ଚଣ୍ଡୀଗଡ଼: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜାମାତା ରବର୍ଟ ଭଦ୍ରାଙ୍କୁ ଝଟକା ଲାଗିଛି | ଆଜି ହରିୟାଣା ସରକାର ରବର୍ଟଙ୍କ କମ୍ପାନି ସ୍କାଇଲାଇଟ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡର ଲାଇସେନ୍ସକୁ ରଦ୍ଦ କରିଦେଇଛନ୍ତି | ତେବେ ବଡ କଥା ଯେ ହରିୟାଣାରେ ବିଜେପି ସରକାର କ୍ଷମତାକୁ ଆସିବାର ପ୍ରାୟ ସାତ ବର୍ଷ ପରେ ରବର୍ଟ ଭଦ୍ରାଙ୍କ ଉପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ମିଳିଥିବା ସୂଚନା ମୁତାବକ ହରିୟାଣାର ଗୁରୁଗ୍ରାମରେ ନିର୍ମିତ ସ୍କାଇଲାଇଟ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡର ରିଅଲ୍ ଇଷ୍ଟେଟ୍ ଲାଇସେନ୍ସକୁ ବିଜେପି ସରକାର ବାତିଲ କରିଛନ୍ତି।
୨୦୦୮ରେ, ହରିୟାଣାରେ ଯେତେବେଳେ କଂଗ୍ରେସ ସରକାର ଥିଲା, ରବର୍ଟ ଭଦ୍ରାଙ୍କୁ ଏହି ଲାଇସେନ୍ସ ଦିଆଯାଇଥିଲା | ବର୍ତ୍ତମାନ ହରିୟାଣାର ଟାଉନ୍ ଆଣ୍ଡ କଣ୍ଟ୍ରି ପ୍ଲାନିଂର ନିର୍ଦ୍ଦେଶକ ଏହି ପଦକ୍ଷେପ ନେଇଛନ୍ତି। ୨୦୧୨ ମସିହାରେ, ସ୍କାଏଲାଇଟ୍ ଡିଏଲଏଫକୁ ଏକ ବ୍ୟବସାୟିକ କଲୋନୀ ସ୍ଥାପନ କରିବାକୁ ଏହି ଲାଇସେନ୍ସ ସ୍ଥାନାନ୍ତର କରିଥିଲା |ତେବେ ଆଇଏଏସ୍ ଅଶୋକ ଖେମକା ସ୍କାଏଲାଇଟର ୩.୩୫ ଏକରର କିସମ ପରିବର୍ତ୍ତନକୁ ବାତିଲ କରିଦେଇଥିଲେ | ସେହି ସମୟରେ ସେ ଚକବନ୍ଦୀ ବିଭାଗର ମହାନିର୍ଦ୍ଦେଶକ ଥିଲେ।
ଏହା ପରେ ଏହି ଜମିକୁ ନେଇ ଜୋରଦାର ଆଲୋଚନା ହୋଇଥିଲା । ସୂଚନା ମୁତାବକ ପ୍ରଥମେ ଜାନୁୟାରୀ ୪, ୨୦୦୮ରେ, ଓମକେଶ୍ୱର ପ୍ରପର୍ଟି ପ୍ରାଇଭେଟ ଲିମିଟେଡ୍ ଗୁରୁଗ୍ରାମର ଶିଖୋପୁର ଗ୍ରାମରେ ବ୍ୟବସାୟିକ କଲୋନୀ ପାଇଁ ଏହି ଜମିର ଲାଇସେନ୍ସ ନେଇଥିଲା | ପରେ ଏହି ଜମିକୁ ଭଦ୍ରାଙ୍କ କମ୍ପାନି ସ୍କାଏଲାଇଟକୁ ବିକ୍ରି କରାଯାଇଥିଲା | ଭଦ୍ରାଙ୍କ କମ୍ପାନୀ ଅଧିକ ମୂଲ୍ୟରେ ଏହି ଜମିକୁ ଡିଏଲଏଫକୁ ବିକ୍ରି କରିଥିଲା |