ପୁନେ : ପୁନେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ରବିବାର ରାତିରେ ଭୀଷଣ ଦୁର୍ଘଟଣା ଘଟି ୪୮ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ଏବଂ ଏଥିରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ଏକସଂଗରେ ସବୁଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା ଏବଂ ଏହି ଭୟାନକ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
ପୁନେର ନଭାଲେ ସେତୁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର୍ର ବ୍ରେକ୍ ଫେଲ ହେବାପରେ ଏହା ନିୟନ୍ତ୍ରଣ ହରାଇଥିଲା ଏବଂ କେତେକ ଗାଡ଼ିକୁ ଧକ୍କା ଦେବାପରେ ପଛକୁ ପଛ ପ୍ରାୟ ୪୮ଟି ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ଆହତମାନଙ୍କୁ ପୁନେର ଦୁଇଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ବାହିନୀ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଦୁର୍ଘଟଣା ପରେ ନଭାଲେ ସେତୁ ଦେଇ ଯାନ ଚଳାଚଳ ବନ୍ଦ ରହିଛି । କ୍ଷତିଗ୍ରସ୍ତ କାର୍ଗୁଡ଼ିକୁ କ୍ରେନ୍ ସହାୟତାରେ ବାହାର କରାଯାଉଛି । ଗତ ଅକ୍ଟୋବର ମାସରେ ମଧ୍ୟ ଏହି ରାସ୍ତାରେ ଏକ ବସ୍ ନିୟନ୍ତ୍ରଣ ହରାଇ ୭ଟି ଯାନକୁ ଧକ୍କା ଦେଇଥିଲା ଏବଂ ଏଥିରେ ୮ ଜଣ ଗୁରୁତର ଆହତ ହୋଇଥିଲେ।