ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ୍ ଇନ୍ଦିରାସାଗର ପ୍ରକଳ୍ପ ମାମଲା, ମହାନଦୀ ଜଳବିବାଦ ମାମଲା ଓ ବଂଶଧାରା ଜଳବିବାଦ ମାମଲାରେ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ନ୍ୟାୟ ମିଳିପାରିନାହିଁ। ପୋଲାଭରମ୍ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଆସନ୍ତାକାଲି ଶୁଣାଣି ହେବ। ସେହିପରି ବଂଶଧାରା ଜଳବିବାଦ ମାମଲାର ଶୁଣାଣି ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲ ବିଚାରାଧୀନ ରହିଛି। ଚଳିତ ମାସ ୬ ତାରିଖରେ ମାମଲାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ତାରିଖ ଧାର୍ଯ୍ୟ କରିଛନ୍ତି। ଅପରପକ୍ଷେ ଗତମାସ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶକ୍ରମେ ଚଳିତ ମାସ ଦ୍ୱିତୀୟ ସପ୍ତାହ ପୂର୍ବରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପୋଲାଭରମ୍ ପ୍ରକଳ୍ପ ସମ୍ପର୍କରେ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟମାନଙ୍କ ସହିତ ବୈଠକ କରିବେ ବୋଲି ଜଣାପଡ଼ିଛି। ତେବେ, କରୋନା କଟକଣା ଯୋଗୁଁ ସୁପ୍ରିମକୋର୍ଟ ପୋଲାଭରମ୍ ଓ ବଂଶଧାରା ଜଳବିବାଦ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିନାହାନ୍ତି। ଏହିସବୁ ଜଳବିବାଦ ମାମଲାରେ ଓଡ଼ିଶାର ସ୍ୱାର୍ଥକୁ ସର୍ବୋଚ୍ଚ ନ୍ୟାୟ୍ୟାଳୟ ଓ ଟ୍ରିବ୍ୟୁନାଲମାନଙ୍କର ଦ୍ୱାରା କିଭଳି ତ୍ବରିତ୍‌ ନ୍ୟାୟ ମିଳିପାରିବ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

Advertisment

ଆସନ୍ତାକାଲି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହନଦୀ ଜଳବିବାଦ ସମାଧାନ ପାଇଁ ଗଠନ କରାଯାଇଥିବା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ମାମଲାର ଶୁଣାଣି କରିବେ। ଟ୍ରିବ୍ୟୁନାଲ ଗଠନ ହେବା ପରଠାରୁ ୧୫ଟି ଶୁଣାଣି ଶେଷ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଟ୍ରିବ୍ୟୁନାଲ ଅନ୍ତରୀଣ ଆଦେଶ ଶୁଣାଇନାହାନ୍ତି। ମୂଳ ଆବେଦନର ଶୁଣାଣି ପାଇଁ ୪୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିସାରିଛନ୍ତି। ଅଥଚ ଓଡ଼ିଶାର ଅନ୍ତରୀଣ ଆବେଦନର ଶୁଣାଣି ଶେଷ କରି ଦୀର୍ଘଦିନରୁ ରାୟ ସଂରକ୍ଷିତ ରଖିଛନ୍ତି। ଟ୍ରିବ୍ୟୁନାଲଙ୍କ ପରାମର୍ଶ ଅନୁସାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରୁ ଆପୋସ ସମାଧାନ ପାଇଁ ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ବାହାରି ପାରିନାହିଁ। ଦୁଇ ରାଜ୍ୟ ମଧ୍ୟରେ ଗତମା‌ସରେ ବି ବୈଠକ ବସିବାର ଥିଲା। ମାତ୍ର, କରୋନା ଯୋଗୁ ତାହା ସମ୍ଭବପର ହୋଇନାହିଁ। ପୁଣିଥରେ ବୈଠକ ପାଇଁ ଆସନ୍ତାକାଲିର ଶୁଣାଣି ସମୟରେ ଦୁଇ ରାଜ୍ୟମାନଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯିବାର ସମ୍ଭାବନା ରହିଛି। ଅପରପକ୍ଷେ ମାମଲାର ଶୁଣାଣି ପୂର୍ବରୁ ଟ୍ରିବ୍ୟୁନାଲରେ ଓଡ଼ିଶା ପକ୍ଷରୁ ପ୍ରତିବାଦ ସତ୍ୟପାଠ ତଥା ଅନୁପାଳନ ସତ୍ୟପାଠ ଦାଖଲ କରାଯାଇଛି। ମୂଳ ମାମଲାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ଆସନ୍ତାକାଲି ତାରିଖ ଧାର୍ଯ୍ୟ କରିବାର ସମ୍ଭାବନା ରହିଛି।

