ଷ ବିଳମ୍ବରେ କଟକ ଓ ବିଶାଖାପାଟଣାରେ ୟୁଭିଏସ୍‌ଏସ୍‌ ପ୍ରଣାଳୀ ସ୍ଥାପନ ହୋଇଛି। ଭୁବନେଶ୍ବର ଓ ପୁରୀରେ ୟୁଭିଏସ୍‌ଏସ୍‌ ପ୍ରଣାଳୀ କାର୍ଯ୍ୟ ଶେଷ ହୋଇ ନାହିଁ। ଏକୀକୃତ ସୁରକ୍ଷା ବ୍ୟବସ୍ଥା ଅଭାବରୁ ପୂର୍ବତଟ ‌ରେଳପଥର ଚାରିଟି ପ୍ରମୁଖ ଷ୍ଟେସନ ପ୍ରତି ବିପଦ ଆଶଙ୍କା ସବୁବେଳେ ରହିଛି।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ପୂର୍ବତଟ ଏବଂ ଦକ୍ଷିଣ କେନ୍ଦ୍ର ରେଳପଥ ଅନେକ ବିଭାଗ ଓ ସଂସ୍ଥାମାନଙ୍କ ପାଖରୁ ୧୨.୫୯ କୋଟି ଟଙ୍କା ଜରିମାନା ବାବଦରେ ଆଦାୟ କରିପାରିନାହାନ୍ତି। ପୂର୍ବତଟ ରେଲ‌ୱେର କ୍ୟାରେଜ୍‌ ମରାମତି ୱାର୍କସପ୍‌ ଦ୍ବାରା ଏପ୍ରିଲ ୨୦୧୬ ରୁ ମେ ୨୦୧୯ ମଧ୍ୟରେ ୬ ହଜାର ୩୩୨ ଥର ଗୋଲାକାର ରୋଲର୍‌ ବିୟରିଂକୁ ସ୍କ୍ରାପ କରିଦିଆଯିବାରୁ ୫.୩୦ କୋଟି ଟଙ୍କା କ୍ଷତି ହୋଇଛି। ପୂର୍ବତଟ ରେଳପଥରେ ମେ ୨୦୧୫ ରୁ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ୪୯୮ ଟି କେବୁଲ୍‌ କଟ୍ ଘଟଣା ଘଟିଥିଲା। ରେଳ ମନ୍ତ୍ରାଳୟ ନିର୍ଦ୍ଦେଶ ସତ୍ତ୍ବେ ପୂର୍ବତଟ ରେଳପଥ ଜରିମାନା ବାବଦରେ ୫.୬୯ କୋଟି ଟଙ୍କା ବିଭିନ୍ନ ସଂସ୍ଥା ଠାରୁ ଏ ବାବଦରେ ଆଦାୟ କରିପାରି ନାହିଁ।