ମତଦାନ ପରେ ରୋଡ୍‌ ସୋ’ କଲେ ପ୍ରଧାନମନ୍ତ୍ରୀ ମୋଦି; କଂଗ୍ରେସ ଆଣିଲା ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦର ଗୋଟିଏ ବୁଥ୍‌ରେ ଯେଉଁପରି ଢ଼ଙ୍ଗରେ ମତଦାନ କଲେ ଏବଂ ମତଦାନ କରି ସାରିବା ପରି ଯେପରି ଭାବେ ନିଜର ଭୋଟକାଳି ଲଗା ଆଙ୍ଗୁଠିକୁ ପ୍ରଦର୍ଶନ କରି ରୋଡ୍‌ ସୋ’ କଲେ; ତାହା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରୁଛି ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛି।

ବରିଷ୍ଠ କଂଗ୍ରେସ ନେତା ଅଶୋକ ଘେଲୋଟ୍‌ ଅଭିଯୋଗ କରି କହିଛନ୍ତି ଯେ ଆଜି ମଧ୍ୟାହ୍ନରେ ସାବରମତୀର ୧୧୫ ନମ୍ବର ବୁଥ୍‌ରେ ମତଦାନ କରିସାରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଯେପରି ଭାବେ ରୋଡ୍‌ ସୋ’ କଲେ, ତାହା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ।

ANI

ହେଲେ, ଏସବୁକୁ ଦେଖି ସାରିବା ପରେ ନିର୍ବାଚନ କମିଶନ ଏବାବଦରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଯେପରି ଅଭୁତପୂର୍ବ ନିରବତା ଅବଲମ୍ବନ କରୁଛନ୍ତି, ସେଥିରୁ ପ୍ରତୀୟମାନ ହେଉଛି ନିର୍ବାଚନ କମିଶନ ଯେପରି ପ୍ରଧାନମନ୍ତ୍ରୀ ଓ କାର୍ଯ୍ୟାଳୟର ନିର୍ଦ୍ଦେଶ ଅନୁଯାୟୀ ପରିଚାଳିତ ହେଉଛନ୍ତି। ଏହା ଅତ୍ୟନ୍ତ ବିଡ଼ମ୍ବନାର ବିଷୟ।

ସେହିପରି କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୂରଜଓ୍ଵାଲା କହିଛନ୍ତି, ‘ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ପୂର୍ବରୁ ମୋଦିଜୀଙ୍କ ବ୍ୟକ୍ତଗତ ସଚିବ (ପର୍ସୋନେଲ୍‌ ସେକ୍ରେଟାରି) ଥିଲେ। ତେଣୁ, ସେ ଏବେ ବି ସେ ନିଜକୁ ମୋଦିଜୀଙ୍କ ବ୍ୟକ୍ତଗତ ସଚିବ ବୋଲି ଭାବୁଛନ୍ତି। ଏବଂ ବିଜେପି ଓ ମୋଦିଜୀଙ୍କ ଦ୍ୱାରା ହେଉଥିବା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ପ୍ରତି ସଂପୂର୍ଣ୍ଣ ଭାବେ ଆଖି ବୁଜି ଦେଇଛନ୍ତି।’

ସମ୍ବନ୍ଧିତ ଖବର