ନୂଆଦିଲ୍ଲୀ : ନଦୀ ସଂଯୋଗୀକରଣ କାର୍ଯ୍ୟକ୍ରମ ଯୋଜନାରେ ଓଡ଼ିଶାର ତିନିଟି ପ୍ରକଳ୍ପର ସମ୍ଭାବ୍ୟତା ରିପୋର୍ଟ (ଫିଜିବିଲିଟି ରିପୋର୍ଟ) ପ୍ରସ୍ତୁତ କରାଯାଇଛି। ଏଗୁଡ଼ିକ ହେଲା, ମହାନଦୀ-ଗୋଦାବରୀ ସଂଯୋଗର ବୈକଳ୍ପିକ ମହାନଦୀ - ଋଷିକୁଲ୍ୟା - ଗୋଦାବରୀ , ଗଙ୍ଗା-ଦାମୋଦର - ସୁବର୍ଣ୍ଣରେଖା ଏବଂ ସୁବର୍ଣ୍ଣରେଖା - ମହାନଦୀ ସଂଯୋଗ। ଲୋକସଭାରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ।
ମନ୍ତ୍ରୀଙ୍କ ସୂଚନା ହେଲା, ମହାନଦୀ –ଗୋଦାବରୀ ସଂଯୋଗ ଦ୍ବାରା ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶକୁ ଫାଇଦା ମିଳିବ। ଓଡ଼ିଶାରେ ବାର୍ଷିକ ୩.୫୨ ଲକ୍ଷ ହେକ୍ଟର ଓ ଆନ୍ଧ୍ରରେ ୦.୯୧ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁଫଳ ମିଳିବ। ବୈକଳ୍ପିକ ମହାନଦୀ - ଋଷିକୂଲ୍ୟା - ଗୋଦାବରୀ ସଂଯୋଗ ଦ୍ବାରା ଉଭୟ ରାଜ୍ୟରେ ବାର୍ଷିକ ୬.୨୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ହେବ। ଯେଉଁଥିରେ ଓଡ଼ିଶାର ୫.୩୪ ଲକ୍ଷ ହେକ୍ଟର ଓ ଆନ୍ଧ୍ରରେ ୦.୯୧ ଲକ୍ଷ ହେକ୍ଟର ଜମିରେ ଜଳସେଚନ ହୋଇପାରିବ। ଗଙ୍ଗା-ଦାମୋଦର-ସୁବର୍ଣ୍ଣରେଖା ସଂଯୋଗ ଫଳରେ ପଶ୍ଚିମବଙ୍ଗ, ଓଡ଼ିଶା ଓ ଝାଡ଼ଖଣ୍ଡ ଲାଭାନ୍ବିତ ହେବେ। ତିନି ରାଜ୍ୟକୁ ବାର୍ଷିକ ୧୨.୩୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିବ। ସୁବର୍ଣ୍ଣରେଖା ଓ ମହାନଦୀ ସଂଯୋଗ ଫଳରେ ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ଫାଇଦା ହେବ। ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ରାଜ୍ୟମାନଙ୍କୁ ସୁଫଳ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ଟୁଡ଼ୁ ଉତ୍ତରରେ ଉଲ୍ଲେଖ କରିଛନ୍ତି।