ଫିଲ୍ମ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଛେଳି ଚୋରି କଲେ ହିରୋ

ଚେନ୍ନାଇ: ଅଧାରେ ଅଟକିଯାଇଥିବା ଫିଲ୍ମ ନିର୍ମାଣ କରିବାକୁ ଛେଳି ଚୋରି କଲେ ହିରୋ | ତାମିଲନାଡୁର ରାଜଧାନୀ ଚେନ୍ନାଇରୁ ଏମିତି ଏକ କାହାଣୀ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଚେନ୍ନାଇର ଜଣେ ବ୍ୟକ୍ତି ଏକ ଫିଲ୍ମ ନିର୍ମାଣ କରୁଥିଲେ | ସେହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ତାଙ୍କର ଦୁଇ ପୁଅ ଅଭିନୟ କରୁଥିଲେ । ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା, କିନ୍ତୁ ଫିଲ୍ମ ନିର୍ମାଣ ପାଇଁ ଅର୍ଥର ଅଭାବ ଦେଖା ଦେଇଥିଲା | ଏଭଳି ପରିସ୍ଥିତିରେ ଉଭୟ ଭାଇ ପୁଣିଥରେ ଫିଲ୍ମ ଆରମ୍ଭ କରିବା ପାଇଁ ଏକ ନିଆରା ବାଟ ବାହାର କରିଥିଲେ | ଅର୍ଥ ଯୋଗାଡ କରିବା ପାଇଁ ଦୁଇ ଭାଇ ଛେଳି ଚୋରି କରିବା ଆରମ୍ଭ କଲେ।

ଉଭୟ ଭାଇ ନିଜ କାରରେ ଚେଙ୍ଗଲପେଟ୍, ମାଧଭାରାମ, ମିନଜୁର ଏବଂ ପୋନେରୀରେ ବୁଲି ବୁଲି ଛେଳି ଚୋରି କରୁଥିଲେ | ପୁଲିସର ସୂଚନାନୁସାରେ, ଦୁଇ ଅଭିଯୁକ୍ତ ତିନି ବର୍ଷ ଧରି ଛେଳି ଚୋରି କରୁଥିଲେ ଓ ଏହାକୁ ବିକ୍ରି କରୁଥିଲେ | ଏହି ଦୁଇ ଭାଇଙ୍କ ନାମ ନିରଂଜନ କୁମାର ଏବଂ ଲେନିନ୍ କୁମାର ବୋଲି ଜଣାପଡିଛି। ତାଙ୍କ ବାପା ‘ନି ଥାନ ରାଜ’ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ।

ଏହି ଫିଲ୍ମରେ ଦୁଇ ଭାଇ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାବେଳେ ଅଧା ସୁଟିଂ ବେଳକୁ ଅର୍ଥ ସଙ୍କଟ ଦେଖାଦେଇଥିଲା | ଆଉ ହିରୋ ହେବାର ଅଭିଳାଷ ପୂରଣ କରିବା ପାଇଁ ଦୁଇ ଭାଇ ଛେଳି ଚୋରି କରିବା ଆରମ୍ଭ କରିଥିଲେ | ଏହି ଘଟଣାକୁ ନେଇ ଜଣେ ବ୍ୟକ୍ତି ପୁଲିସ ନିକଟରେ ଅଭିଯୋଗ କରିଥିଲେ | ଯେତେବେଳେ ପୁଲିସ ସିସିଟିଭି ଫୁଟେଜରେ ଦୁଇ ଭାଇଙ୍କୁ ଦେଖିଥିଲା, ସେତେବେଳେ ସେମାନଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର