ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ କାରବାର ମାମଲାରେ ଆଜି ଦ୍ବିତୀୟ ଦିନ ପାଇଁ ଏନ୍ସିବି ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଛି। ଏନ୍ସିବି ଉଭୟ ରିୟା ଏବଂ ତାଙ୍କ ଭାଇ ସୌଭିକଙ୍କୁ ମିଳିତ ଭାବେ ଜେରା କରିଛି। ଆସନ୍ତାକାଲି ତୃତୀୟ ଦିନ ପାଇଁ ମଧ୍ୟ ରିୟାଙ୍କୁ ଏନ୍ସିବି ଜେରା କରିବ ବୋଲି ସମନ ଜାରି କରିଛି। ଏନ୍ସିବି ରିୟା ଏବଂ ତାଙ୍କ ଭାଇ ସୌଭିକଙ୍କ କଲ୍ ଡାଟା ରେକର୍ଡ ଯାଞ୍ଚ କରିଛି। ସେମାନଙ୍କର ଅନ୍ୟ କେଉଁ ନିଶା ବେପାରୀଙ୍କ ସହ ସମ୍ପର୍କ ରହିଛି, ଏନ୍ସିବି ତାହାର ତଦନ୍ତ କରୁଛି। ଅପରପକ୍ଷେ, ରିୟା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା ସିଂହଙ୍କ ବିରୋଧରେ ଏଫ୍ଆଇଆର୍ କରିଛନ୍ତି। ରିୟା ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉ ନଥିଲେ। କିନ୍ତୁ ସେ ସୁଶାନ୍ତଙ୍କୁ ବେଆଇନ୍ ଭାବେ ଡ୍ରଗ୍ସ ଦେଉଥିଲେ ବୋଲି ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ମିଥ୍ୟା ଅଭିଯୋଗ କରିଥିଲେ। ପ୍ରିୟଙ୍କାଙ୍କ ଏହି ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ।
ବରଂ ପ୍ରିୟଙ୍କା ସୁଶାନ୍ତଙ୍କ ମାନସିକ ରୋଗ ଭଲ କରିବାକୁ ଡ୍ରଗ୍ସ ଦେଉଥିଲେ ବୋଲି ରିୟା ତାଙ୍କ ଏଫ୍ଆଇଆର୍ରେ ଉଲ୍ଲେଖ କରିଛନ୍ତି। ସୁଶାନ୍ତ ଅଭ୍ୟାସଗତ ଭାବେ ମାରିଜୁଆନା ସେବନ କରୁଥିଲେ ବୋଲି ରିୟା ଏନ୍ସିବିକୁ କହିଛନ୍ତି। ସୁଶାନ୍ତଙ୍କ ଗୃହ ପରିଚାଳକ ଦିପେଶ ସାୱନ୍ତଙ୍କ ମାଧ୍ୟମରେ ସେ ଡ୍ରଗ୍ସ କିଣୁଥିଲେ ବୋଲି ରିୟା ଏନ୍ସିବି ଆଗରେ ସ୍ବୀକାର କରିଛନ୍ତି। ରିୟା ନିଜେ ଆଲ୍କୋହଲ ନେଉଥିଲେ ଓ ସିଗାରେଟ୍ ପିଉଥିଲେ। ମାତ୍ର ଡ୍ରଗ୍ସ ସେବନ କରୁ ନଥିଲେ ବୋଲି କହିଛନ୍ତି। ଅପରପକ୍ଷେ, ରିୟା ଏନ୍ସିବିକୁ ବଲିଉଡ୍ରେ ଡ୍ରଗ୍ସ ସେବନ କରୁଥିବା କିଛି ପ୍ରତିଷ୍ଠିତ ଅଭିନେତାଙ୍କ ନାମର ଏକ ତାଲିକା ପ୍ରଦାନ କରିଛନ୍ତି। ରିୟାଙ୍କ ଏହି ତାଲିକା ଅନୁସାରେ ଏନ୍ସିବି ତଦନ୍ତର ଦିଗ ବଦଳାଇଛି।