ଭାରତ ଛାଡ଼ିବାକୁ ରାଜି ନୁହନ୍ତି ରୋହିଙ୍ଗ୍ୟା, ମିଅାଁମାର ନପଠାଇବାକୁ ଅନୁ‌େରାଧ

ନୂଆଦିଲ୍ଲୀ: ଗତ ଶୁକ୍ରବାର ୭ ଜଣ ରୋହିଙ୍ଗ୍ୟା‌ ଶରଣାର୍ଥୀଙ୍କୁ ମିଅାଁମାର ପ୍ରତ୍ୟର୍ପଣ କରାଯାଇଛି। ଏବେ ଆହୁରି ରୋହିଙ୍ଗ୍ୟାଙ୍କୁ ପଠାଇବା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଦିଲ୍ଲୀର କାଳିନ୍ଦୀ କୁଞ୍ଜରେ ରହୁଥିବା ୨୩୫ ରୋହିଙ୍ଗ୍ୟା ଶରଣାର୍ଥୀ ଭାରତ ଛାଡ଼ିବାକୁ ଚାହୁନାହାନ୍ତି। ଏଥିପାଇଁ ସେମାନେ ସରକାରଙ୍କୁ କାକୁତିମିନତି କରି କହିଛନ୍ତି, ଆମକୁ ମିଅାଁମାରକୁ ପଠାଅ ନାହିଁ। ସେଠାରେ ଆମକୁ ମାରିଦେବେ। ଭାରତ ଆମ ପାଇଁ ସବୁଠୁ ନିରାପଦ ସ୍ଥାନ। ତେଣୁ ଏଠାରେ ରହିବାକୁ ଅନୁମତି ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ରୋହିଙ୍ଗ୍ୟା ଶରଣାର୍ଥୀ ମହମ୍ମଦ ଫାରୁକ କହିଛନ୍ତି, ମୁଁ ଭାରତରେ ୨୦୧୨ରୁ ରହିଆସୁଛି। ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି ଯେ ଆମକୁ ଏଠାରେ ରହିବାକୁ ଅନୁମତି ମିଳୁ। ଆମ ନିଜ ଦେଶରେ ଆମେ ଅନେକ କଷ୍ଟ ସ୍ବୀକାର କରିଛୁ। ବହୁତ ଅତ୍ୟାଚାର ସହ୍ୟ କରିଛୁ। ଆମକୁ ଏବେ ବଞ୍ଚିବାକୁ ଦିଅ। ତା’ଛଡ଼ା ଆମେ କୌଣସି ଭିନ୍ନ ଉଦ୍ଦେଶ୍ୟ ରଖି ନିଜ ଦେଶ ଛାଡ଼ିନାହୁଁ ବୋଲି ସେ କହିଛନ୍ତି। ଫାରୁକ ଆହୁରି ଦର୍ଶାଇଛନ୍ତି ଯେ ଯେଉଁ ୭ ଜଣଙ୍କୁ ନିକଟରେ ମିଅାଁମାର ପଠାଯାଇଛି ସେମାନଙ୍କୁ ଶୀଘ୍ର ହତ୍ୟା କରାଯିବ। ହାରୁନ୍ ନାମକ ଅନ୍ୟ ଜଣେ ଶରଣାର୍ଥୀ କହିଛନ୍ତି, ଆମେ ଏଠାରେ ୨୦୦୫ ମସିହାରୁ ରହୁଛୁ। ସରକାର ଆମକୁ ଦୀର୍ଘମିଆଦୀ ଭିସା ବ୍ୟତୀତ ଅନ୍ୟ କୌଣସି ସହାୟତା ଦେଇନାହାନ୍ତି। ତା’ସତ୍ତ୍ବେ ଆମେ ଏଠାରେ ରହିବାକୁ ଚାହୁଛୁ। ଉଲ୍ଲେଖଯୋଗ୍ୟ, ୨୦୧୭ ଅଗଷ୍ଟରେ ମିଅାଁମାରର ରଖାଇନ୍ ରାଜ୍ୟରେ ପ୍ରବଳ ହିଂସା ଯୋଗୁଁ ୬,୫୦,୦୦୦ ରୋହିଙ୍ଗ୍ୟା ଭାରତ ପଳାଇ ଆସିଥିଲେ। ମିଅାଁ‌ମାରର ସେନା ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ସମ୍ବନ୍ଧିତ ଖବର