ଆଫଗାନିସ୍ତାନର କାନ୍ଦାହାର ବିମାନବନ୍ଦର ଉପରେ ରକେଟ ମାଡ଼, ସମସ୍ତ ଉଡାଣ ବାତିଲ

ନୂଆଦିଲ୍ଲୀ: ଦିନକୁ ଦିନ ତେଜୁଛି ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଏହି କ୍ରମରେ ଆଜି ଆଫଗାନିସ୍ତାନର କାନ୍ଦାହାର ବିମାନବନ୍ଦର ଉପରେ ତାଲିବାନ ପକ୍ଷରୁ ୩ଟି ରକେଟ୍ ମାଡ଼ କରାଯାଇଛି । ବିମାନବନ୍ଦରର ମୁଖ୍ୟ ମସୁଦ ପଶତୁନ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ, ରକେଟ୍ ମାଡ଼ ପରେ ବିମାନବନ୍ଦରର ରନୱେ ମରାମତି କାମ ଚାଲିଛି ଏବଂ ରନୱେ ରବିବାର ସନ୍ଧ୍ୟା ସୁଦ୍ଧା ଠିକ୍ ହୋଇଯିବ। ରନୱେ ମରାମତି ଚାଲୁଥିବାରୁ ବିମାନବନ୍ଦରରୁ ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି |

ସୂଚନା ମୁତାବକ, ଶନିବାର ମଧ୍ୟରାତ୍ରରେ ହୋଇଥିବା ଏହି ଆକ୍ରମଣରେ କୌଣସି ଲୋକଙ୍କର ଜୀବନ ଯାଇନାହିଁ । ଆକ୍ରମଣ ପରେ ସବୁ ଉଡ଼ାଣ ବନ୍ଦ କରାଯାଇଛି । ଏହି ଆକ୍ରମଣ ପଛରେ ତାଲିବାନର ହାତ ଥିବା କୁହାଯାଇଛି । କାରଣ ଆକ୍ରମଣ ସମୟରେ ତାଲିବାନର ଯୁଦ୍ଧ ବିମାନଗୁଡିକ ହେରାତ, ଲସ୍କର ଗାହ ଓ କାନ୍ଦାହାରକୁ ଚାରିପଟୁ ଘେରି ରହିଥିଲେ । ଏହାକୁ ନେଇ ଏବେ କାନ୍ଦାହାରଠାରେ ଆଫଗାନ ସୁରକ୍ଷା ବଳ ଓ ତାଲିବାନ ମଧ୍ୟରେ ଯୁଦ୍ଧ ଜାରି ରହିଛି ।

ଉଲ୍ଲେଖଯୋଗ୍ୟ, କାନ୍ଦାହାର ହେଉଛି ଆଫଗାନିସ୍ତାନର ସବୁଠାରୁ ବଡ଼ ସହର । ଏଠାରେ ଥିବା ବିମାନବନ୍ଦରରୁ ଆଫଗାନିସ୍ତାନ ସେନାର ଅସ୍ତ୍ରଶସ୍ତ୍ର ପଠାଯାଇଥାଏ । ଏହି କାରଣରୁ ତାଲିବାନ ଏହି ବିମାନବନ୍ଦର ଉପରେ ଆକ୍ରମଣ କରି ଆଫଗାନିସ୍ତାନ ସେନାକୁ ମିଳିବାକୁ ଥିବା ସହାୟତା ଉପରେ ରୋକ୍ ଲଗାଇବାକୁ ଚେଷ୍ଟା କରିଛି । ଅନ୍ୟପଟେ ଆଫଗାନିସ୍ତାନ ନ୍ୟାସନାଲ ସିକ୍ୟୁରିଟି ‘ଫୈସେଜ’ ଆମେରିକା ସହାୟତାରେ ତାଲିବାନ ଦ୍ୱାରା ଦଖଲ କରାଯାଇଥିବା କିଛି ଗାଁକୁ ନିଜ ଅକ୍ତିଆରକୁ ଆଣିଛି ।

ସମ୍ବନ୍ଧିତ ଖବର