ସେହିଭଳି, ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଥିବା ବଂଶଧାରା ଜଳବିବାଦ ମାମଲାର ଶୁଣାଣି ପାଇଁ ବଂଶଧାରା ଟ୍ରିବ୍ୟୁନାଲ ଚଳିତମାସ ୬କୁ ସମୟ ଧାର୍ଯ୍ୟ କରିଛନ୍ତି। ବଂଶଧାରା ନଦୀ ନେରେଡ଼ି ପ୍ରକଳ୍ପ ଅଞ୍ଚଳରେ ମିଳିତ ଅନୁଧ୍ୟାନ ପାଇଁ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସହଯୋଗ କରିବା ପାଇଁ ବଂଶଧାରା ଟ୍ରିବ୍ୟୁନାଲଙ୍କ ଦ୍ୱରା କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ୍‌ କରାଯାଇ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାଖଲ କରାଯାଇଛି। ଏମିତିରେ ଅକ୍ଟୋବର ୬ର ଶୁଣାଣିରେ ଟ୍ରିବ୍ୟୁନାଲଙ୍କ ଆଭିମୁଖ୍ୟ ଉପରେ ନଜର ରହିବ। ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଚଳିତବର୍ଷ ଡିସେମ୍ବର ୧୦ରେ ଶେଷ ହେଉଥିବାରୁ ତଥା ମାମଲାର ଫଇସଲା ହୋଇନଥିବା ଯୋଗୁଁ ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧି ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରେ ଆବେଦନ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସେହିଭଳି, ସୁପ୍ରିମକୋର୍ଟରେ ବଂଶଧାରା ଜଳବିବାଦ ସମ୍ପର୍କିତ ଦୁଇଟି ଏସ୍‌ଏଲ୍‌ପିର ବର୍ତ୍ତମାନ ସୁଦ୍ଧା ଚୂଡ଼ାନ୍ତ ଶୁଣାଣି ହୋଇ ପାରିନାହିଁ।

ଅପରପକ୍ଷେ, ବିବାଦୀୟ ପୋଲାଭରମ୍ ଇନ୍ଦିରାପ୍ରକଳ୍ପ ମାମଲାରେ ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମୂଳ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୧୪ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିବାର ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇସାରିଛି। ଏହାପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଶୁଣାଣି ଆରମ୍ଭ ହୋଇପାରିନାହିଁ। ଅପରପକ୍ଷେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଆନ୍ଧ୍ର ସରକାର ଉଦ୍ୟମ ଅବ୍ୟାହତ ରିଖିଛନ୍ତି। ସୁପ୍ରିମକୋର୍ଟରେ ଏହି ମାମଲାର ଫିଜିକାଲ ଶୁଣାଣିର ଆବଶ୍ୟକତା ଥିବାବେଳେ ଭର୍ଚୁଆଲ ଶୁଣାଣି ଯୋଗୁଁ ବର୍ତ୍ତମାନ ଏହା ସମ୍ଭବପର ହେଉନାହିଁ। ଅନ୍ୟ ଏକ ଘଟଣା କ୍ରମରେ ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚଳିତମାସରେ ପୋଲାଭରମ୍ ପ୍ରକଳ୍ପ ପଛୁଆ ଜଳ ଯୋଗୁଁ ପ୍ରଭାବିତ ରାଜ୍ୟ ଓଡ଼ିଶା ଛତିଶଗଡ଼ ଓ ତେଲେଙ୍ଗାନାଙ୍କ ସହିତ ଆଲୋଚନା କରିବ ବୋଲି ଜଣାପଡ଼ିଛି। ଗତମାସରେ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ ପଛୁଆ ଜଳ ଯୋଗୁଁ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ଜଳବୁଡ଼ି ସମସ୍ୟାରୁ ସମାଧାନ ପାଇଁ ମାସକ ଭିତରେ ପ୍ରଭାବିତ ରାଜ୍ୟ ଏବଂ ଅନ୍ୟମାନଙ୍କୁ ମିଳିତ ଭାବେ ଆଲୋଚନା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ବିଚାରବିମର୍ଷ ଆରମ୍ଭ କରିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।