ଦେଶର ସୁରକ୍ଷା ଏବଂ ଶରଣାର୍ଥୀଙ୍କ ମାନବାଧିକାର ମଧ୍ୟରେ ସନ୍ତୁଳନ ରଖ: ସୁପ୍ରିମ କୋର୍ଟ

ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ତଡ଼ିବା ପ୍ରସଙ୍ଗ

ନୂଆଦିଲ୍ଲୀ : ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀମାନେ ଦେଶର ସୁରକ୍ଷା ପ୍ରତି ବିପଦ ଏବଂ ସେମାନଙ୍କୁ ଦେଶରୁ ବିତାଡ଼ିତ କରିବା ଜରୁରୀ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତି ମାମଲାରେ ଆଜି ସୁପ୍ରିମ କୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଏ କ୍ଷେତ୍ରରେ ସରକାର ଦେଶର ସୁରକ୍ଷା ଏବଂ ଶରଣାର୍ଥୀଙ୍କ ମାନବାଧିକାର ପ୍ରସଙ୍ଗ ମଧ୍ୟରେ ତାଳମେଳ ରଖି କିଛି ପଦକ୍ଷେପ ନେବାକୁ ମାନ୍ୟବର ଅଦାଲତ ପରାମର୍ଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୧ ତାରିଖରେ ହେବାକୁ ଥିବା ବେଳେ ତାହା ପୂର୍ବରୁ କୌଣସି ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ବିତାଡ଼ିତ କରାଯିବନି ବୋଲି ମଧ୍ୟ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ସରକାର ଏ ଦିଗରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଲେ ଆବେଦନକାରୀମାନେ ସୁପ୍ରିମକୋର୍ଟ୍‌ରେ ଆବେଦନ କରିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ, ଏ ସମ୍ପର୍କରେ ସରକାର ମଧ୍ୟ କିଛି ଯୋଜନା ପ୍ରସ୍ତୁତ କରିଥିଲେ ତାହା କୋର୍ଟକୁ ଜଣାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ମିଆଁମାର୍‌ର ରାଖାଇନ୍‌ ପ୍ରଦେଶରେ ହିଂସା ଘଟି ଲକ୍ଷ ଲକ୍ଷ ରୋହିଙ୍ଗ୍ୟା ମୁସ୍‌ଲିମ୍‌ଦେଶ ଛାଡ଼ି ପଳାୟନ କରିଥିଲେ। ସାମାନଙ୍କ ମଧ୍ୟରୁ ଭାରତରେ ପାଖାପାଖି ୪୦,୦୦୦ ରୋହିଙ୍ଗ୍ୟା ରହୁଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ, ହାଇଦ୍ରାବାଦ୍‌, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ରାଜସ୍ଥାନରେ ରହୁଛନ୍ତି। ତେବେ ସେମାନଙ୍କୁ ଆତଙ୍କବାଦୀ ସଂଗଠନମାନେ ସହଜରେ ଅସ୍ତ୍ର କରି ହିଂସା ରଚାଉଥିବା ଆଶଙ୍କା କରାଯାଉଛି। ରୋହିଙ୍ଗ୍ୟାମାନେ ବେଆଇନ ଅନୁପ୍ରବେଶକାରୀ ଏବଂ ସେମାନେ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛନ୍ତି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଦାବି କରିଥିଲା। ତେଣୁ ସଂପୃକ୍ତ ରାଜ୍ୟ ସରକାରମାନେ ଜିଲ୍ଲା ସ୍ତରରେ ଟାସ୍କ ଫୋର୍ସ ଗଠନ କରି ବେଆଇନ ରୋହିଙ୍ଗ୍ୟାମାନଙ୍କୁ ଚିହ୍ନଟ ସହ ତୁରନ୍ତ ବିତାଡ଼ିତ କରିବା ପାଇଁ ଜୁଲାଇ ମାସରେ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ କରିଥିଲା। ତେବେ ସାମାଜିକ ସଂଗଠନ ମାଧ୍ୟମରେ ଦୁଇ ଜଣ ରୋହିଙ୍ଗ୍ୟା ଶରଣାର୍ଥୀ ଏହାକୁ ଚାଲେଞ୍ଜ କରି ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଏହା ଏକ ସାଧାରଣ ମାମଲା ନୁହେଁ। ଦେଶର ସୁରକ୍ଷା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଶରଣାର୍ଥୀଙ୍କ ମାନବାଧିକାର ପ୍ରସଙ୍ଗକୁ ମଧ୍ୟ ଅଣଦେଖା କରିହେବନି। ତେଣୁ ସରକାର ଏ କ୍ଷେତ୍ରରେ ଉଭୟ ଦିଗ ପ୍ରତି ସନ୍ତୁଳନ ରଖି କିଛି ପଦକ୍ଷେପ ନେବା ଉଚିତ।

ସମ୍ବନ୍ଧିତ ଖବର