ନୂଆଦିଲ୍ଲୀ: ଦିଲ୍ଲୀର ଜନକପୁରୀ ଅଞ୍ଚଳସ୍ଥ ପୋସାଙ୍ଗୀପୁର ଛକ ନିକଟରେ ଥିବା ମୁଖ୍ୟ ସଡ଼କ ବୁଧବାର ସକାଳେ ହଠାତ ଭୁଶୁଡ଼ି ପଡ଼ିଥିଲା। ଯାହାକୁ ଦେଖି ସେହି ରାସ୍ତ ଦେଇ ଯାତାୟାତ କରୁଥିବା ଲୋକେ ଭୟଭୀତ ହୋଇଯାଇଥିଲେ। ଆଉ ପଛକୁ ଫେରି ଚାଲି ଯାଇଥିଲେ।
ସୂଚନାଯୋଗ୍ୟ, ଆଜି ସକାଳ ୬ଟା ସମୟରେ ହଠାତ ପୋସାଙ୍ଗୀପୁର ଛକ ନିକଟରେ ଥିବା ମୁଖ୍ୟ ରାସ୍ତା ଭୁଶୁଡ଼ି ପଡ଼ିଥିଲା। ଦେଖୁଦେଖୁ ରାସ୍ତା ୧୦ଫୁଟ ଲମ୍ବା ଓ ୧୦ଫୁଟ ଚଉଡ଼ା ସମେତ ୬ଫୁଟ ଗଭୀର ପର୍ଯ୍ୟନ୍ତ ଗାଢ଼ା ହୋଇଯାଇଥିଲା।
ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ସେହି ରାସ୍ତା ଦେଇ ଯାଉଥିବା କୌଣସି ଯାତ୍ରୀଙ୍କୁ କିଛି ବି ଆଘାତ ପହଞ୍ଚି ନାହିଁ। ଏହି ଘଟଣାକୁ ନେଇ ସ୍ଥାନୀୟ ବିଧାୟକ କହିଛନ୍ତି, ‘ ପିଡବ୍ଲୁଡିର ଏହି ସଡ଼କ। ଯେଉଁଥିପାଇଁ ଦିଲ୍ଲୀ ସରକାର ଦାୟୀ ହେବେ।’
ରାସ୍ତା ତଳୁ ପାଇ ଲାଇନ ଯାଉଛି। ଏହି ପାଇପ ଲାଇପ ଲିକେଜ ହେତୁ ରାସ୍ତା ଏମିତି ଭୁଶୁଡ଼ି ପଡ଼ିଥିବା ଲୋକେ ଅନୁମାନ କରିଛନ୍ତି। ତେବେ ରାସ୍ତା ଏପରି କାହିଁକି ଭୁଶୁଡ଼ି ପଡ଼ିଲା ସେ ନେଇ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରି ନଥିଲା। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଉକ୍ତ ଭୁଶୁଡ଼ି ପଡ଼ିଥିବା ସ୍ଥାନକୁ ଘେରାଉ କରି କିଛିଦୂର ପର୍ଯ୍ୟନ୍ତ ଯାତାୟାତକୁ ବନ୍ଦ କରି ଦେଇଛି।