ଆର୍‌ଜେଡ଼ି ମୁଖ୍ୟ ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି: ଉନ୍ନତ ଚିକିତ୍ସା ପାଇଁ ଅନୁରୋଧ କଲେ ବିଧାୟିକା

ରାଞ୍ଚି : ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଞ୍ଚି ଜେଲରେ ଥିବା ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥାବସ୍ଥା କ୍ରମଶଃ ବିଗିଡିବାରେ ଲାଗିଛି ବୋଲି ଜଣାପଡ଼ିଛି। ଆର୍‌ଜେଡ଼ି ବିଧାୟିକା ରେଖା ଦେବୀ ତାଙ୍କୁ ଜେଲରେ ଭେଟିବା ପରେ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦିନକୁ ଦିନ ଅବନତି ଘଟୁଛି ବୋଲି କହିଛନ୍ତି।

ଶନିବାର ଲାଲୁଙ୍କୁ ଭେଟି ତାଙ୍କର ଏପରି ଅବସ୍ଥା ଦେଖିବା ପରେ ଉନ୍ନତ ଚିକିତ୍ସା ପ୍ରଦାନ କରାଯାଉ ବୋଲି ଅନୁରୋଧ କରିଛନ୍ତି ରେଖା ଦେବୀ । ତାଙ୍କ କହିବା ଅନୁଯାୟୀ, ଲାଲୁଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ତାଙ୍କର ରକ୍ତ ସର୍କରରା ସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ତାଙ୍କୁ ଏମିତି ଏକ ସ୍ଥାନକୁ ନେବା ଦରକାର,ଯେଉଁଠି ତାଙ୍କର ଭଲ ଭାବରେ ଚିକିତ୍ସା କରାଯାଇ ପାରିବ ।

ସୂଚନା ମୁତାବକ, ନିକଟରେ ଲାଲୁ ପ୍ରସାଦଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ରାଞ୍ଚିରେ ଥିବା ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ମଧୁମେହ ଆକ୍ରାନ୍ତ ହେବା ସହ ହୃଦ୍‌ରୋଗୀ ହୋଇଥିବାରୁ ତାଙ୍କର ଅବସ୍ଥା ସୁଧୁରୁ ନଥିବା ଜଣା ପଡ଼ିଛି । ମୁମ୍ବାଇର ଏକ ଡ଼ାକ୍ତରଖାନାରେ ତାଙ୍କର ଫିଷ୍ଟୁଲା ଅପରେସନ କରାଯିବା ପରେ ତାଙ୍କୁ ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସ ହସ୍ୱିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେ ଥିବା ଓ୍ଵାର୍ଡ଼ରେ ମଶା ଥିବା ସହ ଅପରିଷ୍କାର ପରିବେଶ ହୋଇଥିବାରୁ ଏହାର ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ବୋଲି ଅଭିଯୋଗ କରି ତାଙ୍କୁ ଅନ୍ୟ ଡ଼ାକ୍ତରଖାନାକୁ ନେବା ଲାଗି ଅନୁରୋଧ କରାଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର