ଲାହୋର : ନିଜେ ଆୟୋଜନ କରୁଥିବା ଚାମ୍ପିୟନ୍ସ ଟ୍ରଫିରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟରେ ହଇଚଇ ସୃଷ୍ଟି ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଅଭିଯାନ ଶେଷ ହୋଇଥିଲେ ହେଁ ଦଳ ଏବେ ପରବର୍ତ୍ତୀ ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଚାମ୍ପିୟନ୍ସ ଟ୍ରଫିର ନୂଆ ଚାମ୍ପିୟନ ହେବା ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ନୂଆ ସିରିଜ୍ ପାଇଁ ଦଳ ଘୋଷଣା କରିଛି।  ମହମ୍ମଦ ରିଜୱାନଙ୍କୁ ଟି-୨୦ ଶୃଙ୍ଖଳା ପାଇଁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି ଏବଂ ବାବର ଆଜମଙ୍କୁ ମଧ୍ୟ ଦଳରୁ ଦ୍ୱାର ଦେଖାଯାଇଛି। ତେବେ ରିଜୱାନ ଏବେ ବି ଦିନିକିଆରେ ଅଧିନାୟକ ଅଛନ୍ତି।

Advertisment

ଚାମ୍ପିୟନ୍ସ ଟ୍ରଫି ପରେ ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯିବାକୁ ଯାଉଛି। ୫ଟି ଟି-୨୦ ମ୍ୟାଚ୍ ର ସିରିଜ୍ ଖେଳାଯିବା ପରେ ୩ଟି ଦିନିକିଆ ସିରିଜ୍ ଖେଳାଯିବ। ସଲମାନ୍ ଅଲ୍ଲୀ ଆଗାଙ୍କୁ ନେଇ ପିସିବି ଏଥର ଟି-୨୦ ମ୍ୟାଚ୍ ପାଇଁ ନୂଆ ଅଧିନାୟକ ନିଯୁକ୍ତ କରିଛି। ଇତିମଧ୍ୟରେ ଶାଦାବ ଖାନ୍ ଦଳକୁ ଫେରିଛନ୍ତି ଏବଂ ତାଙ୍କୁ ଉପଅଧିନାୟକ କରାଯାଇଛି। ଏହି ଦଳରେ ବାବର ଆଜମଙ୍କ ନାଁ ନାହିଁ। ପିସିବି ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଛି। ଏହି ସିରିଜ୍ ପାକିସ୍ତାନକୁ ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି କରିବାରେ ସହାୟକ ହେବ ବୋଲି ବିଶ୍ୱାସ କରାଯାଉଛି। ମହମ୍ମଦ ରିଜୱାନ ଏବଂ ବାବର ଆଜମଙ୍କୁ ଟି-୨୦ ସିରିଜ ପାଇଁ ବିଶ୍ରାମ ଦିଆଯାଇଛି ନା ସେମାନଙ୍କୁ ଦଳରୁ ବାଦ୍ ଦିଆଯାଇଛି ତାହା କହିବା ଏବେ କଷ୍ଟକର ହୋଇପଡ଼ିଛି।