ନୂଆଦିଲ୍ଲୀ: ଆର୍ଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ସୋମବାର ଦିନ ସିଙ୍ଗାପୁରର ଏକ ହସ୍ପିଟାଲରେ କିଡନି ପ୍ରତିରୋପଣ କରାଯାଇଛି। ତାଙ୍କ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି। ଲାଲୁଙ୍କ ଦ୍ବିତୀୟ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କୁ କିଡନି ଦେଇଛନ୍ତି। ପ୍ରତିରୋପଣ ସଫଳ ହେବା ନେଇ ଲାଲୁଙ୍କ ପୁଅ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଟ୍ବିଟ୍ କରି ଏହି ସୂଚନା ଦେବା ପରେ ଏବେ ଲାଲୁଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି।
आप सब की दुआओं ने ही पापा का मनोबल बढ़ाया, उन्हें बेहतर महसूस करवाया!
आज पापा ने आप सभी को बहुत बहुत धन्यवाद कहा है! 🙏#LaluPrasadYadav@laluprasadrjdpic.twitter.com/PL1ZY9UVaP— Dr. Misa Bharti (@MisaBharti) December 6, 2022
ଲାଲୁଙ୍କ ଝିଅ ତଥା ସାଂସଦ ଡାକ୍ତର ମିସା ଭାରତୀ ଲାଲୁଙ୍କ ଭିଡିଓ ଟ୍ବିଟ କରି ଲେଖିଛନ୍ତି ଯେ, ଆପଣ ସମସ୍ତଙ୍କ ପ୍ରାର୍ଥନା ମୋ ବାପାଙ୍କ ମନୋବଳ ବଢ଼ାଇଲା ଏବଂ ତାଙ୍କୁ ଭଲ ଅନୁଭବ ଦେଲା। ଆଜି ବାପା ଆପଣ ସମସ୍ତଙ୍କୁ ଅନେକ ଧନ୍ୟବାଦ ଜଣାଇଛନ୍ତି। ଟ୍ବିଟ କରାଯାଇଥିବା ଭିଡିଓରେ ଲାଲୁ କହିଛନ୍ତି ଯେ, ଆପଣ ସମସ୍ତେ ପ୍ରାର୍ଥନା କଲେ। ଏବେ ମୁଁ ଭଲ ଅନୁଭବ କରୁଛି। ଏହା ପୂର୍ବରୁ ମଧ୍ୟ ଲାଲୁଙ୍କ ଝିଅ ମିସା ତାଙ୍କର ସ୍ବାସ୍ଥ୍ୟକୁ ନେଇ ଅପଡେଟ ଦେଇଥିଲେ।
ତେବେ ରୋହିଣୀ ନିଜ ବାପାଙ୍କ ଜୀବନ ବଞ୍ଚାଇବାକୁ ଏତେ ବଡ଼ ତ୍ୟାଗ କରିଥିବାରୁ ତାଙ୍କୁ ବିଭିନ୍ନ ଆଡୁ ପ୍ରସଂଶା ମିଳିବାରେ ଲାଗିଛି। ରୋହିଣୀଙ୍କ ପ୍ରଶଂସା କରି ବିଜେପିର ବରିଷ୍ଠ ନେତା ଗିରିରାଜ୍ ସିଂହ ଏକ ଟ୍ବିଟ୍ କରି ଲେଖିଛନ୍ତି, ‘ଝିଅ ହେବ ତ ରୋହିଣୀ ଆଚାର୍ଯ୍ୟଙ୍କ ପରି। ଆପଣଙ୍କକୁ ନେଇ ମୁଁ ଗର୍ବ କରୁଛି। ଆସନ୍ତା ପିଢ଼ିଙ୍କ ପାଇଁ ଆପଣ ଉଦାହରଣ ବନିବେ।’