ଝଟକା ଦେଲେ ସୁପ୍ରିମକୋର୍ଟ: ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଉପରେ ରୋକ୍

ଚାରି ସପ୍ତାହରେ ଜବାବୀ ସତ୍ୟପାଠ ଦାଖଲ କରିବେ ଏଜି

ନୂଆଦିଲ୍ଲୀ : ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ, ୨୦୨୦ ଉପରେ ସୁପ୍ରିମ କୋର୍ଟ ତିନି ମାସ ରହିତାଦେଶ ଲଗାଇଛନ୍ତି। ସଂ‌ଶୋଧିତ ଅଧିନିୟମର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ହେଲେ ହାଇକୋର୍ଟ ଜାନୁଆରି ୨୪, ୨୦୨୨ରେ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ରାୟରେ ଓଡ଼ିଶା ହାଇକୋର୍ଟ କହିଥିଲେ ଯେ ୟୁଜିସି ରେଗୁଲେସନ, ୨୦୧୮ର ସଂଶୋଧିତ ଅଧିନିୟମ ଓଭରଲାପିଂ ହୋଇନାହିଁ।

ଅନ୍ୟପକ୍ଷରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ବିରୋଧ କରି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ପ୍ରଫେସର ଅଜିତ କୁମାର ମହାନ୍ତି ସୁପ୍ରିମକୋର୍ଟରେ ଦୁଇଟି ଅଲଗା ଅଲଗା ଏସ୍‌ଏଲ୍‌ପି ଦାଖଲ କରିଥିଲେ। ଆଜି ମାମଲାର ଶୁଣାଣି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌ ଅବଦୁଲ ନଜିର ଓ ଜଷ୍ଟିସ୍‌ କେ ମୁରାରୀଙ୍କ ଖଣ୍ଡପୀଠରେ ହୋଇଥିଲା। ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍‌, ୨୦୨୦ ଉପରେ ତିନିମ‌ାସ ପାଇଁ ସ୍ଥଗିତାଦେଶ ଜାରି କରିଛନ୍ତି। ଏଥିସହିତ ସର୍ବୋଚ୍ଚ ଅଦାଲତ ଓଡ଼ିଶାର ଆଡଭୋକେଟ୍‌ ଜେନେରାଲଙ୍କୁ ଚାରି ସପ୍ତାହ ମଧ୍ୟରେ ଜବାବୀ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨ ମାସ ପରେ ‌କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ୟୁଜିସି ପକ୍ଷରୁ ଭାରତର ସଲିସିଟିର୍‌ ଜେନେରାଲ ତୁଷାର ‌ମେହେଟା, ପ୍ରଫେସର ମହାନ୍ତିଙ୍କ ପକ୍ଷରୁ ଆଡଭୋକେଟ୍‌ ଅନ ରେକର୍ଡ ଜସମିତ ସିଂହ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଆଜିର ଶୁଣାଣିରେ ପକ୍ଷ ଉପସ୍ଥାପନ କରିଥିଲେ। ଆବେଦନକାରୀମାନଙ୍କ ପକ୍ଷରୁ କୁହାଯାଇଥିଲା ଯେ ୟୁଜିସିର ୨୦୧୮ ରେଗୁଲେସନ ନୂତନ ନିୟମ ପ୍ରଣୟନ କରିବାର ଅଧିକାର ରାଜ୍ୟ ସରକାର କିମ୍ବା ବିଶ୍ବବିଦ୍ୟାଳୟକୁ ଦିଆଯାଇନାହିଁ। ୟୁଜିସିର ୨୦୧୮ ରେଗୁଲେସନକୁ ରାଜ୍ୟମାନେ ଆପଣାଇବାକୁ ବାଧ୍ୟ। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ ୟୁଜିସି ଆଇନର ପରିପନ୍ଥୀ। ସଂଶୋଧିତ ଆଇନ ଜରିଆରେ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟର ସ୍ବାଧୀନତା ଉପରେ ହସ୍ତକ୍ଷେପ କରୁଛନ୍ତି। ବିଶ୍ବବିଦ୍ୟାଳୟମାନଙ୍କରେ କୁଳପତି ନିଯୁକ୍ତି, ପ୍ରଫେସରମାନଙ୍କ ନିଯୁକ୍ତିର ଯୋଗ୍ୟତା, ଅତିରିକ୍ତ ପ୍ରଫେସର ଓ ସହକାରୀ ପ୍ରଫେସର ନିଯୁକ୍ତି କ୍ଷେତ୍ରରେ ଯୁଜିସି ମାନଦଣ୍ଡକୁ ଅଣଦେଖା କରି ଯଦି ରାଜ୍ୟ ସରକାର ନିଯୁକ୍ତି ନିଷ୍ପତ୍ତି ନେବେ, ତାହାହେଲେ ଦେଶରେ ଅରାଜକତା ହେବ। ସମଗ୍ର ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ଘୋର ସମସ୍ୟା ସୃଷ୍ଟି ହେବ ବୋଲି ସେମାନେ ଯୁକ୍ତି ଉପସ୍ଥାପନ କରିଥିଲେ। ଯଦି ଓଡ଼ିଶା

ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ କାଏମ ରୁହେ ତାହାହେଲେ ଦେଶର ସମସ୍ତ ରାଜ୍ୟ ଅଧ୍ୟାଦେଶ ବଳରେ ଆଇନ ଲାଗୁ କରିବେ ଯାହା ୟୁଜିସି ପାଇଁ ହାନିକାରକ ସାବ୍ୟସ୍ତ ହେବ। ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ତୁରନ୍ତ ରୋକ ଲଗାଯାଉ ବୋଲି ଆବେଦନକାରୀ ଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଥିଲା।

The New Indian Express

ଅପରପକ୍ଷେ ଓଡ଼ିଶାର ଆଡଭୋକେଟ ଜେନେରାଲ ଅଶୋକ ପରିଜା କହିଥିଲେ ଯେ ରାଜ୍ୟ ସରକାର ଯେଉଁ ଆଇନ ଆଣିଛନ୍ତି ତାହା ବଳବତ୍ତର ରହୁ। ଅଭିଯୋଗକାରୀଙ୍କ ଦ୍ବାରା ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇବା ଦାବିକୁ ‌ସେ ଜୋରଦାର ବିରୋଧ କରିଥିଲେ। ଅଭିଯୋଗକାରୀଙ୍କ ଦ୍ବାରା ଯେଉଁ ସବୁ ଯୁକ୍ତି ଦର୍ଶାଯାଇଛି ସେ ସବୁର ଉତ୍ତର ରଖିବା ପାଇଁ ସେ କାଉଣ୍ଟର ପିଟିସନ ଦାଖଲ କରିବେ ବୋଲି ଖଣ୍ଡପୀଠଙ୍କୁ ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ କ୍ୟାଭିଏଟ ଦାଖଲ କରାଯାଇଛି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ସଂପୂର୍ଣ୍ଣ ଠିକ ରହିଛି ବୋଲି ସେ କହିଥିଲେ।

ଏହି ପ୍ରସଙ୍ଗ ଶୁଣାଣି ପାଇଁ ତାଲିକାଭୁକ୍ତ ହେବା ପୂର୍ବରୁ ୟୁଜିସି ପକ୍ଷରୁ ଆଇନଜୀବୀ ଆର୍‌ଏସ୍‌ ଶ୍ରୀବାସ୍ତବ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଗୌରବ ଖାନ୍ନା କ୍ୟାଭିଏଟ ଦାଖଲ କରିଥିଲେ। ଦୁଇ ପକ୍ଷଙ୍କ ଦ୍ବାରା ଯୁକ୍ତି ଉପସ୍ଥାପନ ପରେ ଖଣ୍ଡପୀଠ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ ସଂକ୍ରାନ୍ତ ୨୪ ଜାନୁଆରି ୨୦୨୨ରେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ତିନି ମାସ ପର୍ଯ୍ୟନ୍ତ ‌ରୋକ୍‌ ଲଗାଇଥିଲେ। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ, ୨୦୨୦ ୟୁଜିସି ମାର୍ଗଦର୍ଶିକାକୁ ପାଳନ କରୁନଥିବା ଓ ବିଶ୍ବବିଦ୍ୟାଳୟଗୁଡ଼ିକର ସ୍ବାଧୀନତା ହ୍ରାସ କରୁଥିବା ଅଭିଯୋଗ କରି କଲେଜ ପ୍ରଫେସର ଓ ଶିକ୍ଷକମାନଙ୍କ ଦ୍ବାରା ତିନିଟି ପିଟିସନ ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର