ନୂଆଦିଲ୍ଲୀ: ଦେଶରେ ୨୦୨୨ରେ ସଡ଼କ ଦୁର୍ଘଟଣା ଗତ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ୨୦୧୧ ମସିହାରେ ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା ୪,୯୭,୬୮୬ ଥିଲା। ୨୦୨୨ରେ ଏହି ସଂଖ୍ୟା ୪,୬୧,୩୧୨ ରହିଛି। ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଥିଲେ ବି ଏଥିଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ୨୦୧୧ରେ ଭାରତରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୧,୪୨,୪୮୫ ଥିଲା। କିନ୍ତୁ ୨୦୨୨ରେ ଏହା ୧,୬୮,୪୯୧କୁ ବୃଦ୍ଧି ପାଇଛି ବୋଲି ନିକଟରେ ପ୍ରକାଶିତ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ତଥ୍ୟରୁ ଜଣାଯାଇଛି।
୨୦୨୧ ମସିହା ପାଇଁ ଅନ୍ତର୍ଜାତୀୟ ସ୍ତରରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ଦେଖିଲେ ଭାରତ ଶୀର୍ଷରେ ରହିଛି। ଇଣ୍ଟରନ୍ୟାସନାଲ ରୋଡ୍ ଫେଡେରେସନର ତଥ୍ୟ ଅନୁଯାୟୀ, ୨୦୨୧ରେ ଭାରତରେ ସର୍ବାଧିକ ୧,୫୧,୯୭୨ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହା ପଛକୁ ଦ୍ବିତୀୟ ସ୍ଥାନରେ ଚୀନ ରହିଛି। ଚୀନରେ ୬୨,୨୧୮ ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଜୀବନ ହରାଇଛନ୍ତି। ଏହା ପଛକୁ ଯଥାକ୍ରମେ ଯୁକ୍ତରାଷ୍ଟ୍ର ଆମେରିକାରେ ୪୨,୯୧୫ ଜଣ, ଇଣ୍ଡୋନେସିଆରେ ୨୫୨୬୬ ଜଣ, ଇରାନରେ ୧୬,୨୪୧ ଜଣ, ରୁଷ୍ରେ ୧୩,୮୭୪ ଜଣ, ଦକ୍ଷିଣ ଆଫ୍ରିକାରେ ୧୨,୫୪୫ ଜଣ, ଫିଲିପାଇନ୍ସରେ ୧୧୦୯୬ ଜଣ, ଇଜିପ୍ଟରେ ୭୩୨୬ ଜଣ ଏବଂ କଲମ୍ବିଆରେ ୭୨୩୮ ଜଣଙ୍କର ମୃତ୍ୟୁ ହୋଇଛି।