ଟ୍ରମ୍ପ୍‌ଙ୍କ ‘ଉତ୍ତେଜନା ହ୍ରାସ’ ଉଦ୍ୟମକୁ ଇରାନ୍‌ର ଝଟ୍‌କା : ଆମେରିକା ଦୂତାବାସକୁ ରକେଟ୍‌ ମାଡ଼

କୌଣସି କ୍ଷୟକ୍ଷତି ନାହିଁ

ନୂଆଦିଲ୍ଲୀ: ଇରାନ୍‌ର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀ ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ନିହତ ହେବାପରେ ଇରାନ୍‌ ଆମେରିକାକୁ ଟାର୍ଗେଟ୍‌ କରି ବାରମ୍ବାର ଆକ୍ରମଣ କରୁଛି। ଗତକାଲି ଆମେରିକାର ସାମରିକ ପ୍ରତିଷ୍ଠାନକୁ ନିଶାଣ କରି ଇରାନ୍‌ ୧୫ଟି କ୍ଷେପଣାସ୍ତ୍ର ମାଡ଼ କରିଥିବା ବେଳେ ଆଜି ଭୋର୍‌ ସମୟରେ ବାଗଦାଦ୍‌ର ଗ୍ରୀନ୍‌ଜୋନ୍‌ରେ ଅବସ୍ଥିତ ଆମେରିକା ଦୂତାବାସକୁ ଟାର୍ଗେଟ୍‌ କରି ରକେଟ ମାଡ଼ କରିଛି। ତେବେ ଏହି ଆକ୍ରମଣରେ ଆମେରିକା ଦୂତାବାସ କିମ୍ବା ଅନ୍ୟ କୌଣସି ପ୍ରତିଷ୍ଠାନର କୌଣସି କ୍ଷତି ଘଟିନାହିଁ । ଇରାନ୍‌ ଉପରେ କଠୋର ଆର୍ଥିକ କଟକଣା ଲାଗୁ ପାଇଁ ଆମେରିକା ପ୍ରସ୍ତୁତ ହେଉଥିବା ବେଳେ ଇରାନ୍‌ର ଏଭଳି ପଦକ୍ଷେପ ମାମଲାକୁ ଆହୁରି ଜଟିଳ କରୁଛି। ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବୟାନକୁ ଉତ୍ତେଜନା ହ୍ରାସ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ଗ୍ରହଣ କରାଯାଇଥିଲା। ଆଜି ପୁଣି ଇରାନ୍‌ର ରକେଟ୍‌ ଆକ୍ରମଣ ଉତ୍ତେଜନା ବଢ଼ାଇବ ବୋଲି ଆଶଙ୍କା କରାଯାଉଛି। ବାଗଦାଦର ଗ୍ରୀନ୍‌ ଜୋନ୍‌ରେ ଆମେରିକା ସମେତ ବିଶ୍ବର ପ୍ରମୁଖ ରାଷ୍ଟ୍ରମାନଙ୍କର ଦୂତାବାସ ରହିଛି। ଏଭଳି ଏକ ଅଂଚଳକୁ ଆକ୍ରମଣ ପାଇଁ ଟାର୍ଗେଟ୍‌ କରି ଇରାନ୍‌ ବଡ଼ ବିପଦକୁ ଆମନ୍ତ୍ରଣ କରୁଛି ବୋଲି ମଧ୍ୟପ୍ରାଚ୍ୟର କୂଟନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗତକାଲି ଟ୍ରମ୍ପ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଆମେ ଇରାନ୍‌ ବିରୋଧରେ ବଡ଼ ଆକ୍ରମଣ କରିବାକୁ ଚାହୁନାହୁଁ। ସେ ଇରାନ୍‌ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରି କହିଥିଲେ ଯେ ଇରାନ୍‌ ଏକ ଭଲ ରାଷ୍ଟ୍ର ହୋଇପାରିବ, ତେବେ ଏଥିପାଇଁ ଇରାନ୍‌କୁ ଆତଙ୍କବାଦର ରାସ୍ତା ଛାଡ଼ିବାକୁ ହେବ।

ସମ୍ବନ୍ଧିତ ଖବର