ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ଆଜି ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି। ଏଥିସହ ଆସନ୍ତାମାସ ୨୮ରୁ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ଛତିଶଗଡ଼ ପକ୍ଷରୁ ଦାଖଲ ୧୦ ଜଣିଆ ଏବଂ ଓଡ଼ିଶା ପକ୍ଷରୁ ଦାଖଲ ୯ ଜଣିଆ ସାକ୍ଷୀ ତାଲିକାକୁ ଟ୍ରିବ୍ୟୁନାଲ ଆଜି ରେକର୍ଡକୁ ନେବା ସହିତ ମଧ୍ୟ ପ୍ରଦେଶକୁ ସପ୍ତାହ ଭିତରେ ସାକ୍ଷୀ ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମହାରାଷ୍ଟ୍ର ପକ୍ଷରୁ ଦାଖଲ କରାଯାଇଥିବା ୨ ଜଣିଆ ସାକ୍ଷୀ ତାଲିକାକୁ ଟ୍ରିବ୍ୟୁନାଲ ଲିପିବଦ୍ଧ କରିସାରିଛନ୍ତି। ଅନ୍ୟପକ୍ଷେ ମାମଲାରେ ପକ୍ଷଭୁକ୍ତ ରାଜ୍ୟ ଝାଡ଼ଖଣ୍ଡ ପକ୍ଷରୁ ସାକ୍ଷୀ ତାଲିକା ଦାଖଲ କରାଯିବ କି ନାହିଁ ସେ ନେଇ ଝାଡ଼ଖଣ୍ଡ ରାଜ୍ୟର ଓକିଲ ଆସନ୍ତା ଶୁଣାଣିବେଳେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବେ ବୋଲି ଜଣାଇଛନ୍ତି। ସେହିଭଳି ପୂର୍ବରୁ ଓଡ଼ିଶା ପକ୍ଷରୁ କ୍ରମ ଅନୁସାରେ ସାକ୍ଷୀଙ୍କ ବୟାନ ରେକର୍ଡ ପ୍ରକ୍ରିୟା ଆରମ୍ଭ କରାଯିବା ଅଧୀନରେ ନୂଆଦିଲ୍ଲୀସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ ଇକୋନୋମିକ ଗ୍ରୋଥ୍‌ର ପୂର୍ବତନ ନିର୍ଦ୍ଦେଶକ ଡ.ମନୋଜ କୁମାର ପଣ୍ଡାଙ୍କ ବୟାନ ରେକର୍ଡ ପାଇଁ ଟ୍ରିବ୍ୟୁନାଲଙ୍କୁ ସୂଚୀତ କରାଯାଇଥିଲା।

Advertisment

ଓଡ଼ିଶାର ପ୍ରଥମ ସାକ୍ଷୀ ରୂପେ ଡ. ମନୋଜ ପଣ୍ଡା ସାକ୍ଷ୍ୟ ଦେବେ
ମଧ୍ୟ ପ୍ରଦେଶ ମାଗିଲା ୫୦ ଏମ୍‌ସିଏମ୍‌ ପାଣି
ଆଜି ଶୁଣାଣିରେ ଚୂଡ଼ାନ୍ତ ହେଲା ସିଏଫ୍‌ଆଇ ପ୍ରକ୍ରିୟା

ଏହାକୁ ଟ୍ରିବ୍ୟୁନାଲ ଆଜି ଗ୍ରହଣ କରିଥିଲେ। ତଦନୁସାରେ ଡ. ପଣ୍ଡା ନଭେମ୍ବର ୨୮ରେ ଓଡ଼ିଶାର ପ୍ରଥମ ସାକ୍ଷୀ ରୂପେ ଟ୍ରିବ୍ୟୁନାଲରେ ଉପସ୍ଥିତ ରହି ବୟାନ ରେକର୍ଡ କରିବେ ଏବଂ ଛତିଶଗଡ଼ ପକ୍ଷରୁ ତାଙ୍କୁ ଜେରା କରାଯିବ। ଓଡ଼ିଶାର ଦ୍ବିତୀୟ ସାକ୍ଷୀ ରୂପେ ଓୟୁଏଟିର ପୂର୍ବତନ ଡିନ୍‌ ଡ. ଦିବାକର ନାୟକଙ୍କୁ ସାକ୍ଷୀ ରୂପେ ଉପସ୍ଥାପନ କରାଯିବ। ଅନ୍ୟପକ୍ଷେ, ଆଜି ଓଡ଼ିଶା ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୋହନ କାଟାର୍କିଙ୍କ ଦ୍ବାରା ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ସମୟରେ ଓଡ଼ିଶାର ଅନ୍ୟ ସାକ୍ଷୀଙ୍କ ଉପସ୍ଥିତ ପାଇଁ ଅନୁମତି ଦେବାକୁ ଟ୍ରିବ୍ୟୁନାଲଙ୍କୁ ଅନୁରୋଧ କରିଥିଲେ। ହେଲେ ତାଙ୍କ ଅନୁରୋଧକୁ ଟ୍ରିବ୍ୟୁନାଲ ଅଗ୍ରାହ୍ୟ କରିଦେଇଥିଲେ। ସିଏଫ୍‌ଆଇ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଥିବା ଆଜି ଟ୍ରିବ୍ୟୁନାଲ ରେକର୍ଡକୁ ନେଇଥିଲେ। ଆଜିର ଶୁଣାଣିରେ ଟ୍ରିବ୍ୟୁନାଲ ଛତିଶଗଡ଼ ପକ୍ଷରୁ ମଧ୍ୟ ପ୍ରଦେଶ ନିକଟରୁ ମହାନଦୀ ସଂପର୍କିତ ତଥ୍ୟ ହାସଲ କରିବା ନେଇ ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଅନ୍ତ ଘଟାଇଥିଲେ। ଏଥି ସହିତ ମଧ୍ୟ ପ୍ରଦେଶ ପକ୍ଷରୁ ଟ୍ରିବ୍ୟୁନାଲ ନିକଟରେ ଆହୁରି ମଧ୍ୟ ଦର୍ଶାଯାଇଥିଲା ଯେ ତାଙ୍କ ରାଜ୍ୟ ଅଧୀନରେ ୧୫୧ ବର୍ଗ କିଲୋମିଟର ମହାନଦୀ ଅବବାହିକା ରହିଛି। ଅତଏବ ମଧ୍ୟ ପ୍ରଦେଶକୁ ୫୦ ନିୟୁତ ଘନ ମିଟର ଜଳ ଆବଣ୍ଟନ କରାଯିବାକୁ ନେଇ ଟ୍ରିବ୍ୟୁନାଲ ବିଚାର କରନ୍ତୁ। ମଧ୍ୟ ପ୍ରଦେଶ ଦ୍ବାରା ଦାଖଲ କରାଯାଇଥିବା ସତ୍ୟପାଠ ଓ ଅତିରିକ୍ତ ସତ୍ୟପାଠକୁ ଟ୍ରିବ୍ୟୁନାଲ ରେକର୍ଡକୁ ନେବା ସହିତ କହିଥିଲେ ସମୟ ଆସିଲେ ମଧ୍ୟ ପ୍ରଦେଶର ମହାନଦୀ ଜଳ ଆବଣ୍ଟନର ଭାଗକୁ ନେଇ ବିଚାର କରାଯିବ। ସୂଚନାଯୋଗ୍ୟ, ମହାନଦୀ ଜଳବିବାଦ ମାମଲାରେ ସାକ୍ଷ୍ୟଗ୍ରହଣ ତାରିଖ ଧାର୍ଯ୍ୟ ହୋଇସାରିଥିବାବେଳେ ଏହି ମାମଲାର ବିସ୍ତୃତ ଶୁଣାଣି ପାଇଁ ପୂର୍ବରୁ ଟ୍ରିବ୍ୟୁନାଲ ୪୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରି ସାରିଛନ୍ତି।