ଜାମନଗର: ପରିବାରର ବିରୋଧ ସତ୍ତ୍ବେ ଜିତିଲେ ଜାଦେଜାଙ୍କ ପତ୍ନୀ। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଦେଜାଙ୍କ ପତ୍ନୀ ରିବାବା ଜାଦେଜା ଭାରତୀୟ ଜନତା ପାର୍ଟିର ଜାମନଗର ଉତ୍ତର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ଘରର ବୋହୂ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବି ଶଶୁର ଏବଂ ନଣନ୍ଦ ତାଙ୍କ ବିପକ୍ଷରେ କଂଗ୍ରେସ ଦଳ ପାଇଁ ପ୍ରଚାର କରୁଥିବା ଦେଖାଯାଇଥିଲା। ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଜାଦେଜା ପରିବାରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ତେବେ ପରିବାରର ସମର୍ଥନ ନପାଇ ବି ଜିତିଛନ୍ତି ରିବାବା।
ରାଜନୀତିରେ କୌଣସି ଅଭିଜ୍ଞତା ନଥାଇ ବି ସେ ଆପ୍ ପ୍ରାର୍ଥୀ କରଶନଭାଇ କରମୁରଙ୍କୁ ହରାଇଛନ୍ତି। ପ୍ରାୟ ୫୦,୦୦୦ଭୋଟ ବ୍ୟବଧାନରେ ରିବାବା ବିଜୟୀ ହୋଇଥିବା ଜଣାପଡ଼ିଛି। ୧୯୯୦ରେ ରାଜକୋଟରେ ଜନ୍ମଗ୍ରହଣ କରିଥିବା ରିବାବା ତିନି ବର୍ଷ ପୂର୍ବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରିବାବା ଏବଂ ରବିନ୍ଦ୍ର ଜାଦେଜାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିଜେପିରେ ଯୋଗଦେବା ପରେ ରିବାବା ଜାମନଗର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀରେ ସକ୍ରିୟ ରହିଥିଲେ ଏବଂ ଏହି ଅଞ୍ଚଳରେ ମହିଳାଙ୍କ ସଶକ୍ତିକରଣ ପାଇଁ କାମ କରୁଥିଲେ।
ତେବେ ରବିନ୍ଦ୍ର ଜାଦେଜାଙ୍କ ପରିବାର ବରିଷ୍ଠ କଂଗ୍ରେସ ନେତା ହରି ସିଂ ସୋଲାଙ୍କିଙ୍କ ସମ୍ପର୍କୀୟ ହୋଇଥିବା ବେଳେ କଂଗ୍ରେସର ବଡ଼ ସମର୍ଥକ। ଏମଧ୍ୟରେ ରିବାବା ବିଜେପିକୁ ସମର୍ଥନ କରି ପ୍ରାର୍ଥୀ ହେବା ପରେ ଏହାକୁ ପସନ୍ଦ କରିନଥିଲେ ଶଶୁର। କିଛି ଦିନ ତଳେ ଏକ ଭିଡିଓ ଜାରି କରି ରିବାବାଙ୍କ ଶଶୁର କଂଗ୍ରେସକୁ ଭୋଟ ଦେବାକୁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/t-43.jpg)