ତେଲ୍ ଆଭିଭ୍: ଇରାନ ସମର୍ଥିତ ସାମରିକ ସଂଗଠନ ହିଜବୁଲ୍ଲା ଲେବାନନରୁ ଇସ୍ରାଏଲ ଆଡ଼କୁ ଲକ୍ଷ୍ୟ କରି ଆଜି ଭୋର୍ ସମୟରେ ପ୍ରବଳ ରକେଟ୍ ମାଡ଼ କରିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଭିତରେ ହିଜବୁଲ୍ଲାର ଏଭଳି ଆକ୍ରମଣ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି। ଇସ୍ରାଏଲ ଉପରେ ହିଜବୁଲ୍ଲା ୫୦ରୁ ଅଧିକ ରକେଟ୍ ମାଡ଼ କରିଥିବା ବେଳେ ସମସ୍ତ ରକେଟ୍କୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ‘ଆଇରନ ଡୋମ୍’ ପଣ୍ଡ କରିଦେଇଛି। ନିକଟରେ ଇସ୍ରାଏଲ୍ ଆକ୍ରମଣରେ ହିଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡର ନିହତ ହେବା ସହ ହମାସର ଶୀର୍ଷ ନେତା ଇସ୍ମାଇଲ ହାନିୟେହଙ୍କ ମୃତ୍ୟୁ ପରେ ଏହି ରକେଟ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣର ଜବାବରେ ଇସ୍ରାଏଲ ମଧ୍ୟ ଲେବାନନ ଓ ସିରିଆରେ ହିଜବୁଲ୍ଲାର ସମସ୍ତ ପ୍ରତିଷ୍ଠାନ ଧ୍ବଂସ କରିଦେବାକୁ ଚେତାବନୀ ଦେଇଛି। ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କା ନେଇ ସମଗ୍ର ମଧ୍ୟପ୍ରାଚ୍ୟରେ ଅସ୍ଥିରତା ବଢ଼ିଯାଇଛି।
ଇରାନ ସମର୍ଥିତ ହିଜବୁଲ୍ଲା ଆଜି କହିଛି, ଆମେ ଇସ୍ରାଏଲର ମୋସାଭ ବେଇଟ୍ ହିଲେଲ୍ ଉପରେ ରକେଟ୍ ଆକ୍ରମଣ କରିଛୁ ଏବଂ ସେଠାରେ ଅନେକ ଇସ୍ରାଏଲୀ ନାଗରିକ ଆହତ ହୋଇଛନ୍ତି। ତେବେ ଇସ୍ରାଏଲ ଏ ନେଇ କିଛି ସ୍ପଷ୍ଟ କରିନାହିଁ ଏବଂ ଆକ୍ରମଣ ପଣ୍ଡ କରିଦିଆଯାଇଛି ବୋଲି କହିଛି। ଲେବାନନ ଓ ସିରିଆ ଉପରେ ଇସ୍ରାଏଲର ଆକ୍ରମଣ ଜବାବରେ ଏହା ପ୍ରତିଶୋଧମୂଳକ ଆକ୍ରମଣ ଥିଲା ବୋଲି ହିଜବୁଲ୍ଲା କହିଛି।
ଇସ୍ରାଏଲ ସେନା ଏକ ବିବୃତ୍ତିରେ ଯେ ଆମେ ହିଜବୁଲ୍ଲାର ୯୫ ପ୍ରତିଶତ ରକେଟକୁ ଅଟକାଇଛୁ। ତେବେ କେତେକ ରକେଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ ମିଳିଛି। ଅନ୍ୟପକ୍ଷରେ ଇସ୍ରାଏଲର ସହଯୋଗୀ ରାଷ୍ଟ୍ର ଆମେରିକା କହିଛି ଯେ ଇହୁଦୀ ରାଷ୍ଟ୍ରର ସୁରକ୍ଷା ପାଇଁ ମଧ୍ୟପ୍ରାଚ୍ୟରେ ଆମେ ଅତ୍ୟନ୍ତ ଶକ୍ତିଶାଳୀ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବୁ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇରାନ ପ୍ରତି ତାଙ୍କ ଆଭିମୁଖ୍ୟ କଠୋର କରିଛନ୍ତି ଏବଂ ସାଂପ୍ରତିକ ଉତ୍ତେଜନା ଭିତରେ ଇରାନ ନିୟନ୍ତ୍ରଣରେ ରହିବାକୁ କହିଛନ୍ତି। ହିଜବୁଲ୍ଲା ଇସ୍ରାଏଲ ଉପରେ ଆଗକୁ ଭୀଷଣ ଆକ୍ରମଣ କରିବା ଆଶଙ୍କା ନେଇ ବାଇଡେନ କହିଛନ୍ତି ଯେ ଏହି ସଙ୍ଗଠନ ଆଉ ସାମରିକ ଟାର୍ଗେଟରେ ସୀମିତ ରହିବ ନାହିଁ ବୋଲି ଆମକୁ ରିପୋର୍ଟ ମିଳିଛି ଏବଂ ଏହି ସଂଗଠନର ନିୟନ୍ତ୍ରଣ ଇରାନ ହାତରେ ରହିଛି ।
ଉଲ୍ଲେଖଯୋଗ୍ୟ, ୟେମେନ, ଇରାକ ଓ ସିରିଆର ଇରାନ ସମର୍ଥିତ ଗୋଷ୍ଠୀଗୁଡ଼ିକ ଗାଜାରେ ଇସ୍ରାଏଲ ଓ ପାଲେଷ୍ଟାଇନ ସଂଗଠନ ହମାସ ମଧ୍ୟରେ ପ୍ରାୟ ୧୦ ମାସ ଧରି ଚାଲିଥିବା ଯୁଦ୍ଧରେ ସାମିଲ ହୋଇସାରିଛନ୍ତି। ଏଭଳି ସ୍ଥିତିରେ ଆମେରିକା ଇସ୍ରାଏଲକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଗତରାତିରୁ ଇସ୍ରାଏଲ ସେନା ଓ ହିଜବୁଲ୍ଲା ମଧ୍ୟରେ ଗୁଳି ବିନିମୟ ଚାଲିଛି ଏବଂ ପଶ୍ଚିମ ତଟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ହମାସ ଶାସିତ ଗାଜା ସିଟିର ଏକ ସ୍କୁଲ ପରିସରରେ ଇସ୍ରାଏଲର ଆକ୍ରମଣରେ ଗତକାଲି ୧୭ ଜଣ ପ୍ରାଣ ହରାଇଥିଲେ ଏବଂ ସେମାନଙ୍କ ମଧ୍ୟରେ କେତେକ ହିଜବୁଲ୍ଲା ସଦସ୍ୟ ଥିବା ଜଣାପଡ଼ିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଆଜି ତାଙ୍କର ଫ୍ରାନ୍ସ ଏବଂ ବ୍ରିଟିଶ ପ୍ରତିପକ୍ଷଙ୍କ ସହ ମଧ୍ୟପ୍ରାଚ୍ୟ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ଏବଂ ସମସ୍ତ ପକ୍ଷ ସଂଯମତା ଅବଲମ୍ବନ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି।