ରାଗି ଯାଇ ରାସ୍ତା ନିର୍ମାଣ କାମକୁ ଅଧାରୁ ବନ୍ଦ କରିଦେଲେ ରବୀନ୍ଦ୍ର ଜାଦେଜାଙ୍କ ବିଧାୟିକା ସ୍ତ୍ରୀ ରିଭାବା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ବିଧାୟିକ‌ା ସ୍ତ୍ରୀ ରିଭାବା ଜାଦେଜା ଶୁକ୍ରବାର ଆକସନ ମୋଡରେ ଥିବା ଦେଖିବାକୁ ମିଳିଥିଲା। ସେ ମହାନଗରପାଳିକାର ଅଧିକାରୀଙ୍କ ସହିତ ସିସି ରାସ୍ତା ନିର୍ମାଣ କାମ ଦେଖିବା ପାଇଁ ପହଞ୍ଚିଥିଲେ। ନିର୍ମାଣ କାମ ସମୟରେ ତ୍ରୁଟି ଦେଖି ରିଭାବା ରାଗି ଯାଇ ଠିକାଦାରଙ୍କୁ ଗାଳି କରିଥିଲେ।

ରିଭାବା ଜାଦେଜା ଜାମନଗର ଉତ୍ତର ବିଧାନସଭା ଆସନରୁ ବିଧାୟିକା ରହିଛନ୍ତି। ତାଙ୍କୁ ଗୋକୁଲ ନଗର ଅଞ୍ଚଳର ମଥୁରା ନଗରରେ ତିଆରି ହେଉଥିବା ସିସି ରାସ୍ତାରେ ତ୍ରୁଟି ଥିବା ସୂଚନା ମିଳିଥିଲା। ଏହି କାରଣରୁ ମହାନଗର ପାଲିକାର ଅଧିକାରୀଙ୍କ ସହିତ  ଘଟଣାସ୍ଥଳରେ ଆକସ୍ମିକ ଭାବେ ଯାଇ ରିଭାବା ପହଞ୍ଚି ଯାଇଥିଲେ।

ହଠାତ ବିଧାୟିକାଙ୍କୁ ଦେଖି ଘଟଣାସ୍ଥଳରେ କାମ କରୁଥିବା ଠିକାଦାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  ବିଧାୟିକା କାମକୁ ନେଇ ଠିକାଦାରଙ୍କୁ ପଚରାଉଚରା କରିଥିଲେ। ଏଥିସହିତ ସଡ଼କ ନିର୍ମାଣକୁ ନେଇ ହେଉଥିବା ଅନିୟମିତାକୁ ବି ଯାଞ୍ଚ କରିଥିଲେ।

ଯାଞ୍ଚରୁ ସେ ରାସ୍ତା ନିର୍ମାଣରେ ତ୍ରୁଟି ପାଇବାରୁ କ‌ାମକୁ ଅଧାରୁ ବନ୍ଦ କରି ଦେଇଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ତାଙ୍କ ଅଞ୍ଚଳରେ ବିଧାୟିକା‌ ରିଭାବାଙ୍କୁ ଦେଖି ବହୁତ ଖୁସି ହୋଇଯାଇଥିଲେ। ବିଧାୟିକା କାମର ଟିକନିକ ତଦାରଖ କରୁଥିବା ଦେଖି ସ୍ଥାନୀୟ ବାସିନ୍ଦା ତାଙ୍କର ଭୁରିଭୁରି ପ୍ରଶଂସା କରିଥିଲେ। ଆଉ କହିଥିଲେ, ‘ ଆମର କଥା, ଆମର ସମସ୍ୟା ଓ ଅସୁବିଧାକୁ  ବୁଝିବା ପାଇଁ ଏମିତି ଜଣେ ବିଧାୟିକା ଆବଶ୍ୟକ ଥିଲେ।’

ସମ୍ବନ୍ଧିତ ଖବର