ବିବାଦ ଘେରରେ ଭାରତୀୟ କ୍ରିକେଟର : ଭାଇରାଲ୍ ହେଉଛି ଗୋମାଂସ ଖାଇଥିବା ବିଲ୍ !

ଭିଡିଓରେ ଅଛନ୍ତି ରୋହିତ ଶର୍ମାଙ୍କ ସହ ଅନ୍ୟ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ବିବାଦ ଘେରରେ ଭାରତୀୟ ଖେଳାଳି । ଟିମ ଇଣ୍ଡିଆର କିଛି ଖେଳାଳିଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଟିମ ଇଣ୍ଡିଆର ଖେଳାଳିମାନେ ଏକ ରେଷ୍ଟୁରାଣ୍ଟରେ ଖାଉଥିବାର ଫଟୋ ସହ ଏକ ବିଲ୍ ମଧ୍ୟ ଖୁବ ଭାଇରାଲ ହେଉଛି । ଏହି ବିଲରେ ଗୋମାଂସ ଅର୍ଡର ହୋଇଥିବା ଦେଖାଯାଇଛି, ଯାହାକୁ ଭାରତୀୟ ଖେଳାଳିମାନେ ଅର୍ଡର କରିଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଫଟୋରେ ରୋହିତ ଶର୍ମାଙ୍କ ସହ ରିଷବ ପନ୍ତ, ଶୁଭମନ ଗିଲ, ପୃଥୀ ସ ଓ ନବଦୀପ ସାଇନୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ତେବେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି । ଏହି ଘଟଣାର ପ୍ରକୃତ ସତ କି ନାହିଁ ଏ ଯାଏଁ ସାମ୍ନାକୁ ଆସିପାରିନାହିଁ । ଏହାସହ ବିସିସିଆଇ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

DNA India

ଅନ୍ୟପକ୍ଷରେ ଏହି ସମୟରେ ଆଉ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ରେଷ୍ଟୁରାଣ୍ଟକୁ ଯାଇ ଭାରତୀୟ ଖେଳାଳିମାନେ କୋଭିଡ ନିୟମ ଉଲ୍ଲଘଂନ କରିଥିବାରୁ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି ସୂଚନା ମିଳିଛି । ପ୍ରୋଟୋକଲ ଅନୁସାରେ ଖେଳାଳିମାନେ ଆଉଟଡୋର ବ୍ୟବସ୍ଥାରେ ଖାଇବାକୁ ଯାଇପାରିବେ, ହେଲେ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ ରହିଛି । କିନ୍ତୁ ଫଟୋରେ ସମସ୍ତେ ଏକାଠି ଖାଉଥିବାର ଦେଖିବାକୁ ମିଳିଥିଲା । ଯାହା ପରେ ସୋସିଆଲ ମିଡିଆରେ ବିବାଦ ଘେରକୁ ଆସିଛନ୍ତି ଭାରତୀୟ ଖେଳାଳି।

ନବଲଦୀପ ସିଂ ନାମକ ଜଣେ ପ୍ରଶଂସକ ଟ୍ୱିଟରରେ ଏହି ଫଟୋ ସେୟାର କରିବା ପରେ ସୃଷ୍ଟି ହୋଇଥିଲା ଝଡ । ଏହି ଦୁଇଟି ଯାକ ଘଟଣାକୁ ନେଇ ଟ୍ୱିଟରରେ ସମାଲୋଚନାର ଶିକାର ହୋଇଛନ୍ତି ଭାରତୀୟ ଖେଳାଳି । ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ପ୍ରଶଂସକମାନେ ଟ୍ୱିଟରରେ ରୋହିତଙ୍କୁ ସମର୍ଥନ କରି ଏହାକୁ ଏକ ଗୁଜବ ବୋଲି କହିଛନ୍ତି ।

ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ଏଠାରେ ଏବେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ଦୁଇଟି ମ୍ୟାଚ ଶେଷ ହୋଇଥିବା ବେଳେ ଆଉ ଦୁଇଟି ମ୍ୟାଚ ଏବେ ବାକି ଅଛି । ଏହି ଟେଷ୍ଟ ସିରିଜରେ ୧-୧ରେ ଏବେ ସିରିଜ ବରାବର ଅଛି । ତୃତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୭ ତାରିଖରେ ଖେଳାଯିବ ।

ସମ୍ବନ୍ଧିତ ଖବର