ଏୟାର ଷ୍ଟ୍ରାଇକ୍‌କୁ ନେଇ କହୁ କହୁ ବଡ଼ ଭୁଲ କରିଦେଲେ ମୋଦୀ, ସୋସିଆଲ ମିଡିଆରେ ହେଲେ ସମାଲୋଚନାର ଶିକାର

ନୂଆଦିଲ୍ଲୀ : ନିଉଜ୍‌ ନେଶନକୁ ସାକ୍ଷାତକାର ଦେଇ ଏୟାର ଷ୍ଟ୍ରାଇକ୍‌ ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ନିଜର ପ୍ରାୟ ସବୁ ଜନମସଭାରେ ଏୟାର ଷ୍ଟ୍ରାଇକ୍‌ ବିଷୟରେ କହି ଭୋଟ୍‌ ମାଗୁଥିବା କଥା ବିପକ୍ଷ ଦଳ ଅଭିଯୋଗ କରି ଆସୁଥିବା ବେଳେ ପୁଣି ଥରେ ମୋଦୀ ଏୟାର ଷ୍ଟ୍ରାଇକ୍‌ ବିଷୟରେ ଆଲୋଚନା କରିଥିବା ଦେଖାଯାଇଥିଲା । କିନ୍ତୁ ଏହି ଆଲୋଚନା ସମୟରେ ସେ ଯେଉଁ ଭୁଲ କରି ଦେଇଥିଲେ, ତାହାକୁ ନେଇ ମୋଦୀଜୀ ଏବେ ସମାଲୋଚନାର ଶିକାର ହୋଇଛନ୍ତି ।

ସାକ୍ଷାତକାରରେ ଏୟାର ଷ୍ଟ୍ରାଇକ୍‌ ବିଷୟରେ କହିବାକୁ ଯାଇ, ଯେଉଁ ସମୟରେ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ପ୍ରସ୍ତୁତି ଚାଲିଥିଲା, ସେ ସମୟରେ ଆକାଶରେ ବାଦଲ ଛାଇ ରହିଥିଲା । ଏକ୍ସପର୍ଟସମାନେ ଏୟାର ଷ୍ଟ୍ରାଇକ୍‌କୁ ବାତିଲ କରିବା ପାଇଁ କହିବା ପରେ ମୁଁ ତାଙ୍କୁ ମନା କରିଥିଲି । ବାଦଲ ପାଇଁ ବାୟୁସେନା ବିମାନ ପାକିସ୍ତାନ ରାଡାରରୁ ବଞ୍ଚି ପାରିବ ବୋଲି କହି ମୁଁ ସେମାନଙ୍କୁ ଏୟାର ଷ୍ଟ୍ରାଇକ୍‌ କରିବା ପାଇଁ କହିଥିଲି ବୋଲି ମୋଦୀ କହିଥିଲେ । ଏହି ବୟାନକୁ ବିଜେପି ପକ୍ଷରୁ ଟୁଇଟ୍‌ରରେ ମଧ୍ୟ ଲେଖି ସେୟାର କରାଯାଇଥିଲା । ତେବେ ତାଙ୍କର ଏଭଳି ବୟାନ ପରେ, ଜମ୍ମୁ-କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମୋଦୀଙ୍କୁ ଟୁଇଟ୍‌ କରି ସମାଲୋଚନା କରିଛନ୍ତି ।

ଟୁଇଟ୍‌ରେ, ପାକିସ୍ତାନ ରାଡାର ବାଦଲକୁ ପାର୍‌ କରି ପାରିବ ନାହିଁ । ଏହା ଏକ ମହତ୍ୱପୂର୍ଣ୍ଣ ସାମରିକ ସୂଚନା । ଯାହା ଭବିଷ୍ୟରେ ଏୟାର ଷ୍ଟ୍ରାଇକ୍‌ର ଯୋଜନା କରିବା ସମୟରେ କାମରେ ଲାଗିବ ବୋଲି କହିଥିଲେ । ଓମାରଙ୍କ ଏଭଳି ଟୁଇଟ୍‌ ପରେ ବିଜେପି କରିଥିବା ଟୁଇଟ୍‌ ହଟାଇ ଦେଇଥିଲେ । ଯାହା ପରେ ପୁଣି, ଲାଗୁଛି ଟୁଇଟ୍‌ଟି ବାଦଲରେ ହଜିଗଲା । ସୌଭାଗ୍ୟବଶତଃ ସ୍କ୍ରିନ୍‌ସଟ୍‌ ସାହାଯ୍ୟ କରିବା ପାଇଁ ଚାରିଆଡ଼େ ବୁଲୁଛି ବୋଲି ଲେଖି ଟୁଇଟ୍‌ କରି ବିଜେପିକୁ କଟାକ୍ଷ କରିଥିଲେ ଓମାର ଅବଦୁଲ୍ଲା ।

ସମ୍ବନ୍ଧିତ ଖବର