ବାପାଙ୍କୁ କିଡନି ଦେବା ପରେ ରୋହିଣୀଙ୍କ ପ୍ରଥମ ଟ୍ବିଟ, ଲେଖିଲେ…

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କର ସିଙ୍ଗାପୁରରେ ସଫଳ କିଡନି ପ୍ରତିରୋପଣ ହୋଇଛି। ଝିଅ ରୋହିଣୀ ଆଚାର୍ଯ୍ୟ ବାପାଙ୍କୁ କିଡନି ଦେଇଛନ୍ତି। ରୋହିଣୀଙ୍କର ଏହି ମହାନତା ପାଇଁ ତାଙ୍କୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। କିଡନି ପ୍ରତିରୋପଣ ପରେ ରୋହିଣୀ ଏକ ଭାବବିହ୍ବଳ କଲା ଭଳି ଟ୍ବିଟ କରିଛନ୍ତି।

ଟ୍ବିଟରେ ସେ ତାଙ୍କ ଫଟୋ ସେୟାର କରିଥିବା ବେଳେ ଲେଖିଛନ୍ତି, ମୁଁ ବର୍ତ୍ତମାନ ଭଲ ଅନୁଭବ କରୁଛି। ବାପା ମଧ୍ୟ ଭଲ ଅଛନ୍ତି। ଆପଣ ସମସ୍ତଙ୍କ ପ୍ରାର୍ଥନା ପାଇଁ ମୋ ପାଖରେ ଶବ୍ଦ ନାହିଁ। ଆପଣ ସମସ୍ତଙ୍କ ପ୍ରାର୍ଥନା କାମ କରିଛି। ମୋ ହୃଦୟରେ ଆପଣ ସମସ୍ତଙ୍କ ପାଇଁ ବହୁତ ବହୁତ ଭଲପାଇବା ଏବଂ ସମ୍ମାନ ଅଛି।ଆପଣଙ୍କ ପ୍ରାର୍ଥନା ମୋତେ ବହୁତ ଶକ୍ତି ଦେଇଛି। ମୋ ପାଖରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଶବ୍ଦ ନାହିଁ।

ବାସ୍ତବରେ ଏତେ କମ୍‌ ବୟସରେ ନିଜ ଭବିଷ୍ୟତ କଥା ଚିନ୍ତା ନକରି ବାପାଙ୍କୁ କିଡନି ଦେବା କିଛି ଛୋଟିଆ କଥା ନୁହେଁ। ସେଇଥିପାଇଁ ତ ଝିଅମାନଙ୍କୁ ଦେବୀ ବିବେଚନା କରାଯାଏ। ଯେ‌ତେବେଳେ ତ୍ୟାଗ ଏବଂ ଭଲପାଇବା କଥା ଉଠେ ସେତେବେଳେ ଗୋଟିଏ ଝିଅ ସହ କେହି ସମାନ ହୋଇପାରିବେନି। ରୋହିଣୀ ନିଜ ବାପାଙ୍କୁ କିଡନି ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ରୋହିଣୀ ଲାଲୁଙ୍କୁ କିଡନି ଦେବା ପ୍ରସଙ୍ଗକୁ ନେଇ ଟ୍ବିଟର‌ରେ ଅନେକ ଚର୍ଚ୍ଚା ହେଉଛି।‌ ଅନେକ ଟ୍ବିଟର ୟୁଜର ୭୪ ବର୍ଷରେ ଲାଲୁ ଝିଅଠାରୁ କିଡନି ନେଇଥିବାରୁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେହି କେହି ମଧ୍ୟ କହିଛନ୍ତି ଯେ, ଲାଲୁଙ୍କୁ ତାଙ୍କ ଝିଅ କିଡନି ‌ଦେବା କଥା ମିଛ। ସେମାନେ କୌଣସି ଗରିବ କିମ୍ବା ଅସହାୟ ଲୋକଙ୍କଠାରୁ କିଡନି କିଣି ଝିଅ ରୋହିଣୀ କିଡନି ଦେଇଛନ୍ତି ବୋଲି କହିଥିବା ନେଇ ଚର୍ଚ୍ଚା‌ ହେଉଛି।

ସମ୍ବନ୍ଧିତ ଖବର