ଜମ୍ମୁ ଓ କଶ୍ମୀରରେ ଥିବା ରୋହିଙ୍ଗ୍ୟାମାନଙ୍କୁ ପ୍ରତ୍ୟାର୍ପଣ କରାଯିବ : କେନ୍ଦ୍ରମନ୍ତ୍ରୀ

ଜମ୍ମୁ : ଦେଶରେ ଗତ ଡିସେମ୍ବର ମାସରେ ଲାଗୁ ହୋଇଥିବା ନାଗରିକତା (ସଂଶୋଧନ) ଆଇନ ଦ୍ୱାରା ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କର କୌଣସି ଲାଭ ହେବନାହିଁ । ଏହି ଆଇନ ଅନୁସାରେ ରୋହିଙ୍ଗ୍ୟାମାନଙ୍କୁ ନାଗରିକତା ଦେବାର କୌଣସି ବ୍ୟବସ୍ଥା ନାହିଁ, ଏଣୁ ସେମାନଙ୍କୁ ଭାରତ ଛାଡ଼ିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ।

ଜାମ୍ମୁରେ ଅନଷ୍ଠିତ ଏକ କର୍ମଶାଳାରେ ଯୋଗ ଦେଇ ସିଂ କହିଛନ୍ତି ଯେ ଜମ୍ମୁରେ ଥିବା ରୋହିଙ୍ଗ୍ୟାମାନଙ୍କୁ ପ୍ରତ୍ୟାର୍ପଣ କରାଯିବ । ଏନେଇ କୌଣସି ଟାଳଟୁଳ ନୀତି ଚଳିବ ନାହିଁ । କାରଣ ସିଏଏ ଦ୍ୱାରା ରୋହଙ୍ଗ୍ୟାମାନେ ଭାରତର ନାଗରିକତା ପାଇପାରିବେ ନାହିଁ । ସରକାରୀ ହିସାବ ଅନୁସାରେ ଜମ୍ମୁ ଓ କଶ୍ମୀରରେ ପ୍ରାୟ ୫,୭୦୦ ରୋହିଙ୍ଗ୍ୟା ରହୁଛନ୍ତି । ସେହିପରି ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତଙ୍କ ଅନୁସାରେ ଜମ୍ମୁ ଓ କଶ୍ମୀରରେ ପ୍ରାୟ ୭୦୦୦ ରୋହିଙ୍ଗ୍ୟା ରହୁଛନ୍ତି । ସେମାନଙ୍କୁ କିପରି ପ୍ରତ୍ୟାର୍ପଣ କରାଯିବ ତାହା ଭାରତ ସରକାର ଚିନ୍ତା କରିବେ ବୋଲି ସେ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରୋହିଙ୍ଗ୍ୟା ହେଉଛନ୍ତି ମିଆଁମାରରୁ ଆସିଥିବା ମୁସଲିମ ସଂପ୍ରଦାୟର ଶରଣାର୍ଥୀ ।

ଭାରତର ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର