ନୂଆଦିଲ୍ଲୀ: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ୨୦୨୩ ଅନୁଯାୟୀ, ୨୦୨୩ରେ ସଡ଼କ ଦୁର୍ଘଟଣାରେ ପଥଚାରୀଙ୍କ ମୃତ୍ୟୁସଂଖ୍ୟା ୩୫,୨୨୧କୁ ବୃଦ୍ଧି ପାଇଛି, ଯାହା ୨୦୨୨ରେ ୩୨,୮୨୫ ଥିଲା। ଏହା ବାର୍ଷିକ ୭.୨୯ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି। ୨୦୨୩ରେ ମୋଟ ସଡ଼କ ଦୁର୍ଘଟଣା ମୃତ୍ୟୁର ୨୦.୪ ପ୍ରତିଶତ ପଥଚାରୀ ହୋଇଥିବା ବେଳେ ୨୦୨୨ରେ ଏହା ୧୯.୫ ପ୍ରତିଶତ ଥିଲା।
ମୋଟାମୋଟି ଭାବେ ୨୦୨୩ରେ ଦୁର୍ଘଟଣା ସଂଖ୍ୟା ୪,୮୦,୫୮୩କୁ ବୃଦ୍ଧି ପାଇଛି, ଯାହା କି ୨୦୨୨ରେ ୪,୬୧,୩୧୨ ଥିଲା। ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୨୦୨୩ରେ ୧,୭୨,୮୯୦ରେ ପହଞ୍ଚିଛି, ଯାହା କି ୨୦୨୨ରେ ୧,୬୮,୪୯୧ ଥିଲା। ୨୦୨୨ରେ ୪,୪୩,୩୬୬ ଜଣ ଆହତ ହୋଇଥିବା ବେଳେ ୨୦୨୩ରେ ଏହା ୪,୬୨,୮୨୫କୁ ବୃଦ୍ଧି ପାଇଛି। ଦୁଇଚକିଆ ଯାନ ଚାଳକମାନେ ସବୁଠାରୁ ଅଧିକ ବିପଦସଙ୍କୁଳ ଗୋଷ୍ଠୀ ହୋଇ ରହିଛନ୍ତି, ଯାହା ମୋଟ ମୃତ୍ୟୁର ୪୪.୮ ପ୍ରତିଶତ। ତା’ ତଳକୁ ପଥଚାରୀ ଏବଂ ତା’ ତଳକୁ ହାଲୁକା ମୋଟର ଯାନ ଓ ସାଇକେଲ ଚାଳକମାନେ ପ୍ରଭାବିତ ହୋଇଛନ୍ତି। ଭାରତର ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଏହି ତିନୋଟି ଗୋଷ୍ଠୀ।
ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ୧୮-୪୫ ବର୍ଷ ବୟସର ପୀଡ଼ିତମାନେ ସମୁଦାୟ ମୃତ୍ୟୁର ୬୬.୪ ପ୍ରତିଶତ ଥିବା ବେଳେ ୮୩.୪ ପ୍ରତିଶତ ୧୮-୬୦ ବର୍ଷର କାର୍ଯ୍ୟ-ବୟସ ଗୋଷ୍ଠୀର ଥିଲେ। ଏହି ଢାଞ୍ଚା ସଡ଼କ ଦୁର୍ଘଟଣାର ଅର୍ଥନୈତିକ ଓ ସାମାଜିକ କ୍ଷତିକୁ ସୂଚାଇଥାଏ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ବାରମ୍ବାର ସର୍ବସାଧାରଣ ମଞ୍ଚରେ ସଡ଼କ ଦୁର୍ଘଟଣା ଯୋଗୁଁ ଜିଡିପିର ୩% କ୍ଷତି ବିଷୟରେ କହିଛନ୍ତି।
ବିଭିନ୍ନ ରାଜ୍ୟରେ ଦୁର୍ଘଟଣା ହାର ଭିନ୍ନ ଭିନ୍ନ ଥିଲା। ୨୦୨୩ରେ ତାମିଲନାଡୁରେ ସର୍ବାଧିକ ୬୭,୨୧୩ ଦୁର୍ଘଟଣା ଘଟିଥିବା ବେଳେ ଉତ୍ତରପ୍ରଦେଶରେ ସର୍ବାଧିକ ୨୩,୬୫୨ ଜଣଙ୍କ ମୃତ୍ୟୁ ଘଟିଛି। ସହରଗୁଡ଼ିକ ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ସର୍ବାଧିକ ୧୪୬୩ ଥିବା ବେଳେ ଚେନ୍ନାଇରେ ସର୍ବାଧିକ ୫୬୮୬ ସଡ଼କ ଦୁର୍ଘଟଣା ଘଟିଛି। ସଡ଼କ ଦୁର୍ଘଟଣାର କାରଣ ହେଉଛି ଡ୍ରାଇଭିଂ ଆଚରଣ। ଅତ୍ୟଧିକ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁଁ ୬୮.୧ ପ୍ରତିଶତ ମୃତ୍ୟୁ ଘଟିଥିବା ବେଳେ ଭୁଲ ପାର୍ଶ୍ୱରେ ଗାଡି ଚଳାଇବା ଯୋଗୁଁ ୫.୫% ଓ ମୋବାଇଲ୍ ଫୋନ୍ ବ୍ୟବହାର କରି ଗାଡ଼ି ଚଳାଇବା ଯୋଗୁଁ ୧.୯% ପ୍ରତିଶତ ମୃତ୍ୟୁ ଘଟିଛି। ରିପୋର୍ଟରେ କୁହାଯାଇଛି ଯେ ୬୭% ଦୁର୍ଘଟଣା ସିଧା ରାସ୍ତାରେ ଘଟିଥିବା ବେଳେ ବଙ୍କା, ଖରାପ କିମ୍ବା ଖାଲଖମାରେ ୧୪.୪୭ ପ୍ରତିଶତ ଦୁର୍ଘଟଣା ଘଟିଛି। ଆବାସିକ ଓ ସଂସ୍ଥାଗତ ଜୋନ୍ ତୁଳନାରେ ଖୋଲା ସ୍ଥାନରେ ଦୁର୍ଘଟଣା ଅଧିକ ଦେଖିବାକୁ ମିଳିଛି।