ନଦୀ ଅବବାହିକା ପରିଚାଳନା ବିଲ୍‌ ୨୦୧୮ : ସର୍ବସାଧାରଣଙ୍କଠୁ ମତାମତ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ : ନଦୀ ଅବବାହିକା ପରିଚାଳନା ବିଲ୍‌ ୨୦୧୮ ସମ୍ପର୍କରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ପକ୍ଷରୁ ଜନସାଧାରଣଙ୍କ ମତାମତ ଓ ପରାମର୍ଶ ଲୋଡ଼ାଯାଇଛି। ନଭେମ୍ବର ୫ ତାରିଖ ସୁଦ୍ଧା ମତାମତ ଦେବାକୁ କୁହାଯାଇଛି। ୧୩ଟି ନଦୀ ଅବବାହିକା ପ୍ରାଧିକରଣ ଗଠନ କରାଯିବା ନେଇ ବିଲ୍‌ରେ ପ୍ରସ୍ତାବ ରହିଛି। ବ୍ରାହ୍ମଣୀ-ବୈତରଣୀ ଅବବାହିକା, ମହାନଦୀ, ସୁବର୍ଣ୍ଣରେଖା ଅବବାହିକାରେ ନଦୀ ଅବବାହିକା ପରିଚାଳନାକୁ କାର୍ଯ୍ୟକାରୀ କରାଯିବା ସହ ପ୍ରାଧିକରଣ ଗଠନ ପାଇଁ ପ୍ରସ୍ତାବ ରହିଛି। ମାଷ୍ଟରପ୍ଲାନ୍‌ ଅନୁସାରେ ବିଲ୍‌ରେ ପ୍ରାୟ ୧୯ଟି ପ୍ରସଙ୍ଗ ଉଲ୍ଲେଖ କରାଯାଇଛି।

ନଦୀ ବିବାଦର ତ୍ବରିତ୍‌ ସମାଧାନ ପାଇଁ ରାଜ୍ୟମାନଙ୍କ ସହଯୋଗ ଭିତ୍ତିରେ ବୁଝାମଣା ଜରିଆରେ ବିବାଦର ସମାଧାନ ହୋଇପାରିବ ବୋଲି ବିଲ୍‌ରେ ଗୁରୁତ୍ବ ଦିଆଯାଇଛି। ଦେଶରେ ୧୩ଟି ନଦୀ ଅବବାହିକା ପ୍ରାଧିକରଣ ପାଇଁ ବିଲ୍‌ରେ ବ୍ୟବସ୍ଥା ରହିଛି। ପ୍ରତି ପ୍ରାଧିକରଣ ନିକଟରେ ପରିଚାଳନା ପରିଷଦ ଓ କାର୍ଯ୍ୟକାରୀ ବୋର୍ଡ ନାମରେ ଦୁଇଟି ପରିଚାଳନାଗତ ବ୍ୟବସ୍ଥା ରହିବ। ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରାଧିକରଣର ସଦସ୍ୟ ରହିବେ। ପରିଚାଳନା ପରିଷଦ ମାଷ୍ଟରପ୍ଲାନ୍‌କୁ ସ୍ବୀକୃତି ପ୍ରଦାନ କରିବ ବୋଲି ବିଲ୍‌ରେ ଉଲ୍ଲେଖ ରହିଛି। ବର୍ଷକୁ ଦୁଇଥର ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। କାର୍ଯ୍ୟକାରୀ ବୋର୍ଡରେ କେନ୍ଦ୍ର ଜଳ ଆୟୋଗରେ କାର୍ଯ୍ୟରତ ଅତିରିକ୍ତ ସଚିବଙ୍କୁ ଅଧ୍ୟକ୍ଷ ଭାବେ ମନୋନୀତ କରାଯିବ। ଅନ୍ତଃ ଜଳବିବାଦକୁ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ଓ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିବ। ସର୍ବସାଧାରଣଙ୍କ ନିକଟରୁ ମତାମତ ମିଳିବା ପରେ ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରି ପାଇଁ ଉପସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର