ମହାରାଷ୍ଟ୍ରରେ ସରକାର ଗଠନ ଆଶା ବଢିଲା, ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ପାଇଁ ଶିବସେନା,କଂଗ୍ରେସ ଓ ଏନସିପି ମଧ୍ୟରେ ସହମତି
ମୁମ୍ବାଇ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଶେଷ ହେବାର ଆଶା ସୃଷ୍ଟି ହୋଇଛି । ଏକ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ପାଇଁ ତିନି ଦଳ ଶିବସେନା, କଂଗ୍ରେସ ଓ ଏନସିପି ରାଜି ହୋଇଥିବା ଜଣାପଡିଛି । ପ୍ରାୟ ୪୮ ଘଣ୍ଟାଧରି ବିଚାରବିମର୍ଷ ପରେ ତିନି ଦଳ ଏହି କାର୍ଯ୍ୟକ୍ରମ ଉପରେ ସହମତି ପ୍ରକାଶ କରିଛନ୍ତି । ଏହି ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମରେ କୃଷି ଋଣଛାଡ, ଫସଲ ବୀମା ଯୋଜନାର ସମୀକ୍ଷା, ବେରୋଜଗାରୀ, ଏମଏସପି ବୃଦ୍ଧି, ଶିବାଜୀ ଓ ଆମ୍ବେଦକର ମେମୋରିଆର ନିର୍ମାଣ ଆଦି ପ୍ରସଙ୍ଗ ରହିଛି । ସହମତି ପରେ ଏହି ଚିଠା ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମକୁ ତିନି ଦଳର ଅଧ୍ୟକ୍ଷଙ୍କ ମଂଜୁରୀ ପାଇଁ ପଠାଯିବ । ଔପଚାରିକ ସହମତି ପରେ ତିନି ଦଳ ମିଶି ରାଜ୍ୟପାଳଙ୍କ ନିକଟକୁ ଯାଇ ସରକାର ଗଠନ ପାଇଁ ଦାବି କରିବେ ।
ତେବେ ଏହି ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଗତ ୧୨ ତାରିଖରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ ସୁପାରିଶ କରିଥିଲେ । ଏହାକୁ ରାଷ୍ଟ୍ରପତି ମଂଜୁରୀ ଦେବା ପରେ ରାଜ୍ୟରେ ଏବେ ରାଷ୍ଟ୍ରପତି ଶାସନ ଚାଲିଛି ।