ନୂଆଦିଲ୍ଲୀ: ନିଜ ସହରରୁ ଅନ୍ୟ ସହରକୁ ଗଲେ କେଉଁଠି ରହିବେ, କଣ ଖାଇବେ ଚିନ୍ତା କରୁକରୁ ଆପଣ ଓୟୋ ରୁମ ବାବଦରେ ଚିନ୍ତା କରିଥାନ୍ତି | ପକେଟକୁ ସୁହାଇଲା ଭଳି ହୋଟେଲ ସାଙ୍ଗକୁ ଅଜଣା ସହରରେ ସୁବିଧାରେ ରୁମ ମିଳିବା ଏହି ୱେବସାଇଟକୁ ଦେଇଛି ସ୍ୱତନ୍ତ୍ର ପରିଚୟ | ଦେଶବିଦେଶର ଅନେକ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ଏହି ଆପର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ ବିବାହ ବନ୍ଧନରେ ଖୁବଶୀଘ୍ର ବାନ୍ଧି ହେବାକୁ ଯାଉଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ହେବାକୁ ଥିବା ତାଙ୍କ ବିବାହ ପୂର୍ବରୁ ରିତେଶ ଅଗ୍ରୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କୁ ବିବାହ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି। ଟ୍ୱିଟରରେ ଓୟୋର ପ୍ରତିଷ୍ଠାତା କିଛି ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି | ସେ ଟୁଇଟ୍ କରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦରେ ଆମେ ଏକ ନୂତନ ଆରମ୍ଭ ପାଇଁ ପ୍ରସ୍ତୁତ |

Advertisment

publive-image

ପ୍ରଧାନମନ୍ତ୍ରୀ ଯେଭଳି ଆମକୁ ସ୍ୱାଗତ କଲେ ତାହା ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ମିଳିଥିବା ସୂଚନା ମୁତାବକ ଆସନ୍ତା ମାସରେ ରିତେଶଙ୍କ ବିବାହ ହେବାକୁ ଯାଉଛି | ବିବାହ ପରେ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ରିସେପ୍ସନ୍ ହେବ। ଉଲ୍ଲେଖ ଥାଉ କି ରାୟଗଡାରେ ମଧ୍ୟବିତ ମାରୱାଡି ପରିବାରରେ ୧୯୯୩ ମସିହାରେ ଜନ୍ମଗ୍ରହଣ କରିଥିବା ରିତେଶ ପ୍ରଥମେ 'ଓରାଭେଲ'ନାମକ ୱେବସାଇଟଟିଏ ସ୍ଥାପନ କରିଥିଲେ | ପରେ ଏହା ଓୟୋ ରୁମସ ନାମରେ ପରିଚୟ ପାଇଥିଲା |

୧୯ ବର୍ଷ ବୟସରେ ଯେତେବେଳେ ରିତେଶ ରାଜସ୍ଥାନ କୋଟାରେ ଆଇଆଇଆଟି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ସେତେବେଳେ ଦିଲ୍ଲୀ ମଧ୍ୟ ଯିବାକୁ ପଡୁଥିଲା | ତେବେ ଦିଲ୍ଲୀରେ ଶସ୍ତାରେ ହୋଟେଲଟିଏ ପାଇବା ପାଇଁ ପ୍ରଚେଷ୍ଟା କରୁଥିବାବେଳେ ସେ ଉପଲବ୍ଧି କରିଥିଲେ କିଛି ନୂଆ ଅଭିଜ୍ଞତା | ସାଧାରଣ ଲୋକର ମନରେ ହୋଟେଲରେ ରହିବାକୁ ନେଇ କଣ ସବୁ ପ୍ରଶ୍ନ ଉଙ୍କି ମାରିଥାଏ ତାହାକୁ ଠଉରେଇପାରିଥିଲେ ରିତେଶ | ଏହାପରେ ଓୟୋ ରୁମସର ପରିକଳ୍ପନା କରି ଲୋକଙ୍କ ଆକାଂକ୍ଷାକୁ ହିଁ ସ୍ଥାନ ଦେଇଥିଲେ |