ବେଙ୍ଗାଲୁରୁ: ଅନେକ ବଡ଼ ସଫଳତା ପଛରେ ଛୋଟ କାରଣଟିଏ ଥାଏ। ଏହା ହଠାତ୍ ନଜରକୁ ନ ଆସୁଥିଲେ ହେଁ ପରେ ଦୃଷ୍ଟିଆକର୍ଷଣ କରିଥାଏ। ଅଗଷ୍ଟ ୨୩ରେ ଭାରତର ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣମେରୁରେ ନରମ ଅବତରଣ କରାଇ ଇତିହାସ ରଚିଥିଲା ଇସ୍ରୋ। ତେବେ ଇସ୍ରୋର ଏହି ସଫଳତା ପଛରେ ଏକ ଆଶା କରାଯାଉ ନ ଥିବା ରହସ୍ୟ ରହିଥିବା ଜଣାପଡ଼ିଛି, ତାହା ହେଉଛି ମସଲା ଦୋସା ଓ ଫିଲ୍ଟର କଫି। ଇସ୍ରୋର ଜନୈକ ମିସନ ବୈଜ୍ଞାନିକଙ୍କ କହିବା ଅନୁସାରେ, ପ୍ରତିଦିନ ସଂଧ୍ୟା ୫ଟାରେ ଚନ୍ଦ୍ରଯାନ-୩ ମିସନ ପାଇଁ କାର୍ଯ୍ୟରତ ବୈଜ୍ଞାନିକ ଓ ଇଂଜିନିୟରମାନଙ୍କୁ ମାଗଣାରେ ମସଲା ଦୋସା ଓ ଫିଲ୍ଟର କଫି ଦିଆଯାଉଥିଲା। ମିସନ ବୈଜ୍ଞାନିକ ଭେଙ୍କଟେଶ୍ବର ଶର୍ମାଙ୍କ କହିବା ଅନୁସାରେ ପ୍ରତି ସନ୍ଧ୍ୟାରେ ଏହି ମସଲା ଦୋସା ଓ ଫିଲ୍ଟର କଫି ଟିମ୍ ସଦସ୍ୟମାନଙ୍କ ଭିତରେ ଅଧିକ ସମୟ କାମ କରିବା ପାଇଁ ଉତ୍ସାହ ବଢ଼ାଉଥିଲା।
ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ୩ର ଐତିହାସିକ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ଶନିବାର ପୁଣି ଇତିହାସ ରଚିଛି। ଇସ୍ରୋର ସୂର୍ଯ୍ୟ ମିସନ ଆଦିତ୍ୟ-ଏଲ୍୧ର ସଫଳ ଉତ୍କ୍ଷେପଣ ସହ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ନୂଆ ସୋପାନକୁ ଛୁଇଁଛି। ଆଜି ଉତ୍କ୍ଷେପଣ ହୋଇଥିବା ଆଦିତ୍ୟ-ଏଲ୍୧ର ଅନ୍ତିମ ଗନ୍ତବ୍ୟସ୍ଥଳ ହେଉଛି ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍୧) ଚାରିପାଖରେ ଥିବା ହାଲୋ ଅର୍ବିଟ୍, ଯାହା ପୃଥିବୀଠାରୁ ୧.୫ ନିୟୁତ ବା ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ। ଏହି ଦୂରତା ହେଉଛି ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଦୂରତାର ଶହେ ଭାଗରୁ ଭାଗେ। କାରଣ ପୃଥିବୀଠାରୁ ସୂର୍ଯ୍ୟଙ୍କ ଦୂରତା ହେଉଛି ୧୫୦ ନିୟୁତ ବା ୧୫ କୋଟି କିଲୋମିଟର। ତେଣୁ ଆଦିତ୍ୟ-ଏଲ୍୧ ସୂର୍ଯ୍ୟଙ୍କଠାରୁ ପ୍ରାୟ ୧୪୮.୫ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ ହେବ।