କୃଷି ଆଇନକୁ ବିରୋଧ କରି ଏନଡିଏ ଛାଡ଼ିଲା ଆରଏଲପି

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଛାଡ଼ିବା ବିଷୟ ଘୋଷଣା କରିଛି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲପି) । ଏ ସମ୍ପର୍କରେ ଆରଏଲପିର ପ୍ରତିଷ୍ଠାତା ତଥା ସାଂସଦ ହନୁମାନ ବେନିଓ୍ବାଲ ଘୋଷଣା କରିଛନ୍ତି ।

ରାଜସ୍ଥାନର ଅଲଓ୍ବାରଠାରେ ଥିବା ଶାହାଜାହନାପୁର-ଖେଡ଼ା ସୀମାରେ ଆନ୍ଦୋଳନରତ କୃଷକମାନଙ୍କୁ ସେ କହିଛନ୍ତି ଯେ ଯେଉଁମାନେ କୃଷକମାନଙ୍କ ବିରୋଧରେ ଅଛନ୍ତି, ତାଙ୍କ ଦଳ ସେମାନଙ୍କ ସହିତ ରହିବ ନାହିଁ । ଏଣୁ ମୁଁ ଘୋଷଣା କରୁଛି ଯେ, ମୁଁ ଏନଡିଏ ଛାଡ଼ୁଛି ।

ଦ୍ବିତୀୟ ବିଜେପି ସହଯୋଗୀ ଦଳଭାବେ ଆରଏଲପି କୃଷି ଆଇନକୁ ବିରୋଧ କରି ଏନଡିଏ ଛାଡ଼ିଛି । ପୂର୍ବରୁ ଅକାଳୀ ଦଳ ସମାନ କାରଣ ପାଇଁ ଏନଡିଏ ଛାଡ଼ିଥିଲା ।

ରାଜସ୍ଥାନର ନାଗୌରର ସାଂସଦ ବେନିଓ୍ବାଲ କହିଛନ୍ତି ଯେ ସେ ସଂସଦରେ ଅନୁପସ୍ଥିତ ଥିବାବେଳେ ଏହି କୃଷି ଆଇନ ଗୃହୀତ ହୋଇଥିଲା । ତାଙ୍କୁ ସଂସଦରୁ ଦୂରେଇ ରଖିବାକୁ ତାଙ୍କର କରୋନା ରିପୋର୍ଟକୁ ବଦଳାଯାଇଥିଲା ବୋଲି ସେ କହିଛନ୍ତି । କୃଷକ ଆନ୍ଦୋଳନ ସମର୍ଥନରେ ରାଜସ୍ଥାନର ୨ ଲକ୍ଷ କୃଷକ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ଉଚିତ ବୋଲି ସେ ଆହ୍ବାନ ଜଣାଇଛନ୍ତି । ସେ ନିଜେ ଏହି କୃଷକ ଆନ୍ଦୋଳନର ନେତୃତ୍ବ ନେବେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର