ନୂଆଦିଲ୍ଲୀ: ଏପ୍ରିଲ ଓ ମେ’ ମାସରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଛତିଶଗଡ଼ ଓ ଓଡ଼ିଶାର ମହାନଦୀ ଅବବାହିକାକୁ ତିନିଟି ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ କରିଥିଲେ। ଉଭୟ ରାଜ୍ୟର ପାଖାପାଖି ୪୦ଟି ସ୍ଥାନ ସେମାନେ ପରିଦର୍ଶନ କରିଥିଲେ। କ୍ଷେତ୍ର ପରିଦର୍ଶନ ଶେଷ ହେବା ପରେ ଟ୍ରିବ୍ୟୁନାଲର ଦୁଇ ଜଣ ଆସେସର-ସଂଜୀବ ଅଗ୍ରୱାଲ ଓ ବିଜୟ କୁମାର ଦ୍ବିବେଦୀଙ୍କ ଏ ସଂପର୍କିତ ସାମଗ୍ରିକ ରିପୋର୍ଟ ପ୍ରସ୍ତୁତ କରାଯାଇ ଗତ ୯ ତାରିଖରେ ଦାଖଲ କରାଯାଇଥିଲା, ଯାହାକୁ ଟ୍ରିବ୍ୟୁନାଲ ଗ୍ରହଣ କରିଛନ୍ତି।
୩୨୧ ପୃଷ୍ଠାର ରିପୋର୍ଟରେ ପରିଦର୍ଶନ କରାଯାଇଥିବା ପ୍ରକଳ୍ପଗୁଡ଼ିକ ସଂପର୍କରେ ଉଲ୍ଲେଖ କରାଯାଇଛି। ଏପ୍ରିଲ ୧୮ରୁ ୨୨ ତାରିଖ ଓ ଏପ୍ରିଲ ୨୯ରୁ ମେ’ ୩ ମଧ୍ୟରେ ଛତିଶଗଡ଼ର ମହାନଦୀ ଅବବାହିକାର ଦୁଇଟି ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ବେଳେ ଓଡ଼ିଶା ଦ୍ବାରା ଏକାଧିକ ପ୍ରକଳ୍ପ ସଂପର୍କରେ ଛତିଶଗଡ଼ ପାଖରୁ ତଥ୍ୟ ଲୋଡ଼ାଯାଇଥିଲା। ହେଲେ ଆସେସରଙ୍କ ଦ୍ବାରା ରିପୋର୍ଟ ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ଏକାଧିକ ତଥ୍ୟର ଉତ୍ତର ପ୍ରଦାନ କରାଯାଇ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଓଡ଼ିଶା ତରଫରୁ ତିମାରି ମାଇନର ଟ୍ୟାଙ୍କର ବିସ୍ତୃ୍ତ ପ୍ରକଳ୍ପ ରିପୋର୍ଟ ସମେତ ସିଦ୍ଧବାବା ମାଇନର ଟ୍ୟାଙ୍କ, ପିପାରିଆ ଟ୍ୟାଙ୍କ, ରାଜୀବ ସାମୋଦା ନିଷାଦ ଡାଇଭର୍ସନର ତଥ୍ୟ ମଧ୍ୟ ଲୋଡ଼ାଯାଇଥିଲା। ଛତିଶଗଡ଼ ପକ୍ଷରୁ କୌଣସି ତଥ୍ୟ ଉପଲବ୍ଧ କରାଯାଇନାହିଁ। କେବଳ ଏତିକି ନୁହେଁ ଉପର ମହାନଦୀ ମୁଖ୍ୟ ଉପ-ଅବବାହିକା ଅଂଚଳରେ ଥିବା ସାମୋଦା ବ୍ୟାରେଜ ସଂପର୍କିତ ୧୬ଟି, କୁମହାରୀ ଡ୍ୟାମର ୨୦ଟି, ହାର୍ଦି-୨ ଆନିକଟର ୧୭ଟି , ସିଓନାଥ ବ୍ୟାରେଜର ୧୮ଟି, ତାଳଦିଅରି ଆନିକଟର ୨୧ଟି, ଅର୍ପା-ଭଇଂଷାଝରର ୨୫ଟି, ମିନିମାତି ବାଙ୍ଗୋର ୩୨ଟି, ଦାରି ବ୍ୟାରେଜର ୧୭ଟି, କୁଦ୍ରୀ ବ୍ୟାରେଜର ୧୬ଟି, ଅନନ୍ତପୁର ବ୍ୟାରେଜର ୧୯ଟି, ମିରୋନୀ ବ୍ୟାରେଜର ୧୯ଟି, କଲମା ବ୍ୟାରେଜର ୨୦ ଟି ଓ କେଲୋ ପ୍ରକଳ୍ପର ୨୧ଟି ପ୍ରଶ୍ନର କୌଣସି ଉତ୍ତର ମିଳିନଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟରେ ଓଡ଼ିଶା ପକ୍ଷରୁ ଅଣ ମୌସୁମୀ ଋତୁରେ ମହାନଦୀର ତଳମୁଣ୍ଡରେ ଜଳପ୍ରବାହ ହ୍ରାସ ପାଉଥିବା ନେଇ ଚିନ୍ତାବ୍ୟକ୍ତ କରାଯାଇଥିବା କୁହାଯାଇଛି। ଛତିଶଗଡ଼ ପକ୍ଷରୁ ପରିଦର୍ଶନ ସମୟରେ ବିଭିନ୍ନ ଶିଳ୍ପ ସଂସ୍ଥାଗୁଡିକୁ କେତେ ପରିମାଣର ଜଳ ଆବଣ୍ଟନ କରାଯାଇଛି ସେ ସଂପର୍କରେ ମଧ୍ୟ ବିବରଣୀ ରହିଛି। ଆସେସରଙ୍କ ରିପୋର୍ଟରେ ହୀରାକୁଦ ଡ୍ୟାମ୍ ସଂପର୍କରେ ଦୁଇ ରାଜ୍ୟ ଦ୍ବାରା କ୍ଷେତ୍ର ପରିଦର୍ଶନ ସମୟରେ ଯେଉଁ ଉପସ୍ଥାପନ କରାଯାଇଥିଲା ତାହାର ମଧ୍ୟ ବିବରଣୀ ରହିଛି। ଓଡ଼ିଶା ଦ୍ବାରା ପୂର୍ବ ହୀରାକୁଦର ସ୍ଥିତି, ହୀରାକୁଦ ଡ୍ୟାମ ନିର୍ମାଣର ଆବଶ୍ୟକତା, ଡ୍ୟାମର ଫାଇଦା, ହୀରାକୁଦ ଜଳଭଣ୍ଡାର ସହ ଜଡ଼ିତ ଜୈବବିବିଧତା, ଭବିଷ୍ୟତର ଆହ୍ବାନ ଭଳି ପ୍ରସଙ୍ଗଗୁଡ଼ିକ ଉଲ୍ଲେଖ ରହିଛି।
ଅପରପକ୍ଷେ ହୀରାକୁଦ ଡ୍ୟାମ ପ୍ରକଳ୍ପକୁ ନେଇ ଛତିଶଗଡ଼ ପକ୍ଷରୁ ଯେଉଁସବୁ ତଥ୍ୟ ରହିଛି ସେଥିରେ କୁହାଯାଇଛି ୧୯୪୭ର ରିପୋର୍ଟ ଅନୁସାରେ ହୀରାକୁଦ ଡ୍ୟାମ ବନ୍ୟା ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଯୋଜନା କରାଯାଇଥିଲା, କିନ୍ତୁ ତାହାର ପ୍ରାଥମିକତା ବଦଳିଯାଇଛି। ଶିଳ୍ପାଞ୍ଚଳର କୌଣସି ଯୋଜନା ନଥିଲା, କିନ୍ତୁ ବ୍ୟାପକ ଶିଳ୍ପାଞ୍ଚଳ କରାଯାଉଛି। ୧୯୫୨ ର ସଂଶୋଧିତ ରିପୋର୍ଟ ଆଜି ପର୍ଯ୍ୟନ୍ତ ଉପଲବ୍ଧ କରାଯାଇନାହିଁ। ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ବୁର୍ଲା ଓ ଚିପିଲିମାରେ ହୀରାକୁଦର ହାଇଡେଲ୍ ପାୱାର ଷ୍ଟେସନର ଅପରେସନାଲ ରୁଲ୍ସ ଯୋଗାଇ ଦେଇନାହାନ୍ତି। ଜଳାଶୟ ରୁଲ୍ କର୍ଭସର ତଥ୍ୟ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇନାହିଁ ବୋଲି ଛତିଶଗଡ଼ ଉପସ୍ଥାପନରେ ଉଲ୍ଲେଖ କରିଛି। ଏଥିସହ ହୀରାକୁଦରେ ଅଣମୌସୁମୀ ଋତୁରେ ଜଳସେଚନର ଚାହିଦା ନଥିବାବେଳେ ଓଡ଼ିଶା ଦ୍ବାରା ହାଇଡେଲ୍ ପାୱାର ଉତ୍ପାଦନ କରାଯାଉଛି ବୋଲି ଛତିଶଗଡ଼ କହିଛି। ଏହି ଜଳ ଉପଯୋଗ ନ ହୋଇ ସମୁଦ୍ରକୁ ଚାଲିଯାଉଛି। ଇବ ସବ୍ ବେସିନ୍ରେ ୧୬୬୬ ଲିଫ୍ଟ ପ୍ରକଳ୍ପ (ସୁନ୍ଦରଗଡ଼,ଝାରସୁଗୁଡ଼ା ଓ ସମ୍ବଲପୁର)ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଛତିଶଗଡ଼କୁ ପ୍ରଦାନ କରାଯାଇନାହିଁ। ହୀରାକୁଦର ଭିତରେ ଓ ବାହାରେ ବ୍ୟାପକ ଶିଳ୍ପାଚଂଳ ବିକାଶ କରାଯାଉଛି। କିଛି ଶିଳ୍ପ ପ୍ରତିଷ୍ଠାନକୁ ହିଁ ମାନଚିତ୍ରରେ ଦେଖାଯାଉଛି।
ହୀରାକୁଦର ଭିତର ଓ ବାହାରେ ଏବଂ ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାର ଶିଳ୍ପାଞ୍ଚଳ ବିକାଶ ଯୋଜନା ସାମ୍ନାକୁ ଅଣାଯାଉ ବୋଲି ଛତିଶଗଡ଼ ପକ୍ଷରୁ କୁହାଯାଇଛି। ହୀରାକୁଦ ଜଳର ଭାଗବଣ୍ଟାକୁ ନେଇ ଚାଷୀ ଓ ଶିଳ୍ପର ବିବାଦ ରହିଛି। ଯାହା ଜଣାପଡ଼ୁଛି ୨୦୦୫ରୁ ଶିଳ୍ପକୁ ଜଳ ପ୍ରଦାନ ନେଇ ହୀରାକୁଦ ଅଂଚଳର ଚାଷୀ ଓଡ଼ିଶାରେ ଏକାଧିକ ପ୍ରତିବାଦ କରିଥିଲେ। ଏସବୁ ଅଞ୍ଚଳର ଚାଷୀ ଓ ଶିଳ୍ପରେ ଜଳର ଉପଯୋଗ ତଥ୍ୟ ଉନ୍ମୋଚନ ହେବା ଦରକାର ବୋଲି ଛତିଶଗଡ଼ର ଉପସ୍ଥାପନରେ ଉଲ୍ଲେଖ ରହିଛି। ହୀରାକୁଦ ଡ୍ୟାମର ନିର୍ମାଣ ଯୋଗୁ ଛତିଶଗଡ଼ର ବିଭିନ୍ନ କ୍ଷେତ୍ରର କ୍ଷତି ପାଇଁ କ୍ଷତିପୂରଣ ଦିଆଯାଉ। ଓଡ଼ିଶା ଦ୍ବାରା ଟିକରପଡ଼ା ଡ୍ୟାମର ନିର୍ମାଣ କରାଗଲେ ଅଣମୌସୁମୀ ଋତୁରେ ତ୍ରିକୋଣଭୂମି ଅଂଚଳରେ ଜଳର ଉପଲବ୍ଧତା ଅଧିକ ହେବ। ଏଥି ସହିତ ମୌସୁମୀ ଋତୁରେ ସମୁଦ୍ରକୁ ଚାଲିଯାଉଥିବା ଜଳର ସଂରକ୍ଷଣ ହୋଇପାରିବ। ଓଡ଼ିଶାର ତ୍ରିକୋଣ ଭୂମିର ତଳମୁଣ୍ଡ ଅଂଚଳରେ ବନ୍ୟାଜଳର ସମସ୍ୟା ଦୂର ହୋଇପାରିବ। ଟିକରପଡ଼ା ଓ ନରାଜ ଡ୍ୟାମର ନିର୍ମାଣ ହେଲେ ଛତିଶଗଡ଼ରେ ଫେରନ୍ତା ବନ୍ୟାଜଳର ସମସ୍ୟାକୁ ଦୂର ହୋଇପାରିବ।