କୋଟାରୁ ରାଉରକେଲା ଫେରୁଛନ୍ତି ୧୧୬ ଛାତ୍ରଛାତ୍ରୀ, ୩୦ଘଣ୍ଟା ପରେ ପହଞ୍ଚିବେ

ରାଉରକେଲା : ପ୍ରତୀକ୍ଷାର ଅନ୍ତ ଘଟିଲା l ରାଜସ୍ଥାନର କୋଟା ଓ ମହାବୀର ନଗରରେ ଫସିଥିବା ରାଉରକେଲାର ୧୧୬ ଛାତ୍ରଛାତ୍ରୀ କୋଟାରୁ ବାହାରିଛନ୍ତି l ଆଜି ଦିନ ପ୍ରାୟ ୧୦ଟା ୧୫ ମିନିଟ ସମୟରେ କୋଟାର ଲାଣ୍ଡମାର୍କ ସିଟି, ମହାବୀର ନଗରରୁ ୪ ଟି ବସରେ ବାହାରିଛନ୍ତି l ବାହାରିବା ପୂର୍ବରୁ ବସଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯାଇଥିଲା l

ଛାତ୍ରଛାତ୍ରୀମାନଙ୍କୁ ସ୍କ୍ରିନିଂ କରାଯିବ ପରେ ବସରେ ଚଢା ଯାଇଥିଲା ବୋଲି କହିଛନ୍ତି କୋଟାରୁ ଆସୁଥିବା ଅଭିଭାବକ ବିଜୟ କୁମାର ମାଟିଆ l ସେ କହିଛନ୍ତି ରାଉରକେଲାରେ ପହଞ୍ଚିବାକୁ ପ୍ରାୟ ୩୦ଘଣ୍ଟା ସମୟ ଲାଗିବ l ପ୍ରତ୍ୟକ ଛାତ୍ରଛାତ୍ରୀ ୪ ହଜାର କରି ବସ ଭଡ଼ା ଦେଇଛନ୍ତି l

ବସ ମଧ୍ୟପ୍ରଦେଶ, ଛତିଶଗଡ଼, ରାୟଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ହୋଇ ରାଉରକେଲାରେ ପହଞ୍ଚିବେ l ରାଉରକେଲାରେ ପହଞ୍ଚିବା ପରେ ଘରେ ଏକାନ୍ତବାସରେ ରହିବେ l ଗତ ୧୮ ତାରିଖରେ ଅଭିଭାବକମାନେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଥିଲେ l ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କରିଥିଲେ।

ସମ୍ବନ୍ଧିତ ଖବର