ନୂଆଦିଲ୍ଲୀ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଆସନ୍ତାକାଲି ଏହାର ଶୁଣାଣି କରିବେ। ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ କରିବା ଦିଗରେ ଆସନ୍ତାକାଲିର ଶୁଣାଣି ବିଶେଷ ଗୁରତ୍ବ ବହନ କରୁଛି। ଗତ ମାସ ୧୬ ତାରିଖରେ ସାକ୍ଷୀ ତାଲିକା ଦାଖଲ କରିବା ନେଇ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ଉଭୟ ରାଜ୍ୟ ପକ୍ଷରୁ ନୂଆ ସାକ୍ଷୀ ତାଲିକା ଦାଖଲ କରିବା ପ୍ରକ୍ରିୟା ଶେଷ ହୋଇଛି। ଛତିଶଗଡ଼ ପକ୍ଷରୁ ୧୦ ଓ ଓଡ଼ିଶା ତରଫରୁ ୯ ଜଣିଆ ସାକ୍ଷୀ ତାଲିକା ଦାଖଲ କରାଯାଇଛି। ଆସନ୍ତାକାଲିର ଶୁଣାଣିରେ ଦାଖଲ କରାଯାଇଥିବା ସାକ୍ଷୀ ତାଲିକାକୁ ଟ୍ରିବ୍ୟୁନାଲ ରେକର୍ଡକୁ ନେବାର ସମ୍ଭାବନା ରହିଛି। ସେହିଭଳି ପୂର୍ବର ସାକ୍ଷୀଙ୍କ ବୟାନ ରେକର୍ଡ ପ୍ରକ୍ରିୟା ଅର୍ନ୍ତଗତ ଡ. ମନୋଜ କୁମାର ପଣ୍ଡାଙ୍କ ବୟାନ ରେକର୍ଡ ପାଇଁ ଟ୍ରିବ୍ୟୁନାଲଙ୍କୁ ସୂଚିତ କରାଯାଇଛି। ସାକ୍ଷ୍ୟ ରେକର୍ଡ ପରେ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ଦ୍ଦିଷ୍ଟ ତାରିଖରେ ଜେରା ପାଇଁ ସେ ହାଜର ରହିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରିବ୍ୟୁନାଲଙ୍କୁ ଜଣାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଇନ୍ଷ୍ଟିଚ୍ୟୁଟ ଅଫ୍ ଇକୋନମିକ ଗ୍ରୋଥ୍ର ପୂର୍ବତନ ନିର୍ଦ୍ଦେଶକ ଡ. ମନୋଜ କୁମାର ପଣ୍ଡା ମହାନଦୀ ଅବବାହିକାରେ ସାମାଜିକ ଓ ଆର୍ଥିକ ବିକାଶ ସଂପର୍କରେ ସାକ୍ଷୀ ସତ୍ୟପାଠ ଟ୍ରିବ୍ୟୁନାଲରେ ଦାଖଲ କରିସାରିଛନ୍ତି। ଡ. ପଣ୍ଡାଙ୍କ ସାକ୍ଷ୍ୟ ରେକର୍ଡ ଓ ଜେରା ଶେଷ ହେବା ପରେ ଓଡ଼ିଶା ପକ୍ଷରୁ ଦ୍ବିତୀୟ ସାକ୍ଷୀ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ପୂର୍ବତନ ଡିନ୍ ଡ. ଦିବାକର ନାୟକଙ୍କୁ ଟ୍ରିବ୍ୟୁନାଲଙ୍କ ଦ୍ବାରା ଧାର୍ଯ୍ୟ ତାରିଖରେ ବୟାନ ରେକର୍ଡ ଓ ଜେରା ପାଇଁ ଉପସ୍ଥିତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଥିଲା। ଡ. ଦିବାକର ନାୟକ ମହାନଦୀ ଅବବାହିକାରେ ଚାଷର ବିକାଶ ଉପରେ ସାକ୍ଷ୍ୟ ଦେବେ। ଡ. ନାୟକଙ୍କ ଦ୍ବାରା ସାକ୍ଷୀ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି। ଏଥି ସହିତ ଅନ୍ୟ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବା ସଂପର୍କରେ ପର୍ଯ୍ୟାୟକ୍ରମେ ଜଣାପଡ଼ିବ ବୋଲି ରାଜ୍ୟ ପକ୍ଷରୁ କୁହାଯାଇଛି। ଗତ ଶୁଣାଣିବେଳେ ଟ୍ରିବ୍ୟୁନାଲ କମନ ଫର୍ମାଟ ଇନ୍ଫରମେସନ (ସିଏଫ୍ଆଇ)ର ଅବଶିଷ୍ଟ ଅନୁକ୍ରମଣିକା (ଆପେଣ୍ଡିକ୍ସ) ପାଇଁ ତଥ୍ୟ ଦାଖଲ କରିବାକୁ ଓଡ଼ିଶା ଓ ଛତିଶଗଡ଼କୁ ୪ ସପ୍ତାହ ସମୟ ଦେଇଥିଲେ। ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ପକ୍ଷରୁ ସିଏଫ୍ଆଇ ଲାଗି ବକେୟା ଥିବା ତିନୋଟି ଅନୁକ୍ରମଣିକା-୧୪ଏ, ୩୫ ଓ ୪୧ଏର ତଥ୍ୟ ଦାଖଲ କରାଯାଇଛି। ସିଏଫ୍ଆଇରେ ତଥ୍ୟ ଦାଖଲ ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ସାରିଥିବାରୁ ଆସନ୍ତାକାଲି ଟ୍ରିବ୍ୟୁନାଲ ଏ ସଂକ୍ରାନ୍ତରେ ପରବର୍ତ୍ତୀ ନିର୍ଦ୍ଦେଶ ଜାରି କରିବାର ସମ୍ଭାବନା ରହିଛି। ଏଥି ସହିତ ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନ୍ତର୍ଗତ ମହାନଦୀ ଜଳ ବିବାଦ ମାମଲାରେ ମଧ୍ୟ ପ୍ରଦେଶ ପକ୍ଷରୁ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଛି।