ଆର୍‌ଜେଡିର ନୂଆ ପ୍ରସ୍ତାବ: ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନୀତୀଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ

ପାଟନା : ବି‌ହାରରେ ବିଜେପି-ଜେଡିୟୁ ନେତୃତ୍ବରେ ମେଣ୍ଟ ସରକାର ଗଠନ ହେବାର ମାତ୍ର ଦୁଇ ମାସ ମଧ୍ୟରେ ଏବେ ବଡ଼ ଫାଟ ଦେଖିବାକୁ ମିଳିଛି । ନିକଟରେ ଅରୁଣାଚଳ ପ୍ରଦେଶର ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହୋଇଯିବା ପରେ ଏହାକୁ ବିହାର ଜେଡିୟୁ ନେତାମାନେ ତୀବ୍ର ବିରୋଧ କରିଛନ୍ତି ଏବଂ ଏଥିପାଇଁ ବିଜେପିକୁ ଦାୟୀ କରିଛନ୍ତି। ଏଭଳି ସ୍ଥିତିରେ ଏବେ ଆର୍‌ଜେଡି ନୂଆ ରାଜନୈତିକ ଚାଲ୍‌ ଖେଳିଛି। ନୀତୀଶ କୁମାର ଯଦି ଏନ୍‌ଡିଏରୁ ଅଲଗା ହୋଇ ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ସମର୍ଥନ କରିବେ ତା’ହେଲେ ଆର୍‌ଜେଡି ୨୦୨୪ ଲୋକସଭା ନିର୍ବାଚନରେ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଭାବେ ସମର୍ଥନ କରିବ ବୋଲି ଆର୍‌ଜେଡି କହିଛି। ଆର୍‌ଜେଡିର ଏହି ନୂଆ ପ୍ରସ୍ତାବ ବିହାର ରାଜନୀତିକୁ ସରଗରମ କରିଦେଇଛି। ଆର୍‌ଜେଡିର ବରି‌ଷ୍ଠ ନେତା ଉଦୟ ନାରାୟଣ ଚୌଧୁରୀ କହିଛନ୍ତି ଯେ ନୀତୀଶ ଆର୍‌ଜେଡିର ଏହି ପ୍ରସ୍ତାବ ଗ୍ରହଣ କରିବା ହିଁ ଉଚିତ ହେବ, କାରଣ ତାଙ୍କ ପାଇଁ ଏବେ ଦିଲ୍ଲୀ ଦଖଲ କରିବା ସମୟ ଆସିଯାଇଛି।

ଅନ୍ୟପକ୍ଷରେ ଅରୁଣାଚଳ ପ୍ରସଙ୍ଗ ନେଇ ବିଜେପି-ଜେଡିୟୁ ମେଣ୍ଟ ସରକାରରେ ଆରମ୍ଭ ହୋଇଥିବା ତିକ୍ତତାର ଅବସାନ ପାଇଁ ମଧ୍ୟ ଏବେ ଦୁଇ ଦଳ ପ୍ରୟାସ ଆରମ୍ଭ କରିଛନ୍ତି। ନୀତୀଶଙ୍କ ଘନିଷ୍ଠ ବନ୍ଧୁ ତଥା ବିଜେପି ନେତା ସୁଶୀଲ ମୋଦୀ ଏହି ମାମଲାରେ ସାମ୍ନାକୁ ଆସିଛନ୍ତି ଏବଂ ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଅତୁଟ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର