ବିମାନ ବନ୍ଦର ରାସ୍ତା ଅବରୋଧ: ସ୍ଥାନାନ୍ତରଣକାରୀ ବିମାନରେ ଆଫଗାନବାସୀଙ୍କୁ ଛାଡ଼ିବ ନାହିଁ ତାଲିବାନ୍‌

ନୂଆଦିଲ୍ଲୀ: ସ୍ଥାନାନ୍ତରଣକାରୀ ବିମାନ ଆରୋହଣ ନିମନ୍ତେ କାବୁଲ ବିମାନ ବନ୍ଦରକୁ ଯାଉଥିବା ଆଫଗାନ ନାଗରିକମାନଙ୍କୁ ଅଟକାଇବେ ବୋଲି ତାଲିବ୍‌ମାନେ କହିଛନ୍ତି।

କିନ୍ତୁ, ବିଦେଶୀ ନାଗରିକମାନେ ବିମାନ ବନ୍ଦର ଅଭିମୁଖେ ଯାଇ ପାରିବେ ବୋଲି ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ତାଲିବାନ୍‌ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି।

ସେ କହିଛନ୍ତି, ବିମାନ ବନ୍ଦରକୁ ପଡ଼ିଥିବା ରାସ୍ତା ଅବରୋଧ କରାଯାଇଛି। ଆଫଗାନମାନେ ସେ ବାଟେ ବିମାନ ବନ୍ଦରକୁ ଯାଇ ପାରିବେ ନାହିଁ, କିନ୍ତୁ, ବିମାନ ବନ୍ଦରକୁ ପଡ଼ିଥିବା ସେ ରାସ୍ତାରେ ବିଦେଶୀ ନାଗରିକମାନଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯାଉଛି।

ଜବିଉଲ୍ଲା ମୁଜାହିଦ କହିଛନ୍ତି, ଆଜିକାଲି କାବୁଲ ବିମାନ ବନ୍ଦରରେ ଗହଳି ଜମାଇଥିବା ଆଫଗାନବାସୀମାନେ ଘରକୁ ବାହୁଡ଼ି ଆସିବା ଉଚିତ। ସେମାନଙ୍କ ଉପରେ ତାଲିବାନ ପ୍ରତିଶୋଧ ନେ‌ବ ନାହିଁ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି।

Image Courtesy of BBC

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ମିତ୍ର ଶକ୍ତିମାନେ ଆଫଗାନିସ୍ଥାନରୁ ଅପସରି ଯିବାର ଏକ ସପ୍ତାହ ପୂର୍ବରୁ ସେଠାରେ ଏଭଳି ପରିସ୍ଥିତି ଆରମ୍ଭ ହୋଇଛି। ମୁଜାହିଦ ଆହୁରି ମଧ୍ୟ କହିଛନ୍ତି, ଆମେ ଆଉ ଆଫଗାନବାସୀଙ୍କ ସ୍ଥାନାନ୍ତରଣ ପାଇଁ ଅନୁମତି ଦେଉନାହୁଁ। ଏଥିରେ ଆମେ ସୁଖୀ ନୋହୁଁ। ସେମାନେ ଯେ’ଯାହାର ପାରଦର୍ଶିତା କ୍ଷେତ୍ରରେ କାର୍ଯ୍ୟ କରିବା ଉଚିତ।

ତାଲିବାନ କ୍ଷମତା ଅକ୍ତିଆର କରିବା ପରେ ଦେଶ ତ୍ୟାଗ କରି ଚାଲିଯାଉଥିବା ଆଫଗାନଙ୍କ ମଧ୍ୟରୁ ଅନେକ ହେଉଛନ୍ତି ଶିକ୍ଷିତ, ବିଶେଷକରି ମହିଳା। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ବିପଦ ଆଶଙ୍କା କରୁଥିବା ଆମେରିକୀୟ ନାଗରିକ, ‘ନାଟୋ’ କର୍ମଚାରୀ ଏବଂ ଆଫଗାନବାସୀଙ୍କ ସମେତ ଅଗଷ୍ଟ ୧୪ ତାରିଖରୁ ୭୦,୦୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତିବିଶେଷଙ୍କୁ କାବୁଲରୁ ସ୍ଥାନାନ୍ତରଣ କରାଗଲାଣି।

ତାଲିବାନ୍‌ର ଏତାଦୃଶ ବିବୃତି ପ୍ରତି ପ୍ରତିକ୍ରିୟା ପ୍ରକାଶ କରି ହ୍ବାଇଟ୍‌ ହାଉସ୍‌ ପ୍ରେସ୍ ସଚିବ ଜେନ୍ ସାକି କହିଛନ୍ତି, ଦେଶ ତ୍ୟାଗ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଗୁରୁତ୍ବ ଦେଉଥିବା ଆଫଗାନବାସୀଙ୍କୁ ଏହା ପ୍ରଭାବିତ କରିବ ନାହିଁ। ଆମ୍ଭେ ଆମ୍ଭର ନିଷ୍ପତ୍ତି ପ୍ରସଙ୍ଗ ତାଲିବାନକୁ ଅବଗତ କରାଇ ଦେଇଛୁ।

ସମ୍ବନ୍ଧିତ ଖବର