ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲା ଶୁଣାଣିରେ ଓଡ଼ିଶା ସରକାରଙ୍କ ପ୍ରଥମ ସାକ୍ଷୀ ଡ. ମନୋଜ କୁମାର ପଣ୍ଡାଙ୍କ ତଥ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଟ୍ରିବ୍ୟୁନାଲ। ଟ୍ରିବ୍ୟୁନାଲ କହିଛନ୍ତି, ପ୍ରଥମ ସାକ୍ଷୀଙ୍କ ତଥ୍ୟରେ ମହାନଦୀ ଅବବାହିକାର ତଥ୍ୟ ନାହିଁ। ଅବବାହିକା ଅଞ୍ଚଳର ତଥ୍ୟ ଅନୁସାରେ ଜଳର ଆବଣ୍ଟନ ପାଇଁ ‘ହେଲସିଙ୍କି’ ନିୟମ ରହିଛି। ଏହା ଆଧାରରେ ଅବବାହିକା ଅଞ୍ଚଳର ତଥ୍ୟକୁ ହିସାବକୁ ନିଆଯାଇ ଜଳ ଆବଣ୍ଟନ କରାଯାଇପାରିବ। ଅବବାହିକା ଅଞ୍ଚଳ ହେଉଛି ମୂଳ ପ୍ରସଙ୍ଗ ଓ ଏହାର ତଥ୍ୟ ଗୁରୁତ୍ବପୂର୍ଣ୍ଣ। ରାଜ୍ୟ ତଥ୍ୟରେ ଜନସଂଖ୍ୟା, ଭୌଗୋଳିକ ଅଞ୍ଚଳ, ଜନସଂଖ୍ୟାତତ୍ତ୍ବ, ସାମାଜିକ ଓ ଆର୍ଥିକ ଭଳି ଏକାଧିକ ତଥ୍ୟ ସାମିଲ କରାଯାଇଥାଏ। ଟ୍ରିବ୍ୟୁନାଲକୁ ଅବବାହିକା ଅଞ୍ଚଳ ସମ୍ବନ୍ଧୀୟ ନିର୍ଦ୍ଦିଷ୍ଟ ତଥ୍ୟର ଆବଶ୍ୟକତା ରହିଛି। ଏଥି ସହିତ ଚୂଡ଼ାନ୍ତ ହୋଇସାରିଥିବା ସାଧାରଣ ସୂଚନା ପ୍ରଣାଳୀ (ସିଏଫ୍‌ଆଇ)ର ତଥ୍ୟ ଓ ସଂଖ୍ୟାରେ ଦ୍ବନ୍ଦ୍ବ ଥିଲେ ଶୁଣାଣିବେଳେ ସାକ୍ଷୀମାନେ ସେହି ବିଷୟକୁ ଉତ୍‌ଥାପନ କରିପାରିବେ।

Advertisment

ଡ. ପଣ୍ଡାଙ୍କୁ ଆଜି ଟ୍ରିବ୍ୟୁନାଲରେ ଚତୁର୍ଥ ଥର ପ‌ାଇଁ ଛତିଶଗଡ଼ ଓକିଲ ଏକେ ଗାଙ୍ଗୁଲୀ ଜେରା କରିଥିଲେ। ଟ୍ରିବ୍ୟୁନାଲଙ୍କ ଅଧ୍ୟକ୍ଷ ବିଚାରପତି ଜଷ୍ଟିସ ଏଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ମଧ୍ୟ ପ୍ରଶ୍ନ କରିଥିଲେ। ଡ. ପଣ୍ଡା ମହାନଦୀ ଅବବାହିକା ଅଂଚଳର ସାମାଜିକ ଓ ଅର୍ଥନୈତିକ ବିକାଶ ସମ୍ବନ୍ଧରେ ୫୧୦ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି। ଏହି ଆଧାରରେ ତାଙ୍କୁ ଜେରା କରାଯାଇଥିଲା। ସତ୍ୟପାଠରେ ଡ. ପଣ୍ଡା ମହାନଦୀ ଅବବାହିକା ଉପରେ ବିଶେଷ ତଥ୍ୟ ଉପସ୍ଥାପନ କରିନାହାନ୍ତି। ଡ. ପଣ୍ଡା ଓଡ଼ିଶା ତଥ୍ୟ ସହ ଛତିଶଗଡ଼ ତଥ୍ୟକୁ ତୁଳନା କରିଛନ୍ତି ବୋଲି ଟ୍ରିବ୍ୟୁନାଲ କହିଛନ୍ତି।
ଜେରାବେଳେ ଡ. ପଣ୍ଡା ମହାନଦୀ ଅବବାହିକାର କିଛି ନିର୍ଦ୍ଦିଷ୍ଟ ତଥ୍ୟ ଉପଲବ୍ଧ ହୋଇପାରିନଥିବା ଉତ୍ତର ରଖିବା ବେଳେ କହିଥିଲେ। ପାଖାପାଖି ୨ ଘଣ୍ଟାର ଜେରା ପରେ ଦୁଇ ରାଜ୍ୟର ଓକିଲଙ୍କ ସହମତି ଆଧାରରେ ପ୍ରଥମ ସାକ୍ଷୀ ଭାବେ ଶ୍ରୀ ପଣ୍ଡାଙ୍କ ଜେରା ଶେଷ ହୋଇଥିଲା। ସେହିଭଳି ଓଡ଼ିଶାର ଦ୍ବିତୀୟ ସାକ୍ଷୀ ଓୟୁଏଟିର ପୂର୍ବତନ ଡିନ୍‌ ଡ. ଦିବାକର ନାୟକଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ଟ୍ରିବ୍ୟୁନାଲ ଆସନ୍ତାମାସ ୧୧କୁ ଧାର୍ଯ୍ୟ କରିଛନ୍ତି। ଟ୍ରିବ୍ୟୁନାଲରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୯ ଜଣ ସାକ୍ଷୀଙ୍କ ମଧ୍ୟରୁ ୪ ଜଣ ସାକ୍ଷୀ ସତ୍ୟପାଠ ଦାଖଲ କରିସାରିଛନ୍ତି।