ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସ ସରକାର ସମସ୍ତ ନୂଆ ୩୩ ମନ୍ତ୍ରୀଙ୍କ ପାଇଁ ୩୩ଟି ଟୋୟୋଟା ଇନୋଭା ହାଇକ୍ରସ୍‌ ହାଇବ୍ରିଡ୍‌ ଏସୟୁଭି କିଣିବେ। ଏଥିପାଇଁ ୯.୯ କୋଟି ଟଙ୍କାର ବଜେଟ ଆବଣ୍ଟନ କରାଯିବ।
ଏଥିନିମନ୍ତେ ସିଧାସଳଖ କ୍ରୟକୁ ସୁଗମ କରିବା ପାଇଁ ସରକାର କର୍ଣ୍ଣାଟକ ଟ୍ରାନ୍‌ସପରେନ୍‌ସି ଇନ୍‌ ପବ୍ଲିକ୍‌ ପ୍ରକ୍ୟୁରମେଣ୍ଟ (କେଟିପିପି) ଆଇନ ଅଧୀନରେ ୪(ଜି) ଛାଡ଼ ପ୍ରଦାନ କରିଛନ୍ତି, ଯେଉଁଥିରେ ବିନା ଟେଣ୍ଡରରେ ଠିକା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

Advertisment

ନୂଆ ମନ୍ତ୍ରୀଙ୍କ ପାଇଁ ମହଙ୍ଗା ଏସ୍‌ୟୁଭିରେ ଏତେ ପରିମାଣର ଟଙ୍କା ଖର୍ଚ୍ଚ କରିଥିବାରୁ କେତେକ ମହଲରୁ ସମାଲୋଚନା ହେଉଛି। ବେଙ୍ଗାଲୁରୁରେ ଇନୋଭା ହାଇକ୍ରସ୍‌ ଟପ୍‌ ଟ୍ରିମର ଅନ-ରୋଡ୍‌ ମୂଲ୍ୟ ପ୍ରାୟ ୩୯ ଲକ୍ଷ ଟଙ୍କା ରହିଛି।

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏସୟୁଭି କିଣିବା ପାଇଁ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ‘ଏଥିରେ କ’ଣ ଭୁଲ ଅଛି? ମନ୍ତ୍ରୀମାନଙ୍କୁ ମଧ୍ୟ ଲମ୍ବା ଯାତ୍ରା କରିବାକୁ ପଡ଼ୁଥିବାରୁ ସେମାନଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ବାସ୍ତବରେ ଅନ୍ୟ ରାଜ୍ୟ ଭଳି ଆମ ପାଖରେ ଚାର୍ଟର୍ଡ ବିମାନ ଓ ହେଲିକପ୍ଟଟର ନାହିଁ। ଏବେ ବି ମୁଁ  ନିୟମିତ ବାଣିଜ୍ୟିକ ବିମାନରେ ଯାତ୍ରା କରେ’, ବୋଲି ଶିବକୁମାର କହିଛନ୍ତି।

କର୍ଣ୍ଣାଟକରେ କଂଗ୍ରେସ ସରକାର ନିଜର ସବୁଠାରୁ ମହଙ୍ଗା ଯୋଜନା- ଗୃହଲକ୍ଷ୍ମୀ ଯୋଜନା ଆରମ୍ଭ କରିବାର ଦୁଇ ଦିନ ପରେ ଏହି  ଗାଡି କିଣିବାର ଘୋଷଣା କରାଯାଇଛି।

ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦିଆଯାଇଥିବା ଏହି ଯୋଜନା ପାଇଁ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ୧୭,୫୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ବିରୋଧୀମାନେ କହିଛନ୍ତି ଯେ ଏସୟୁଭି କ୍ରୟ ପାଇଁ ବ୍ୟବହୃତ ହେଉଥିବା ଅର୍ଥ ଅନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ପାଣ୍ଠି ଉପରେ ପଡ଼ିବ। କଂଗ୍ରେସ କେବଳ ଗ୍ୟାରେଣ୍ଟି କଥା କହୁଛି। ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଟଙ୍କା ନାହିଁ। ନୂଆ କାର୍‌ ପାଇଁ ଟଙ୍କା କେଉଁଠୁ ଆସିବ? ବୋଲି ବିଜେପିର ଏମଏଲସି ସି ନାରାୟଣସ୍ୱାମୀ ପ୍ରଶ୍ନ କରିଛନ୍ତି।

୨୦୧୩ରେ କଂଗ୍ରେସ ମନ୍ତ୍ରୀଙ୍କ ପାଇଁ ନୂଆ କାର୍‌ କିଣିବା ପାଇଁ ୫ କୋଟି ଟଙ୍କା ଆବଣ୍ଟନ କରିଥିଲା। ଚଳିତ ବର୍ଷ କଂଗ୍ରେସ ସରକାର ନିଜର ସମାଜ କଲ୍ୟାଣ ଗ୍ୟାରେଣ୍ଟି ପାଇଁ ୫୦ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରିଛନ୍ତି। ନୂତନ କାର୍‌ ପାଇଁ ୧୦ କୋଟି ଟଙ୍କା ଏହାର .୦୨ ପ୍ରତିଶତ ଅଟେ।