ଜାମ୍ମୁ : ଆସନ୍ତା ୨ ମାସ ମଧ୍ୟରେ ଜାମ୍ମୁ ଓ କାଶ୍ମୀରରେ ଥିବା ରୋହିଙ୍ଗ୍ୟାମାନଙ୍କର ବାୟୋମେଟ୍ରିକ ନମୁନା ସଂଗ୍ରହ କାର୍ଯ୍ୟ ଶେଷ ହେବ । ଏକଥା କହିଛନ୍ତି ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ସେ କହିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ପ୍ରତି ରାଜ୍ୟରେ ଥିବା ରୋହିଙ୍ଗ୍ୟାମାନଙ୍କର ଚିହ୍ନଟ କରାଯାଉଛି । ପ୍ରତି ରାଜ୍ୟରୁ ଆସୁଥିବା ତଥ୍ୟକୁ ଏକତ୍ରିତ କରି ତାଲିକା କରାଯିବା ପରେ ମ୍ୟାମାରକୁ ଦିଆଯିବ ।
ଭାରତରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନେ ହେଉଛି ଉଇ ସଦୃଶ । ସେମାନେ ଧୀରେ ଧୀରେ ଆମ ଦେଶକୁ ନଷ୍ଟ କରିଦେବେ । ସେମାନଙ୍କୁ ଖୋଜି ଖୋଜି ବାହାର କରାଯିବ ଓ ଦେଶରୁ ତଡି ଦିଆଯିବ ବୋଲି ଦୁଇମାସ ତଳେ କହିଥିଲେ ବିଜେପି ଅଧ୍ୟକ୍ଷ ଅମିତ ଶାହା । ସେ କହିଥିଲେ ଯେ ଯେଉଁମାନେ ନିଜର ନାଗରିକତ୍ୱ ପ୍ରମାଣ କରିପାରିବେ ନାହିଁ ସେମାନଙ୍କୁ ଭୋଟ ଦେବାର ଅଧିକାର ମିଳିବା ଉଚିତ ନୁହେଁ । ସେ କହିଛନ୍ତି କେବଳ ଆସାମରେ ୪୦ ଲକ୍ଷ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ପୁଣିଥରେ ନାଗରିକତ୍ୱ ପ୍ରମାଣ ପାଇଁ ସୁଯୋଗ ଦିଆଯିବ । କିନ୍ତୁ ଯେଉଁମାନ ପ୍ରମାଣ କରିନପାରିବେ ସେମାନଙ୍କ ପାଇଁ ଆମଦେଶରେ ରହିବାର ଅଧିକାର ନାହିଁ । ସେମାନେ ଭୋଟ ଦେବାର ପ୍ରଶ୍ନ ଉଠୁନାହିଁ । ଏପରିକି ସେମାନଙ୍କର ଆମ ଦେଶରେ ରହିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି ।